ମହାରାଷ୍ଟ୍ରରେ ଘଡିକେ ଘୋଡା ଛୁଟୁଛ ହାଇ ଆଲର୍ଟରେ ପୋଲିସ

0 62

ମୁମ୍ବାଇ ୨୫/୬: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ସୃଷ୍ଟି ହୋଇଥିବା ରାଜନୈତିକ ଝଡ଼ ଏବେବି ଥମିନି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ପରସ୍ପର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଇତି ମଧ୍ୟରେ ଶୁକ୍ରବାର ମହାରାଷ୍ଟ୍ରର ସବୁ ପୋଲିସ ଥାନାକୁ ହାଇ ଆଲର୍ଟରେ ରଖିବା ଲାଗି ନିର୍ଦ୍ଦେଶ ଜାରି ହୋଇଛି । ଏଥିରେ ମୁମ୍ବାଇ ପୋଲିସ ପ୍ରଶାସନକୁ ଖାସ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଉପୁଜିଥିବା ପରିସ୍ଥିତିରେ ବହୁ ସଂଖ୍ୟାରେ ଶିବ ସୈନିକ ରାସ୍ତାକୁ ଓହ୍ଲାଇ ପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି । ଏଣୁ ରାଜ୍ୟରେ ଶାନ୍ତି ଭଙ୍ଗ ହେଉ ତା ପୂର୍ବରୁ ପୋଲିସକୁ ସତର୍କ କରି ଦିଆଯାଇଛି । ମହାରାଷ୍ଟ୍ରରେ ଜଣଜଣ କରି ଶିବସେନା ବିଧାୟକ ଉଦ୍ଧବ ଠାକରେଙ୍କ ସାଥ ଛାଡିବାରେ ଲାଗିଛନ୍ତି । ଅପରପଟେ ଗୌହାଟୀରେ ପହଞ୍ଚିଥିବା ଏକନାଥ ସିନ୍ଦେଙ୍କ ଟିମ୍ ବେଳକୁ ବେଳ ମଜଭୁତ ହେବାରେ ଲାଗିଛି । ମହାରାଷ୍ଟ୍ର ରାଜନୀତିରେ ଏବେବି ବାଘ ଛେଳି ଖେଳ ଜାରି ରହିଛି । ଜଣଜଣ କରି ବିଧାୟକ ଛାଡି ଚାଲିଯାଉଥିଲେ ବି ଶିବସେନା ମଜଭୁତ ଥିବା ଉଦ୍ଧବ ଦାବି କରୁଛନ୍ତି । ଏଥିରେ ୧୬ ବିଦ୍ରେହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଉପବାଚସ୍ପତିଙ୍କୁ ପତ୍ର ଲେଖା ଯାଇଥିବା ବେଳେ ଏକନାଥ ସିନ୍ଦେ ଗୌହାଟୀରେ ରହି ନିଜକୁ ବିଧାୟକ ଦଳ ନେତା ଦାବି କରୁଛନ୍ତି । ଉପୁଜିଥିବା ପରିସ୍ଥିତିରେ ଉଦ୍ଧବ ଠାକରେ ମାତୋଶ୍ରୀରେ ଏନସିପି ନେତା ଶରଦ ପାୱାରଙ୍କ ସହ ବୈଠକ କରୁଥିବା ବେଳେ ତାଙ୍କ ସମର୍ଥନରେ ଘର ଆଗରେ ଶହଶହ ଶିବ ସୈନିକ ଠୁଳ ହୋଇଛନ୍ତି । ସେପଟେ ଉଦ୍ଧବ ଓ ଶରଦ ପାୱାରଙ୍କ ବୈଠକରେ ନେତା ସଂଖ୍ୟାକୁ ନେଇ ସମୀକ୍ଷା ହେବ । ସେହି ଅନୁସାରେ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରାଯିବ । ତେବେ ଏନସିପି ସୂତ୍ର ଅନୁସାରେ ଅଧିକାଂଶ ବିଧାୟକ ଏକନାଥ ସିନ୍ଦେଙ୍କ ସହ ଚାଲି ଯାଇଛନ୍ତି । ପ୍ରତିମୂହୁର୍ତ୍ତରେ ସେମାନଙ୍କ ସଂଖ୍ୟା ବଢୁଥିବା ବେଳେ ମାମଲା ଯଦି ଆଗକୁ ଭିଡିହୋଇଯାଏ ତେବେ ଏମଭିଏକୁ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାକୁ ପଡିପାରେ । ଯାହା ଶିବସେନା ଲାଗି ଲଜ୍ଜାଜନକ ହେବ । ତେବେ ରାଜନୀତିରେ ଯାହା ହେଉଥିଲେ ବି ଏହାର ପ୍ରଭାବ ଏବେ ରାଜ୍ୟରେ ଲୋକଙ୍କ ଉପରେ ପଡିବା ଆରମ୍ଭ କଲାଣି । ବିଦ୍ରୋହୀ ବିଧାୟକଙ୍କୁ ନେଇ ଶିବ ସୈନିକଙ୍କ ମଧ୍ୟରେ ଏବେ ରୋଷ ଦେଖାଗଲାଣି । ଶୁକ୍ରବାର ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେ ଗୌହାଟୀ ପ୍ରସ୍ଥାନ କରିଥିଲେ । ଏଥିରେ ଅସନ୍ତୁଷ୍ଟ ଶିବ ସୈନିକମାନେ ମୁମ୍ବାଇରେ ଲାଗିଥିବା ତାଙ୍କ ପୋଷ୍ଟରରେ ପୋଡା ମୋବିଲ ଛାଟିଛନ୍ତି । ତେବେ ଏହା କେବଳ ମୁମ୍ୱାଇରେ ସୀମିତ ନାହିଁ । ବିଭିନ୍ନ ସ୍ଥାନରେ ଏବେ ଏଇଭଳି ଘଟଣାମାନ ବଢିବାରେ ଲାଗିଥିବା ବେଳେ କେଉଁ ମୂହୁର୍ତ୍ତରେ ଉଗ୍ର ହୋଇଯିବ ତାହା କଳ୍ପନା କରାଯାଇ ପାରୁନି । ଏଣୁ ସବୁ ଥାନା ଓ ପୋଲିସକୁ ଏଥିପ୍ରତି ସତର୍କ କରାଯାଇଛି ।

Leave A Reply

Your email address will not be published.