ବ୍ରହ୍ମପୁର ଆଇଟିଆଇକୁ ସମ୍ମାନଜନକ ଆୱାର୍ଡ

0 54

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଉତ୍କୃଷ୍ଟ ଶିଳ୍ପ ତାଲିମ ବ୍ୟବସ୍ଥାର ଏକ ଉନ୍ନତ ନଜିର ପାଲଟିଥିବା ବ୍ରହ୍ମପୁର ସରକାରୀ ଆଇଟିଆଇକୁ ମିଳିଛି ସମ୍ମାନଜନକ ‘ରିସାଇକ୍ଲିଂ ଫର୍‌ ଗ୍ରୀନର୍ ଟୁମାରୋ’ ଆୱାର୍ଡ। ଆବର୍ଜନା ବା ବର୍ଜ୍ୟବସ୍ତୁରୁ ଉନ୍ନତ ସାମଗ୍ରୀ ପ୍ରସ୍ତୁତି ଦିଗରେ ଯୁବ ପ୍ରତିଭା (ପ୍ରଶିକ୍ଷାର୍ଥୀ)ଙ୍କୁ ତାଲିମ ପ୍ରଦାନ କରି ଆସୁଛି ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ। ଏ ଦିଗରେ ଯୁବ ମସ୍ତିଷ୍କ ବା ପେସାଦାରଙ୍କ ଭାବନାରେ ପରିବର୍ତ୍ତନ ଆଣିବା ଯେତେବେଳେ କି ସେମାନେ ଶିଳ୍ପ କ୍ଷେତ୍ରରେ ପ୍ରବେଶ କରିବେ, ସେତେବେଳେ ପୁନଃଚକ୍ରଣର ସଦୁପଯୋଗ କରି ଧାତବ ଆବର୍ଜନାର ସଠିକ୍ ପରିଚାଳନା କରିବେ ସେହି ଶିକ୍ଷା ଆଗରୁ ପ୍ରଦାନ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁନଃଚକ୍ରଣ କ୍ଷେତ୍ରରେ ନିଆରା କୌଶଳ ପ୍ରୟୋଗ କରି ପ୍ରଶିକ୍ଷଣ ମାଧ୍ୟମରେ ହିଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ୩୦ରୁ ଅଧିକ ସ୍କ୍ରାପ୍ ସ୍କଲ୍‌ପଚର୍‌ (ବର୍ଜ୍ୟବସ୍ତୁରୁ ସୃଷ୍ଟ କଳାକୃତି) ସୃଷ୍ଟି କରିପାରିଛି ବ୍ରହ୍ମପୁର ଆଇଟିଆଇ। ଏହାର ଓପନ୍‌ ଏୟାର୍ ସ୍କ୍ରାପ୍ ମ୍ୟୁଜିୟମ୍ କେବଳ ଯେ ଏସିଆ ମହାଦେଶରେ ସର୍ବବୃହତ୍ ମାନ୍ୟତା ପାଇଛି ତା ନୁହେଁ, ଏଥିସହ ଏସିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛି। ସମ୍ମାନଜନକ ସ୍କଚ୍ ଆୱାର୍ଡ ପ୍ରାପ୍ତ କରିଛି। ଏହି କାରଣରୁ ୨୦୧୯ରେ ରାଜ୍ୟ ସରକାରଙ୍କ ଦ୍ବାରା ମଧ୍ୟ ପୁରସ୍କୃତ ହୋଇଥିଲା ବ୍ରହ୍ମପୁର ଆଇଟିଆଇ।
ପୁରସ୍କାର ଘୋଷଣା ଅବସରରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ମଧ୍ୟ ରାଜ୍ୟ ସରକାରଙ୍କ ଶିଳ୍ପ ଶିକ୍ଷା ଓ ବ୍ରହ୍ମପୁର ଆଇଟିଆଇର ଏହି କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଛନ୍ତି। ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ କହିଛନ୍ତି ଯେ- ଅତିରିକ୍ତ ଭିତ୍ତିଭୂମି କିମ୍ବା ଅତିରିକ୍ତ ବିନିଯୋଗ ବିନା ସ୍ଥାନୀୟସ୍ତରରେ ଉପଲବ୍ଧ ଧାତବ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ବେଳେ ନିଆରା କୌଶଳ ପ୍ରୟୋଗ କରି ଆବର୍ଜନାର ପୁନଃଚକ୍ରଣରୁ ନୂଆ ନୂଆ ଜିନିଷ ସୃଷ୍ଟି କରାଯାଇ ଆସୁଛି। ସେହି ଉତ୍ପାଦକୁ ବଜାରରେ ଭଲ ଦରରେ ବିକ୍ରି କରିହୁଏ ଓ ଆକର୍ଷଣୀୟ ସାଜସଜ୍ଜାରେ ମଧ୍ୟ ବ୍ୟବହାର କରିହୁଏ।
ଜାତୀୟସ୍ତରରେ ବ୍ରହ୍ମପୁର ସରକାରୀ ଆଇଟିଆଇର ଏହି ପଦ୍ଧତିକୁ ଗ୍ରହଣ କରାଗଲାଣି। ବ୍ରହ୍ମପୁର ଆଇଟିଆଇ ଏହି କୌଶଳ ବାବଦରେ ରାଜ୍ୟର ୪୯ଟି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନକୁ ପ୍ରଶିକ୍ଷଣ ଦେଇଛି। ଦେଶର ସମସ୍ତ ୧୪ ହଜାର ଆଇଟିଆଇକୁ ପ୍ରଶିକ୍ଷିତ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ- ରାଜ୍ୟ ସରକାରଙ୍କ ନୀତି ଓ ଯୋଜନାକୁ ବ୍ରହ୍ମପୁର ସରକାରୀ ଆଇଟିଆଇରେ ବହୁଳ ମାତ୍ରାରେ କାର୍ଯ୍ୟକାରୀ କରାଯାଇ ପାରୁଛି। ଚଳିତ ବର୍ଷ ୩୩ ପ୍ରତିଶତ ଛାତ୍ରୀଙ୍କ ଆଡ୍‌ମିଶନ୍ କରାଯାଇଛି। ଜାତୀୟସ୍ତରର ସ୍କିଲ୍‌ କମ୍ପିଟିସନ୍‌ରେ ଏହି ଆଇଟିଆଇ ସମେତ ରାଜ୍ୟର ବିଭିନ୍ନ ଶିଳ୍ପ ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀମାନେ ଉତ୍ତମ ପ୍ରଦର୍ଶନ କରି ଆସୁଛନ୍ତି। ସରକାରଙ୍କ ବିଭିନ୍ନ ଶିଳ୍ପ ତାଲିମ ସ୍କିମ୍ ସବୁକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଯାଇ ଏହି ଆଇଟିଆଇ ଦ୍ବାରା ପ୍ରତିବର୍ଷ ଶହ ଶହ ଯୁବ ପ୍ରତିଭାଙ୍କୁ ଆୟ ଉପାର୍ଜନ ବା ନିଯୁକ୍ତିର ମାଧ୍ୟମ ଯୋଗାଇ ଦିଆଯାଇ ପାରୁଛି। ସେଥିପାଇଁ ତ ରାଜ୍ୟ ସରକାରଙ୍କ ଉତ୍ତମ ଶିକ୍ଷା ଓ ବୈଷୟିକ ପ୍ରଶିକ୍ଷଣର ଏକ ଉତ୍କୃଷ୍ଟ ଉଦାହରଣ ପାଲଟିଛି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ।

Leave A Reply

Your email address will not be published.