ବେଜିଂ ,୨୪/୬: ଋଷ ଓ ୟୁକ୍ରେନ ପରେ ଏବେ ସାରା ବିଶ୍ୱର ଚିନ୍ତା ଚୀନ୍ ଓ ତାଇୱାନକୁ ନେଇ । କେଉଁ ମୁହୂର୍ତ୍ତରେ ତାଇୱାନ ଉପରେ ଚୀନ୍ ଆକ୍ରମଣ କରିବ, ସେନେଇ ବଢ଼ୁଛି ଆଶଙ୍କା । ବୈଦେଶିକ ବିଶେଷଜ୍ଞମାନଙ୍କ କହିବା କଥା ହେଲା, ଯଦି ତାଇୱାନ ଉପରେ ଚୀନ୍ ଆକ୍ରମଣ କରେ ତେବେ ଏହି ଯୁଦ୍ଧ ବିଶ୍ୱ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିବ । ଚୀନ୍ ପୁଣିଥରେ ୨୯ଟି ଯୁଦ୍ଧ ବିମାନକୁ ତାଇୱାନ ପଠାଇଛି । ଚୀନ୍ ନିଜେ ତାଇୱାନର ଅଞ୍ଚଳକୁ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍ ଜୋନ୍ ଭାବରେ ଘୋଷଣା କରିଛି । ଚାଇନାର ଯୁଦ୍ଧ ବିମାନ ତାଇୱାନର ଆକାଶରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଚୀନ୍ର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତାଇୱାନକୁ ବହୁ ସଂଖ୍ୟକ ଯୁଦ୍ଧ ବିମାନ ପଠାଇବା । ଚୀନ୍ର ଏହି କାର୍ଯ୍ୟ ସମଗ୍ର ତାଇୱାନକୁ ମାଟିରେ ମିଶାଇ ଦେଇପାରେ ବୋଲି କୁହନ୍ତି ବିଶେଷଜ୍ଞ । ସେପଟେ କିନ୍ତୁ ତାଇୱାନ ଦାବୀ କରିଛି ଯେ, ସେ ଚାଇନାର ଯୁଦ୍ଧ ବିମାନକୁ ତା ଆକାଶମାର୍ଗରୁ ହଟାଇଦେଇଛି । ତାଇୱାନ ଉପରେ ଚୀନ୍ ଆକ୍ରମଣ କରିପାରେ ବୋଲି ଆମେରିକା ଅନେକ ଥର କହିଥିବା ବେଳେ ଏହାକୁ ନେଇ ଏବେ ପୁଣି ଆଶଙ୍କା ବଢ଼ିପାରେ । ଆମେରିକା ମଧ୍ୟ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛି ଯେ, ଯଦି ଚୀନ୍ ତାଇୱାନ ଉପରେ ଆକ୍ରମଣ କରେ ତେବେ ସେ ତାଇୱାନକୁ ସାହାଯ୍ୟ କରିବାକୁ ସୈନ୍ୟ ପଠାଇବ । ସେପଟେ ଚୀନ୍ର ଜଣେ ମାନବାଧିକାର କର୍ମୀ ଦାବି କରିଛନ୍ତି ଯେ ଚୀନ୍ର ଗୁପ୍ତ ଯୋଜନାର ଏକ ଅଡିଓ କ୍ଲିପ୍ ଲିକ୍ ହୋଇଯାଇଛି । ୫୭ ମିନିଟର ଏକ ଅଡିଓ କ୍ଲିପରେ ତାଇୱାନ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଚୀନ୍ର ବରିଷ୍ଠ ଅଧିକାରୀ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ଏହି ଅଡିଓ ସାମ୍ନାକୁ ଆସିବା ପରେ ଚୀନ୍ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି । କୁହାଯାଉଛି ଯେ ପ୍ରଥମ ଥର ପାଇଁ ଚୀନ୍ର ଏକ ଯୋଜନା ଲିକ୍ ହୋଇଛି ।