ନବବଧୂକୁ ହତ୍ୟା ଅଭିଯୋଗ ||

0 69

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପାଦରୁ ଅଳତା ନ ଲିଭୁଣୁ ନବ ବିବାହିତାଙ୍କ ସ୍ଵାମୀ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତକଙ୍କ ସ୍ଵାମୀଙ୍କୁ ପୋଲିସ ଥାନାରେ ଅଟକ ପଚରାଉଚରା କରୁଥିବା ଜଣାପଡିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡି ଗ୍ରାମର ଦୀପକ କୁମାର ବେହେରା ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡି ଗ୍ରାମର ପିଙ୍କି ରାଉତଙ୍କୁ ଗତ ୩ ମାସ ତଳେ ପ୍ରେମ ବିବାହ କରିଥିଲେ । ମାତ୍ର କିଛି ଦିନ ପରେ ପିଙ୍କିଙ୍କ ଉପରେ ସ୍ଵାମୀ ଦୀପକ ଅତ୍ୟାଚାର ଆରମ୍ଭ କରିଥିବା ଅଭିଯୋଗ ହେଉଥିଲା । ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇଥିଲା । ଗତକାଲି ରାତିରେ ନବବଧୂର ମୃତଦେହ ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏ ନେଇ ମୃତକଙ୍କ ଭାଉଜ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ପରେ ସ୍ଵାମୀ ଦୀପକକୁ ପୋଲିସ ଅଟକ ରଖିଛି ।
ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଦୀପକ କୌଣସି କାମ ଧନ୍ଦା ନକରି ଗାଁରେ ଜୁଆ ଖେଳି ଆସୁଥିଲା । ଫଳରେ ସ୍ତ୍ରୀର ଥିବା ସୁନାଗହଣା ବିକା ଭଙ୍ଗା କରି ଖର୍ଚ୍ଚ କରୁଥିଲା । ତେଣୁ ପରିବାର ଭିତରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା । ଗତ ୩ ଦିନ ତଳେ ଘରୁ ଏକ ମୋବାଇଲ ଫୋନ୍ ବନ୍ଧା ପକାଇବାକୁ ନେଇ ଘରେ ତୁମୁଳ ସଂଘର୍ଷ ଲାଗିଥିବାର ଶୁଣିବାକୁ ମିଳିଥିଲା । ତେଣୁ ଏହି କାରଣରୁ ଗତକାଲି ଏଭଳି ଅଘଟଣ ଘଟିଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସର ଅନୁସନ୍ଧାନ ପରେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିବ ବୋଲି କୁହାଯାଉଛି ।

Leave A Reply

Your email address will not be published.