ଉତ୍କଳର ବରପୁତ୍ରୀ ଦ୍ରୌପଦୀ ମୁମ

0 72

ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ, ସ୍ୱନାମଧନ୍ୟା ନେତ୍ରୀ ତଥା ଉତ୍କଳର ବରପୁତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ମାତ୍ର କେତେ ଦିନ ପରେ ସେ ଭାରତର ରାଷ୍ଟ୍ରପତି ହେବା ସୁନିଶ୍ଚିତ । ଭାରତୀୟ ଗଣରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରିବାରେ ସେ ହେବେ ଭାରତର ପ୍ରଥମ ଆଦିବାସୀ ଏବଂ ପ୍ରଥମ ଆଦିବାସୀ ମହିଳା ତଥା ପ୍ରଥମ ଓଡ଼ିଆ ନେତ୍ରୀ । ଓଡ଼ିଶାର ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ବୈଦାପୋଷିରେ ଜନ୍ମିତା ଶ୍ରୀମତୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ଦ୍ୱାରା ଯେ ଭାରତୀୟ ଗଣତନ୍ତ୍ରର ମୂଳଦୁଆ ସୁଦୃଢ଼ ବୋଲି ପ୍ରମାଣିତ ହେଉଛି, ଏଥିରେ ସନ୍ଦେହ ନାହିଁ । ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମଙ୍କ ନାମ ଘୋଷଣା ହେବାପରେ ମୟୂରଭଞ୍ଜ ରାଜନୀତିରେ ଏକ ନୂଆ ଅଧ୍ୟାୟଯୋଡ଼ି ହୋଇଯାଇଛି । ବିଶେଷକରି, ସ୍ୱାଧୀନତା ପରବର୍ତ୍ତୀକାଳରେ ରାଜନୈତିକ କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜନେତା ମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ଶୀର୍ଷରେପହଞ୍ଚଛି । ରାଜନୀତିରେ ଅନେକ ଅଭିଜ୍ଞତା ରଖିଥିବା ଦ୍ରୌପଦୀଙ୍କୁ ୨୦୧୫ ମସିହା ମେ ୧୮ ତାରିଖରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା । ୨୦୨୧ ମସିହା ଜୁଲାଇ ୬ ପର୍ଯ୍ୟନ୍ତ ସେ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । କାର୍ଯ୍ୟକାଳ ସରିବା ପରେ ଶ୍ରୀମତୀ ମୁର୍ମୁ ୨୦୨୧ ମସିହା ଜୁଲାଇ ୧୨ ତାରିଖରେ ନିଜ ଘର ରାଇରଙ୍ଗପୁର ମହୁଲଡିହାକୁ ଫେରିଥିଲେ । ସେଠାରେ ସେ ସାନଭାଇ ତରଣୀସେନ ଟୁଡୁ ଓ ଭାଉଜ ସାକ୍ରମଣି ଟୁଡୁଙ୍କ ସହ ସାଧାରଣ ଜୀବନ ଅତିବାହିତ କରୁଥିଲେ । ଏମିତିରେ ସାଧାସିଧା, ସରଳ ଜୀବନ ତାଙ୍କର ପସନ୍ଦ । ରାଜ୍ୟପାଳ ଭଳି ଏତେ ବଡ଼ ସାମ୍ବିଧାନିକ ପଦରେ ଥିଲେ ମଧ୍ୟ ତାଙ୍କ ପାଖରେ ଅହଙ୍କାର କିମ୍ବା କ୍ଷମତା ଲାଳସା କେବେ ଦେଖିବାକୁ ମିଳିନଥିଲା । ଏବେ ବି ସେ ସରଳ ଓ ଶାନ୍ତ ସ୍ୱଭାବରମୂର୍ତ୍ତିମନ୍ତ ପ୍ରତୀକଟିଏ । ଦ୍ରୌପଦୀ ମୁର୍ମୁଙ୍କ ପୁତ୍ର ବିୟୋଗର ଘଟଣା ପରେ ସେ ମାନସିକସ୍ତରରେ କିଛିଟା ବିଚଳିତ ହୋଇ ପଡ଼ିଥିଲେ । ଏଭଳି ସ୍ତିତିରେ ସେ ବ୍ରହ୍ମାକୁାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂପର୍କରେ ଆସିଥିଲେ ଏବଂ ନିୟମିତ ରାଜଯୋଗ ଅଭ୍ୟାସ ଆରମ୍ଭ କରିଥିଲେ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀ ଲାଗି ପ୍ରଥମ ଓଡ଼ିଆ ଭାବେ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ତେବେ ଭାରତର ରାଷ୍ଟ୍ରପତି ପଦବୀ କିନ୍ତୁ ପୂର୍ବରୁ ଓଡ଼ିଶାରୁ ଆଉ ଜଣେ ଆସୀନ ହୋଇଥିଲେ । ସେ ଥିଲେ ବରାହଗିରି ଭେଙ୍କଟ ଗିରି ବା ଭି.