ମଣ୍ଡିରେ ତାଲା,ରାସ୍ତାରୋକ ଓ ମିଲର ଅଟକ

0 65


ପାରଳାଖେମୁଣ୍ଡି, ୮ା୧ -ଗଜପତି ଜିଲ୍ଲାରେ ଚାଷୀମାନଙ୍କ ଠାରୁ ଧାନ କିଣାଯାଉ ନ ଥିବା ଯୋଗୁଁ ଚାଷୀମାନଙ୍କ ଠାରେ ପ୍ରବଳ ଅସନ୍ତୋଷ ପାଇଛି । ଚାଷୀ ଏହାର ପ୍ରତିବାଦ କରି ମିଲରମାନଙ୍କୁ ଅଟକ, ଧାନ ମଣ୍ଡିରେ ତାଲା ପକାଇବା ସହ ରାସ୍ତରୋକ ଆନ୍ଦୋଳନ ଆଦି ଆଜି କରାଯାଇଛି । ଘଟଣାରୁ ପ୍ରକାଶ ପାରଳାଖେମୁଣ୍ଡି ସହର ନିକଟସ୍ଥ ରାଣୀପେଣ୍ଠ ଓ ଜୀବା ଗ୍ରାମର ସୋସାଇଟି ଚାଷୀଙ୍କ ଠାରୁ ଧାନ କିଣୁ ନାହାଁନ୍ତି । ଏହି ଦୁଇଟି ସୋସାଇଟିର ଧାନ ମଣ୍ଡି ପାରଳାଖେମୁଣ୍ଡି ଠାରେ ଥିବା ନିୟନ୍ତ୍ରିତ ବଜାର କମିଟି ପରିସରରେ ରହିଛି । ବର୍ତ୍ତମାନ ଚାଷୀଙ୍କ ଠାରେ ଅମଳ ଧାନ ରହିଛି । ଆଗାମୀ ୧୪ ତାରିଖ ଦିନ ଚାଷୀଙ୍କ ମୁଖ୍ୟ ପର୍ବ ପଙ୍ଗାଲ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଧାନ ବିକ୍ରୀ ନ ହେବା ଯୋଗୁଁ ଚାଷୀଙ୍କ ଠାରେ ଅର୍ଥାଭାବ ଦେଖା ଦେଇଛି । ଏପରି ସ୍ଥଳେ ଚାଷୀମାନେ କିପରି ମୁଖ୍ୟ ପର୍ବ ପଙ୍ଗାଲ ପାଳନ କରିବେ ବୋଲି ଚିନ୍ତାରେ ରହିଛନ୍ତି ଚାଷୀ ପରିବାର । ବାରମ୍ବାର ମିଲର ଓ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଦ୍ୱାରସ୍ଥ ହେଉଛନ୍ତି । ହେଲେ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଠାରୁ ଧାନ କିଣାଯାଉ ନାହିଁ । ପରିଶେଷରେ ଆଜି ଚାଷୀମାନଙ୍କ ଏହି ଅସନ୍ତୋଷ ଆନ୍ଦୋଳନରେ ପରିଣତ ହୋଇଛି । ରାଣୀପେଣ୍ଠ ଓ ଜୀବା ଗ୍ରାମର ଚାଷୀମାନେ ଆଜି ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ପରିସରରେ ଥିବା ଧାନ ମଣ୍ଡିରେ ତାଲା ଝୁଲାଇ ଦେବା ସହ ରାଣୀପେଣ୍ଠ ଗ୍ରାମ ଛକ ଠାରେ ମଧ୍ୟାହ୍ନ ୧ଘଣ୍ଟା ଠାରୁ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଏହା ଦ୍ୱାରା ବ୍ରହ୍ମପୁର-ପାରଳାଖେମୁଣ୍ଡି-ଗୁଣପୁର ମୁଖ୍ୟ ରାସ୍ତା ଏବଂ ଗୁମ୍ମା ବ୍ଲକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ହୋଇଥିଲା । ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଲୋକଙ୍କ ଅସୁବିଧାର ସମାଧାନ ପାଇଁ ପାରଳା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ସେହିପରି ପାରଳା ସହର ଉପକଣ୍ଠ କେରାଣ୍ଡି ଗ୍ରାମର ରାମଲିଙ୍ଗେଶ୍ୱର ସୋସାଇଟି ଅଧୀନରେ ଥିବା ଚାଷୀମାନଙ୍କ ବହୁ ଅନୁରୋଧ ପରେ ମିଲରମାନେ ଧାନ କିଣୁ ନଥିଲେ । ଆଜି ୩ଜଣ ମିଲର ରାମଲିଙ୍ଗେଶ୍ୱର ସୋସାଇଟିକୁ କିଛି କାମ ନେଇ ଆସିଥିଲେ । ଚାଷୀମାନେ ପୁଣି ଧାନ କିଣିବା ପାଇଁ ଏହି ୩ଜଣ ମିଲରଙ୍କୁ ଅନୁରୋଧ କରିଥିଲେ । ହେଲେ ମିଲରମାନେ ଚାଷୀମାନଙ୍କ ଅନୁରୋଧକୁ ଏଡାଇ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ୩ଜଣ ମିଲରଙ୍କୁ ସେଠାରେ ଅଟକ ରଖିଥିଲେ । ୩ଘଣ୍ଟା ଅଟକ ରଖିବା ପରେ ପାରଳାଖେମୁଣ୍ଡି ସହକାରୀ ସମବାୟ ସମିତିର ସହ ନିବନ୍ଧକ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାଇବା ପରେ ୩ଜଣ ମିଲରଙ୍କୁ ଉଦ୍ଧାର କରିଥିଲେ । ଚାଷୀଙ୍କ ଧାନ କିଣାରେ ଏପରି ଅହେତୁକ ବିଳମ୍ବ କରିବା ସହ ବିଭିନ୍ନ ଆଳ ଦେଖାଇ ଧାନ କ୍ରୟ ନକରିବା ଯୋଗୁଁ ଚାଷୀଙ୍କ ଅସନ୍ତୋଷ ଦିନକୁ ଦିନ ବଢି ଚାଲିଛି । କେତେବେଳ ଏହି ଅସନ୍ତୋଷ କେଉଁ ରୁପ ଗ୍ରହଣ କରି କେଉଁ ପରିସ୍ତିତି ସୃଷ୍ଟି ହେବ ସେ ନେଇ ସରକାର ଓ ପ୍ରଶାସନ ସଚେତନ ହୋଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

Leave A Reply

Your email address will not be published.