ଓମିକ୍ରନ୍ ପାଇଁ ଟିକା କାମ ଦେବନି, ପଶ୍ଚିମବଙ୍ଗକୁ ଛୁଇଁଲା ନୂଆ ଭାରିଆଣ୍ଟ: ଓଡ଼ିଶା ପାଇଁ ସତର୍କ ଘଣ୍ଟି

0 74

କୋଲକାତା : ଧୀରେ ଧୀରେ ଦେଶରେ ବଢ଼ୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ୭୭ ଦେଶରେ ମାଡି ସାରିଲାଣି । ଜାନୁଆରୀ ଓ ଫେବୃଆରୀ ମାସରେ ଭାରତରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ବୋଲି କୋଭିଡ୍ ଟାସ୍କଫୋର୍ସ ମୁଖ୍ୟ ଭି.କେ.ପଲ୍ କହିଛନ୍ତି । ଏଥିନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି । ଓମିକ୍ରନ୍ର ପ୍ରଭାବ ଡେଲଟା ଭାରିଆଣ୍ଟଠାରୁ କମ୍ ପ୍ରଭାବୀ ହେବ ବୋଲି ଆଶା କରାଯାଉଥିଲେ ହେଁ ଏହା ଯେଉଁଭଳି ଭାବେ ବ୍ୟାପୁଛି ବିଶ୍ୱରେ ଏକ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ଆଣିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍ କହିଛନ୍ତି । ସେ କହିଛନ୍ତି ଯେ, ଓମିକ୍ରନ୍ ବିରୋଧରେ ଟିକା କାମ ନ ଦେଇପାରେ । ତେଣୁ ଏଥିପାଇଁ ସ୍ୱତନ୍ତ୍ର ଟିକାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗରେ ପଶିଛି କରୋନାର ମାରାତ୍ମକ ଭାରିଆଣ୍ଟ ଓମିକ୍ରନ । ରାଜ୍ୟର ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ଫରାକ୍କା ଅଞ୍ଚଳର ଜଣେ ୭ ବର୍ଷୀୟ ଶିଶୁ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି । ୧୦
ଡିସେମ୍ବରରେ ସଂକ୍ରମିତ ହୋଇଥିବା ଶିଶୁଟି ପରିବାର ଲୋକଙ୍କ ସହ ଦୁବାଇ ଆବୁଧାବି ବମାନବନ୍ଦର ଦେଇ ହାଇଦ୍ରାବାଦ ଫେରିଥିଲା । ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ପରୀକ୍ଷା ହୋଇଥିଲା । ଆରଟିପିସିଆର୍ ଟେଷ୍ଟରେ ଶିଶୁଟିର କରୋନା ପଜିଟିଭ୍ ଆସିଥିଲା । ଏହାପରେ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଏଥିରେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି ।

ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ଟେଷ୍ଟ ପରେ ଶିଶୁଟି ପରିବାର ସହ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ଫରାକ୍କା ନିଜ ଗାଁକୁ ପଳାଇଆସିଥିବା ବେଳେ ଆଜି ହାଇଦ୍ରାବାଦ ବିମାନ ବନ୍ଦର ପକ୍ଷରୁ ଶିଶୁଟି ଓମିକ୍ରନରେ ଆକ୍ରାନ୍ତଥିବା ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗ ରାଜ୍ୟ ସରକାର ଏବଂ ମୁର୍ଶିଦାବାଦ ଜିଲ୍ଲା ମେଡ଼ିକାଲ କଲେଜକୁ ଏନେଇ ମଧ୍ୟ ହାଇଦ୍ରାବାଦ ବିମାନ ବନ୍ଦର କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି । ବର୍ତ୍ତମାନ ଶିଶୁଟି ନିଜ ଘରେ ହୋମ୍ ଆଇସୋଲେସନ୍ରେ ରହିଛି ଏବଂ ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅନ୍ୟପଟେ ପଡୋଶୀ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟ ପରେ ଓଡ଼ିଶା ପାଇଁ ସତର୍କ ଘଣ୍ଟି ବାଜିଛି । ପ୍ରଥମେ ପଡୋଶୀ ଆନ୍ଧ୍ରପ୍ରଦେଶ ଆଉ ଏବେ ଏକ ପଡୋଶୀ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୧୦ଟି ରାଜ୍ୟରୁ ମୋଟ ୬୫ଟି ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି । ବୁଧବାର ଦିନ ତେଲେଙ୍ଗାନାରୁ ୩ଟି ଓ ପଶ୍ଚିମବଙ୍ଗରୁ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଅଛନ୍ତି । ଏଠାରେ ଏବେ ଯାଏଁ ୨୮ ଜଣ ଓମିକ୍ରନ୍ ସଂକ୍ରମିତ ବାହାରିଛନ୍ତି । ଏହାବ୍ୟତୀତ ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୩, ଗୁଜରାଟରୁ ୪, କେରଳରୁ ୧, ଆନ୍ଧ୍ରପ୍ରଦେଶରୁ ୧, ଦିଲ୍ଲୀରୁ ୬, ଚଣ୍ଡିଗଡରୁ ୧ କେସ୍ ରହିଛି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ସାରା ବିଶ୍ୱରେ ବର୍ତ୍ତମାନ ଯାଏ ୭୭ଟି ଦେଶକୁ ବ୍ୟାପି ସାରିଲାଣି ଓମିକ୍ରନ୍ ।

Leave A Reply

Your email address will not be published.