ଭି.ଗିରି । ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବରେ ସେ ୧୯୬୯ ମସିହା ଅଗଷ୍ଟ ୨୪ରୁ ୧୯୭୪ ମସିହା ଅଗଷ୍ଟ ୨୪ ପର୍ଯ୍ୟନ୍ତତ କାର୍ଯ୍ୟ ନିର୍ବାହ କରିଥିଲେ । ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁ ଅନେକ ସମୟରେ ଏହି କଥା କୁହନ୍ତି । ସେ ଜୀବନରେ କେବେ ରାଜନୀତି କରିବେ, ବିଧାୟକ ହେବେ – ମନ୍ତ୍ରୀ ହେବେ ବା ରାଜ୍ୟପାଳ ହେବେ ଏ କଥା ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଆଜି କିନ୍ତୁ ତାଙ୍କୁ ଦେଶ ରାଷ୍ଟ୍ରପତି ପଦରେ ବସାଇବାକୁ ନିଷ୍ପତ୍ତି କରିଛି । ୨୦୧୫ ମସିହା ମଇ ମାସ୧୮ ତାରିଖ ଦିନ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୧ ମସିହା ଜୁଲାଇ ମାସ ୧୪ ତାରିଖ ପର୍ଯ୍ୟନ୍ତ ସେହି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ ସେ ମଣ୍ଡନ କରିଥିଲେ । ସେ ଝାଡ଼ଖଣ୍ଡର କେବଳ ପ୍ରଥମ ମହିଳା ରାଜ୍ୟପାଳ ନଥିଲେ, ଲୋକଙ୍କ ରାଜ୍ୟପାଳ ଭାବପରେ ସେ ସମଗ୍ର ଝାଡ଼ଖଣ୍ଡ ରାଜ୍ୟରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ଗରିବ ଆଦିବାସୀ ପରିବାରରେ ତାଙ୍କର ଜନ୍ମ । ବାପା ପଞ୍ଚମ ଶ୍ରେଣୀଯାଏ ପାଠ ପଢ଼ିଥିଲେ, ମା କିନ୍ତୁ ସଂପୂର୍ଣ୍ଣ ନିରକ୍ଷର । ଦାରିଦ୍ର‌୍ୟ ଭିତରେ ବଡ଼ ହୋଇ ପାଠପଢ଼ି ଚାକିରି କରିବାର ସ୍ୱପ୍ନ ସେ ଦେଖିଥିଲେ । ସେହି ସ୍ୱପ୍ନ ତାଙ୍କୁ ରାଜଧାନୀ ଭୁବନେଶ୍ୱରକୁ ଟାଣି ଆଣିଥିଲା ଓ ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀଧାରୀ ହୋଇଥିଲେ । ପରେ ରାଜ୍ୟ ସଚିବାଳୟରେ କିରାଣୀ ଚାକିରି କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ ରହିଛି । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ସେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିପାରନ୍ତି । ଓଡ଼ିଶା ସରକାରରେ ମନ୍ତ୍ରୀ ହେବା ସମୟରେ ସେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସାକ୍ଷାତ କରି ସାନ୍ତାଳୀ ଭାଷାକୁ ସମ୍ବିଧାନଭୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ପରବର୍ତ୍ତୀ ସମୟରେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ ହୋଇଥିଲା । ତାଙ୍କଉଦ୍ୟମରେ ସାନ୍ତାଳୀ ଭାଷାରେ “ଚାନ୍ଦାମାମା’ ଶିଶୁ ପତ୍ରିକା ମଧ୍ୟ ପ୍ରକାଶ ପାଇଥିଲା । ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବାର ଶୁଭ ଲଗ୍ନକୁ ସାରା ଭାରତବାସୀଙ୍କର ଅପେକ୍ଷା ରହିଛି । ଓଡ଼ିଶାବାସୀଙ୍କ ଆନନ୍ଦ ଉଲ୍ଲାସର ସୀମା ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମତୀ ମୁର୍ମୁଙ୍କ ସକଳ କାର୍ଯ୍ୟରେ ଆଶିଷ ବୃଷ୍ଟି କରନ୍ତୁ, ଏହି କାମନା ।

Leave A Reply

Your email address will not be published.