ସାଇବର ସୁରକ୍ଷା ଅପରେସନ୍ ସେଂଟରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0 72

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଂଟର (ଓକାକ୍) ଠାରେ ଅତ୍ୟାଧୁନିକ ସାଇବର ସୁରକ୍ଷା ଅପରେସନ୍ ସେଂଟର (ସିଏସଓସି)ର ଉଦଘାଟନ କରିଛନ୍ତି । ଏହି କେନ୍ଦ୍ର ରାଜ୍ୟର ତଥ୍ୟକୁ ସୁରକ୍ଷା ପ୍ରଦାନ କରିବା ସହ ଆପ୍ଲିକେସନ୍ ଏବଂ ଆଇସିଟି ଭିତିଭୂମି ବିପଦରୁ ରକ୍ଷା କରିବ । ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଏବଂ ଓକାକ୍ ଦ୍ୱାରା ଏହି ସିଏସଓସି ସ୍ଥାପିତ ହୋଇଛି । ଏହି ବ୍ୟବସ୍ଥା ସଂପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଏହା ହ୍ୟାକର୍ ମାନଙ୍କ ଠାରୁ ସରକାରୀ ସୂଚନା ଏବଂ ତଥ୍ୟକୁ ସୁରକ୍ଷିତ ରଖିବ । ୬ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇପାରିଛି । ସାଇବର ସିକ୍ୟୁରିଟି ଅପରେସନ୍ ସେଂଟର ଦ୍ୱାରା ଡାଟା ସୁରକ୍ଷା ସମ୍ବନ୍ଧୀୟ ଲଗ୍ ସଂଗ୍ରହ କରାଯାଇ ତାହାର ସଠିକ୍ ବିଶ୍ଳେଷଣ କରାଯିବ । ଏହାସହ ବିପଦପୂର୍ଣ୍ଣ ଆଇପି ଆଡ୍ରେସ୍ ଚିହ୍ନଟ ଓ ଏହାଦ୍ୱାରା ଅନାଧିକାର ପ୍ରବେଶ ତଥା ସାଇବର ଆକ୍ରମଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ । ରାଜ୍ୟର ସମସ୍ତ ୱେବସାଇଟ୍ ସୁରକ୍ଷା ସମ୍ବନ୍ଧୀୟ ବିପଦଗୁଡିକର ସଠିକ୍ ଆକଳନ କରାଯିବ । ହ୍ୟାକରମାନଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କୀତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ଏବଂ ୱେବସାଇଟ୍ ବ୍ୟବହାରକାରୀଙ୍କ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଉପଦେଶାବଳୀ ଇତ୍ୟାଦି ଉପଲବ୍ଧ କରାଯିବ । ଭବିଷ୍ୟତରେ ଏଥିରେ ଅନେକ ଗୁଡିଏ ସୂଚନା ପ୍ରଯୁକ୍ତି ପ୍ରକଳ୍ପ ଏକୀଭୂତ ହୋଇପାରିବ । ଏହାର ବୈଶିଷ୍ଟ୍ୟ ଯଥା ବଗ୍ ବାଉଂଟି, ସମ୍ଭାବ୍ୟ ବିପତିର ସମୟଉପଯୋଗୀ ସୂଚନା, ସ୍ୱୟଂସମ୍ପୂର୍ଣ୍ଣ ମାନର ଭିତିଭୂମି ଇତ୍ୟାଦି ସାଇବର ସିକ୍ୟୁରିଟି ଅପରେସନ୍ ସେଂଟରକୁ ଦେଶରେ ସରକାରୀ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସୀତ ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିଆନ୍ ଓ ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.