ଆମେରିକାରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ

0 79

ଓ୍ବାଶିଂଟନ୍ ୨୧।୧୨: ଆମେରିକାରେ କରୋନାର ପ୍ରଥମ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କ ମୃତ୍ୟୁ । ସୋମବାର ଟେକ୍ସାସରେ ଏହି କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏ ନେଇ ସିଡିସି କୌଣସି ଔପଚାରିକ ଘୋଷଣା କରିନାହିଁ । କୁହାଯାଉଛି ଯେ, ମୃତକଙ୍କ ବୟସ ୫୦ରୁ ୬୦ ବର୍ଷ ହେବ । ସେ କରୋନା ଟିକା ନେଇନଥିଲେ । ଗତ ସପ୍ତାହ ହେବ କରୋନାର ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ବଢି ଚାଲିଛି । ଓମିକ୍ରନ୍ ଭାରିଆଣ୍ଟ ଏବେ ଆମେରିକାରେ ହଇଚଇ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ଆମେରିକାରେ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିବା ସାମ୍ପଲ ମଧ୍ୟରୁ ୭୩ ପ୍ରତିଶତ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପ୍ରତି ସପ୍ତାହରେ ମଡେଲ ଅପଡେଟ୍ କରିଥାଏ । ଏଥିରେ ଦର୍ଶାଯାଇଛି ଯେ, ଏବେ ସାରା ଆମେରିକାରେ ଓମିକ୍ରନ୍ ବ୍ୟାପି ସାରିଲାଣି । ଗତ ସପ୍ତାହରେ ଆମେରିକାରେ ଡେଲ୍ଟା ଭାରିଆଣ୍ଟ ମାମଲା ସବୁଠୁ ଅଧିକ ଥିଲା । ମାତ୍ର ଏବେ ଏହା ମାତ୍ର ୨୭ ପ୍ରତିଶତ ରହିଛି । ସିଡିସି କହିଛି ଯେ, ଓମିକ୍ରନ୍ ସଂକ୍ରମିତ ବୃଦ୍ଧି ପାଇବା ନେଇ ଆଶଙ୍କା ଥିଲା । ଆମେରିକାର କିଛି ଅଂଶରେ ପ୍ରାୟ ସବୁ ମାମଲା ଓମିକ୍ରନର ରହିଛି । ସିଡିସି ଅନୁସାରେ, ନ୍ୟୁୟର୍କ ଏବଂ ନ୍ୟୁଜର୍ସିରେ କରୋନାରେ ୯୨ ପ୍ରତିଶତ ମାମଲା ଓମିକ୍ରନ ରହିଛି । ସେହିଭଳି ଓ୍ବାଶିଂଟନରେ ୯୬ ପ୍ରତିଶତ ରହିଛି । ବର୍ତ୍ତମାନ ଆମେରିକାରେ ଟିକା ନେବା ପାଇଁ ଅପିଲ କରାଯାଉଛି । ଟିକା ନେବା ଦ୍ବାରା ଓମିକ୍ରନର ପ୍ରଭାବ କମ୍ ରହିବ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ବାଇଡେନ୍ ଙ୍କ ନିକଟରେ ରହୁଥିବା ଜଣେ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ତାଙ୍କର କରୋନା ପରୀକ୍ଷଣ କରାଯାଇଥିଲା ।

Leave A Reply

Your email address will not be published.