ପାରାଦୀପ,୨୪/୬(ଡିକେ ନ୍ୟୁଜ): ବନ୍ଦର ଓ ଶିଳ୍ପ ସହର ପାରାଦୀପରେ ଜିଓ ମୋବାଇଲ୍ ସେବା ଦୀର୍ଘ ଦିନ ହେବ ବିପର୍ଯ୍ୟସ୍ତ ହୋଇପଡିଛି । ଏହାର ପ୍ରଭାବରେ ପାରାଦୀପର ଜିଓ ଉପଭୋକ୍ତା ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ଦେଶର ଅଗ୍ରଣୀ ଏହି ମୋବାଇଲ୍ ସେବା ଯୋଗାଣକାରୀ ସଂସ୍ଥା ଗ୍ରାହକଙ୍କୁ ଦିନରେ ଲଣ୍ଠନ ଦେଖାଇ ଅର୍ଥ ରୋଜଗାର କରିବାରେ ବ୍ୟସ୍ତ । ମହାମାରୀ କରୋନା ସମୟରେ ଦେଶର ପ୍ରାୟ ସମସ୍ତ ଶିଳ୍ପ ସଂସ୍ଥା ତଥା ବିଭିନ୍ନ ସେବା ଯୋଗାଣକାରୀ ସଂସ୍ଥାମାନେ ଆର୍ଥିକ ମାନ୍ଦାବସ୍ଥା ଦେଇ ଚାଲିଥିବା ବେଳେ ମେବାଇଲ୍ ଇଣ୍ଟରନେଟ୍ ସେବା ଯୋଗାଣକାରୀ ସଂସ୍ଥା ଜିଓ କିନ୍ତୁ ମାଲାମାଲ୍ ହୋଇଥିବା ଦେଶର ବିଭିନ୍ନ ଅର୍ଥନୈତିକ ସର୍ବେକ୍ଷଣ ସଂସ୍ଥାମାନେ ରିପୋର୍ଟ ଦେଇଥିଲେ । ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ପାରାଦୀପର ବିଭିନ୍ନ ଛକ ବଜାରମାନଙ୍କରେ ଲୋକମାନଙ୍କୁ ପ୍ରଲୋଭିତ କରି ଜିଓର କର୍ମଚାରୀମାନେ ଜିଓ ସିମ୍ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ବିଶେଷ ଭାବେ ପାରାଦୀପ ନିକଟସ୍ଥ ଷଣ୍ଢକୁଦ ବସ୍ତିର ଲୋକମାନଙ୍କୁ ଜିଓ କମ୍ପାନୀ ଚୂନା ଲଗେଇ ଚାଲିଛି । ପାରାଦୀପ ସହରର କୌଣସି ବି ସ୍ଥାନରେ ଜିଓର ନେଟଓାର୍କ ଆସୁନଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଜିଓର ସେବା ଗ୍ରହଣ କରି ବହୁ ଅଫିସମାନଙ୍କରେ କାର୍ଯ୍ୟ ଚାଲିଥାଏ । ହେଲେ ଜିଓର ବିପର୍ଯ୍ୟସ୍ତ ସେବା ଯୋଗୁଁ ପ୍ରାୟତଃ ବହୁ ଅଫିସ କାର୍ଯ୍ୟରେ ବିଘ୍ନ ଘଟୁଛି । ଜାହାଜ ଏଜେଣ୍ଟ, ଷ୍ଟିଭେଡୋର୍ସ ସଂସ୍ଥା, ପରିବହନକାରୀ ସଂସ୍ଥାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଇଣ୍ଟରନେଟ୍ ମାଧ୍ୟମରେ ଚାଲିଥାଏ । ହେଲେ ଗୋଟିଏ ଗୋଟିଏ ଡକୁମେଣ୍ଟ ଡାଉନଲୋଡ୍ ହେବାକୁ ଘଣ୍ଟାଘଣ୍ଟା ସମୟ ଲାଗୁଛି । ଫଳରେ ବନ୍ଦରରେ ସେମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଠିକ୍ ସମୟରେ ହୋଇ ପାରୁ ନଥିବାରୁ ପରିଚାଳନା କାର୍ଯ୍ୟରେ ବିଘ୍ନ ଘଟୁଛି । ପାରାଦୀପରେ ଏକ ଅତ୍ୟାଧୁନିକ କାର୍ଯ୍ୟାଳୟ ଖୋଲି ଏହାର କର୍ମଚାରୀମାନେ ସହରରେ ନେଟଓାର୍କର ସ୍ଥିତି କିଭଳି ଅଛି ତାହାରବି ସମୀକ୍ଷା କରୁନାହାନ୍ତି । ଅପରପକ୍ଷେ କମ୍ପାନୀର କିଭଳି ଲାଭ ଅଧିକ ହେବ ସେ ସମ୍ପର୍କରେ ଚିନ୍ତା କରୁଛନ୍ତି । ପାରାଦୀପ ବନ୍ଦର ଦେଶର ଅଗ୍ରଣୀ ବନ୍ଦର ହୋଇଥିବା ବେଳେ ଏଠାରେ ଇଣ୍ଟରନେଟ୍ ସେବାର ବିକଳ ଚିତ୍ର ସମସ୍ତଙ୍କୁ ବିସ୍ମୟ କରିଛି ଗ୍ରାହକମାନଙ୍କୁ ସବୁଠୁଁ ନିମ୍ନମାନର ସେବା ଯୋଗାଇ ଦେଇ କମ୍ପାନୀ ମାଲାମାଲ ଗ୍ରାହକ ବେହାଲ ହେଉଥିବା ଦେଖିବାକୁ ମିଳୁଛି । ଦେଶରେ ସବୁଠୁଁ ଅଧିକ ଗ୍ରାହକମାନଙ୍କୁ ଆକର୍ଷିତ କରି ନିଜ ଆଡକୁ ଟାଣି ଆଣିବାରେ ସଫଳ ହେବା ପରେ ଉତ୍କୃଷ୍ଟମାନର ସେବା ଯୋଗାଇ ଦେବା ବଦଳରେ ଜିଓ ନିକୃଷ୍ଟମାନର ସେବା ଦେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । କମ୍ପାନୀ ତାର ଏପରି ମନମାନି ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି ।