ଓଡ଼ିଶା ଦିବସ ପାଳନ ପ୍ରସ୍ତୁତି

0 75

ଭୁବନେଶ୍ୱର ୩୦.୩ : ଏଥର ଜାକଜମକରେ ପାଳନ ହେବ ଓଡ଼ିଶା ଦିବସ । ଗାଁରୁ ସହର ସବୁଠି ଉତ୍ସବ ମୁଖରିତ ହେବ । ରଙ୍ଗବେରଙ୍ଗର ଆଲୋକମାଳା, ସାଜସଜ୍ଜା ସାଙ୍ଗକୁ ଦେଶାତ୍ମବୋଧକ ସଙ୍ଗୀତ ଓ ଆକର୍ଷଣୀୟ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ସାରା ଓଡ଼ିଶାରେ ଗୋଟିଏ ସମୟ ସନ୍ଧ୍ୟା ୬ଟାରେ ଶୁଭିବ ବନ୍ଦେ ଉତ୍କଳ ଜନନୀ । ସମସ୍ତେ ଏକ ମନ, ପ୍ରାଣ ହୋଇ ଉତ୍କଳ ମାତାର ବନ୍ଦନା କରିବେ । ମଙ୍ଗଳବାର ଅପରାହ୍‌ଣରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ସଂସ୍କୃତି ବିଭାଗ ତରଫରୁ ଅନୁଷ୍ଠିତ ଆଭାସୀରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଏପ୍ରିଲ୍‌ ୧ରେ ଓଡ଼ିଶା ଦିବସକୁ ସାରା ରାଜ୍ୟରେ ଆକର୍ଷଣୀୟ ଭାବରେ ପାଳନ ନିମନ୍ତେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଦିନ ରାଜ୍ୟସ୍ତରୀୟ ଉତ୍ସବ ପ୍ରଦର୍ଶନୀ ପଡ଼ିଆରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ । ଏହି ସମୟରେ ଉପଖଣ୍ଡସ୍ତରୀୟ, ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଉତ୍ସବରେ ପ୍ରାରମ୍ଭିକ ସଭା ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯିବ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଭର୍ଚୁଆଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସଭାପତିତ୍ୱ କରିବେ । ସଂସ୍କୃତି ମନ୍ତ୍ରୀ ଓ ଭୁବନେଶ୍ୱରର ତିନି ବିଧାୟକ ଅତିଥି ଭାବେ ଯୋଗଦେବେ । ଏହି ଅବସରରେ ଚିକିତ୍ସା ସେବା କ୍ଷେତ୍ରରେ ୧୦ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯିବ । ସାଧାରଣ ସଭା ପରେ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବ । ଶେଷରେ ଓଡ଼ିଶୀ ନୃତ୍ୟ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ହେବ । ଏହି ଅବସରରେ ପ୍ରଦର୍ଶନୀ ପଡ଼ିଆରେ ପୂର୍ବାହ୍ଣ ସାଢ଼େ ୧୦ଟାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦର୍ଶିତ ବାଲୁକା କଳାକୃତିକୁ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍‌ଘାଟନ କରିବେ । ବିଏମ୍‌ସି ଅଧୀନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସଂସ୍କୃତି ବିଭାଗ ଦ୍ୱାରା ମାଲ୍ୟାର୍ପଣ କରାଯିବ । ଲୋକସେବା ଭବନର ପ୍ରବେଶ କକ୍ଷରେ ଥିବା ବରପୁତ୍ରମାନଙ୍କ ତୈଳଚିତ୍ରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମାଲ୍ୟାର୍ପଣ କରାଯିବ । ଲୋକସେବା ଭବନ ସମେତ ବିଭିନ୍ନ ସରକାରୀ କୋଠାବାଡ଼ିଗୁଡ଼ିକୁ ଆଲୋକମାଳାରେ ସଜ୍ଜୀକରଣ କରାଯିବ । ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିମାନେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କୋଲକାତାରେ ହେବାକୁ ଥିବା ଓଡ଼ିଶା ଦିବସ ଉତ୍ସବରେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗଦେବେ । ନୂଆଦିଲ୍ଲୀ ଉତ୍ସବରେ ପ୍ରମୁଖ ଆବାସିକ ଆୟୁକ୍ତ ଯୋଗଦେବେ । ଏତଦ୍‌ ବ୍ୟତୀତ ଉପଖଣ୍ଡସ୍ତରରେ ମଧ୍ୟ ଓଡ଼ିଶା ଦିବସ ପାଳନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶାବଳୀ ପ୍ରେରଣ କରାଯାଇଛି । କରୋନା କଟକଣା କୋହଳ ପରେ ଚଳିତ ବର୍ଷ ଓଡ଼ିଶା ଦିସବକୁ ଆକର୍ଷଣୀୟ ଢଙ୍ଗରେ ପାଳିବାକୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ବୈଠକ ଆଧାରରେ ଆଜି ବୈଠକ ବସିଥିଲା । ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନ କରିଥିଲେ ।

Leave A Reply

Your email address will not be published.