ରାଜ୍ୟଗୋଷ୍ଠୀ ହକି ଦଳରେ ଅମିତ ଏକମାତ୍ର ଓଡ଼ିଆ

0 65

ନୂଆଦିଲ୍ଲୀ,୨୧ା୬: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ହକି ଇଣ୍ଡିଆ ସୋମବାର ୧୮ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି । ମନପ୍ରୀତ ସିଂହ ଅଧିନାୟକ ପଦକୁ ଫେରିଥିଲା ବେଳେ ହର୍ମନପ୍ରୀତ ସିଂହ ଉପଅଧିନାୟକ ନିଯୁକ୍‌ତ ହୋଇଛନ୍ତି । ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର କେତେକ ମ୍ୟାଚ୍‌ରେ ଅଧିନାୟକ ନିଯୁକ୍ତ ହୋଇଥିବା ଅମିତଙ୍କଠାରୁ ଏବେ ଅଧିନାୟକ ପଦ କାଢ଼ି ନିଆଯାଇଛି । ସୂଚନାଯୋଗ୍ୟ ଯେ ଭାରତ ଏହି ପ୍ରତିଯୋଗିତାରେ ଇଂଲଣ୍ଡ, କାନାଡା, ୱେଲ୍ସ ଓ ଘାନା ସହ ପୁଲ୍‌-ବି\’ରେ ସ୍ଥାନ ପାଇଛି । ଭାରତୀୟ ଦଳ ତାର ଅଭିଯାନ ଜୁଲାଇ ୩୧ ତାରିଖରେ ଘାନା ବିପକ୍ଷରେm ଆରମ୍ଭ କରିବ । ଅଭିଜ୍ଞ ଗୋଲ୍‌ରକ୍ଷକ ପିଆର ଶ୍ରୀଜେଶ ଦଳରେ ସ୍ଥାନ ବଜାୟ ରଖିଥିଲା ବେଳେ ଅନ୍ୟତମ ଗୋଲ୍ ରକ୍ଷକ କ୍ରିଷନ୍ ବାହାଦୂର ପାଠକ ସଂପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି । ଆହତ ହୋଇ ଭାରତର ବିଗତ କିଛି ମ୍ୟାଚ୍‌ରୁ ବାଦ ପଡ଼ିଥିଲେ ସେ । ଅଷ୍ଟ୍ରେଲିଆର ଗୋଲ୍‌କୋଷ୍ଟରେ ଆୟୋଜିତ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ତେବେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ପଦକ ଜିତିବା ସହ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ବର୍ମିଂହାମରେ ଭଲ କରିବ ବୋଲି ପ୍ରଶିକ୍ଷକ ଗ୍ରାହାମ ରିଡ୍ ଦୃଢ଼ ଆଶା ପୋଷଣ କରିଛନ୍ତି । ଦଳ ଘୋଷଣା ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଆମେ ଏକ ଶକ୍‌ତିଶାଳୀ ଦଳ ଘୋଷଣା କରିଛୁ । ଏଥିରେ ଥିବା ଖେଳାଳିମାନେ ନିଜ ଦକ୍ଷତା ଏବଂ ରଣକୌଶଳର ପରୀକ୍ଷା ପୂର୍ବରୁ ଦେଇସାରିଛନ୍ତି ଏବଂ ଏଥିରେ ସଫଳ ବି ହୋଇଛନ୍ତି । ଖେଳାଳିମାନଙ୍କର ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ବହୁ ଶକ୍ତିଶାଳୀ ପ୍ରତିପକ୍ଷ ବିପକ୍ଷରେ ଖେଳିବାର ଅଭିଜ୍ଞତା ରହିଛି । ଆଗାମୀ ସମୟରେ ବେଙ୍ଗାଲୁରୁସ୍ଥିତ ସାଇ (ଭାରତୀୟ ପ୍ରାଧିକରଣ) କେନ୍ଦ୍ରଠାରେ ଆମର ପ୍ରଶିକ୍ଷଣ ଶିବିର ଆୟୋଜନ ହେବ । ଏଥିରେ ଆମେ ବେଲିଜିୟମ ଏବଂ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ରେ କରିଥିବା ପ୍ରଦର୍ଶନର ଅନୁଶୀଳନ କରିବୁ । ଭାରତୀୟ ଦଳ: ଗୋଲ୍‌ରକ୍ଷକ-ପିଆର ଶ୍ରୀଜେସ୍‌, କ୍ରିଷନ୍‌ ବାହାଦୂର ପାଠକ । ରକ୍ଷଣଭାଗ-ବରୁଣ କୁମାର, ହର୍ମନପ୍ରୀତ ସିଂହ (ଉପଅଧିନାୟକ), ଅମିତ ରୋହିଦାସ, ଜୁଗରାଜ ସିଂହ, ଜର୍ମନପ୍ରୀତ ସିଂହ । ମଧ୍ୟଭାଗ-ମନପ୍ରୀତ ସିଂହ (ଅଧିନାୟକ), ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ସମସେର ସିଂହ, ଆକାଶଦୀପ ସିଂହ, ନୀଳକାନ୍ତ ଶର୍ମା । ଅଗ୍ରଭାଗ-ମନଦୀପ ସିଂହ, ଗୁରଜାନ୍ତ ସିଂହ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ । ପଞ୍ଚ ରାଷ୍ଟ୍ରୀୟ କନିଷ୍ଠ ମହିଳା ହକି: ଆୟର୍ଲାଣ୍ଡକୁ ୪-୧ରେ ହରାଇଲା ଭାରତ ଡବଲିନ୍‌: ଆୟର୍ଲାଣ୍ଡର ଡବଲିନ୍‌ଠାରେ ଆରମ୍ଭ ହୋଇଥିବା ପଞ୍ଚ ରାଷ୍ଟ୍ରୀୟ କନିଷ୍ଠ ହକି ପ୍ରତିଯୋଗିତାରେ ଭାରତ ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମୁକାବିଲାରେ ଭାରତୀୟ ଦଳ ୪-୧ରେ ଆୟୋଜକ ଆୟର୍ଲାଣ୍ଡକୁ ହରାଇ ଆତ୍ମବିଶ୍ୱାସ ବଢ଼ାଇଛି । ଭାରତ ପକ୍ଷରୁ ଅନୁ ଦ୍ୱାଦଶ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିଲା ବେଳେ ଦୀପିକା ସୋରେଙ୍ଗ (୨୫ ମିନିଟ୍‌), ମୋନିକା ଦୀପି ଟପ୍ପୋ (୪୫ ମିନିଟ୍‌) ଏବଂ ବିୟୁଟି ଡୁଙ୍ଗଡୁଙ୍ଗ (୪୭ ମିନିଟ୍‌) ଗୋଲ୍‌ ଦେଇଥିଲେ । ପ୍ରତିପକ୍ଷ ଆୟର୍ଲାଣ୍ଡ ପକ୍ଷରୁ ଏକମାତ୍ର ଗୋଲ୍‌ ମିକାୟେଲା ପାୱାର (୧୯) ଅର୍ଜନ କରିଥିଲେ । ଭାରତ ତାର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ଭେଟିବ ।

Leave A Reply

Your email address will not be published.