ଗଜପତିରେ ହାଡଭଙ୍ଗା ଶୀତ

0 70


ପାରଳାଖେମୁଣ୍ଡି, ୨୧ା୧୨ : ଗତ କିଛି ଦିନ ହେଲା ସମଗ୍ର ଗଜପତି ଜିଲ୍ଲାରେ ଶୀତର ପ୍ରକୋପ ବେଶ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ୭ଗୋଟି ବ୍ଲକ ଯଥା ମୋହନା, ଆର୍.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣୀ, କାଶୀନଗର ଓ ଗୁମ୍ମା ଆଦି ଅଞ୍ଚଳ ସହ ଜିଲ୍ଲାର ଦୁର୍ଗମାଞ୍ଚଳ ତଥା ବନପାହାଡ ଘେରାରେ ଏହାର ପ୍ରକୋପ ଆହୁରି ଅଧିକା ରହୁଛି । ଏହି ଶୀତର ଜାଡ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲଗିଛି । ତା ସାଙ୍ଗକୁ ସକାଳ ୯ଘଣ୍ଟା ଯାଏଁ ଘନ କୁହୁଡି ମଧ୍ୟ ଲାଗି ରହୁଛି । ରାତ୍ର ସମୟରେ ପାରଦ ହାରାହାରି ୧୦ଡିଗ୍ରୀ ସେଲସିୟସକୁ ଖସୁଥିବାର ଲକ୍ଷ୍ୟ କରାଯାଇଛି । ଆଗକୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି । ଜିଲ୍ଲାର ବିଶେଷ କରି ଦୁର୍ଗମାଞ୍ଚଳରେ କୁହୁଡିର ଚାଦର ତଳେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇ ରହୁଛି । ଏହି ଅଞ୍ଚଳ ଗୁଡିକରେ ସଞ୍ଜ ନଇଁବା କ୍ଷଣି ଥଣ୍ଡାର ପ୍ରକୋପ ବଢିଚାଲୁଛି । ଏପରି ସକାଳ ୯ଘଣ୍ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି କି ଦୋକାନ ବଜାର ମଧ୍ୟ ଖୋଲିପାରୁନାହାନ୍ତି । ଫଳରେ ରାସ୍ତା ଖାଁ ଖାଁ ଲାଗୁଛି । ବୃଦ୍ଧବୃଦ୍ଧା ଓ ଶିଶୁମାନେ ନିଆଁ ଜାଳି ଶୀତ ଦାଉରୁ ଟିକିଏ ମୁକ୍ତି ପାଉଛନ୍ତି । ଶୀତକୁ ଲକ୍ଷ୍ୟକରି ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଗୁଡିକରେ ଶୀତବସ୍ତ୍ର ଦୋକାନ ଗୁଡିକ ରାସ୍ତା କଡରେ ପସରା ମେଲାଇଦେଇଛନ୍ତି ଓ ଏହାର ଚାହିଦା ମଧ୍ୟ ବହୁମାତ୍ରାରେ ରହିଛି । ଲୋକେ ଶୀତବସ୍ତ୍ର କ୍ରୟ କରିବାପାଇଁ ଭିଡ ମଧ୍ୟ ଜମାଉଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନର ଋତୁ ପର୍ଯ୍ୟଟନ ଋତୁ ହୋଇଥିବା ଯୋଗୁଁ ଜିଲ୍ଲାର ମହେନ୍ଦ୍ରଗିରି, ଗଣ୍ଡାହାତୀ, ଗୁଦୁଗୁଦା, ଖସଡା, ମାଙ୍କଡଡିଆଁ, ଜିରାଙ୍ଗ, ବୈଦ୍ଧ ମନ୍ଦିର, ହରଭଙ୍ଗି ଡ୍ୟାମ, ବ୍ରାହ୍ମଣୀ ଦେବୀ ଜଳ ପ୍ରପାତ ଆଦି ପ୍ରାକୃତିକ ଶୋଭାରାଜିର ମନଭରି ଉପଭୋଗ କରିବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜି ଆସର ସାଙ୍ଗକୁ ଭିଡ ଜମିବାରେ ଲାଗିଛି ।

Leave A Reply

Your email address will not be published.