ବିଦେଶରେ ନବୀନଙ୍କ ସରକାରୀ କାମ

0 67

ରୋମ୍‌/ଭୁବନେଶ୍ୱର: ରୋମରୁ ହେଲା ଓଡ଼ିଶା କାମ । ଦୁନିଆର ଯେକୌଣସି ସ୍ଥାନରୁ ରହି କରାଯାଇପାରିବ ଦାୟିତ୍ୱ ସମ୍ପାଦନ, ଏହାର ବଡ଼ ଉଦାହରଣ ଆଜି ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ଗସ୍ତରେ ଥାଇ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିତିଦିନିଆ ଜରୁରି ସରକାରୀ କାମ ଜାରି ରଖିଛନ୍ତି । ଓଡ଼ିଶା ସରକାରଙ୍କ ଡିଜିଟାଲ ୱାର୍କ ପ୍ଲାଟଫର୍ମ ଓସ୍ୱାସ୍ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଆଉ ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ପ୍ରକାଶ କରିବା ସହ ବାସ୍‌ ଗୋଟିଏ କ୍ଲିକ୍‌ରେ, କିଛି କ୍ଷଣରେ ସମସ୍ତ କାର୍ଯ୍ୟ କରାଯାଇପାରୁଥିବାରୁ ଡିଜିଟାଲ ୱାର୍କ ପ୍ଲାଟଫର୍ମ ଓସ୍ୱାସକୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି \”ରୋମ୍‌ରେ ଥିବା କେତେକ କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ, କିଛି ଜରୁରି ସରକାରୀ କାମ ଶେଷ କରୁଛି । ଏଥିପାଇଁ ଆମ ଡିଜିଟାଲ ୱାର୍କ ପ୍ଲାଟ୍‌ଫର୍ମ ଓସ୍ୱାସ୍‌କୁ ଧନ୍ୟବାଦ ଦେବି । ପ୍ରକୃତରେ ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତ । ସୂଚନାଯୋଗ୍ୟ ଯେ ଓସ୍ୱାସ୍ ବା ଓଡ଼ିଶା ସେକ୍ରେଟାରିଏଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ ବା ଓଡ଼ିଶା ସଚିବାଳୟ କାର୍ଯ୍ୟପ୍ରବାହ ସ୍ୱୟଂଚଳନ ବ୍ୟବସ୍ଥା ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନିଜସ୍ୱ ଇ- ପ୍ରଶାସନ ବ୍ୟବସ୍ଥା । ୨୦୧୨ରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ପର୍ଯ୍ୟାୟକ୍ରମେ ଅନେକ ପରୀକ୍ଷା ନିରୀକ୍ଷା ପରେ ଏହା ଏବେ ଶତ ପ୍ରତିଶତ ଭାବରେ କାମ କରୁଛି । ୨୦୧୮ରୁ ଏହା ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇ ଆସୁଛି । ତେବେ ଲକ୍‌ଡାଉନ୍ ସମୟରେ ଏହା ଯେମିତି ବରଦାନ ସଦୃଶ ହୋଇଥିଲା, ସବୁ ଅଧିକାରୀଙ୍କୁ ଭିପିଏନ୍ ଆଇଡି ଓ ପାସ୍‌ୱାର୍ଡ଼ ଦିଆଯାଇଛି । ଯାହାକୁ ବ୍ୟବହାର କରି ଅଫିସ୍ କାମ ଘରେ ବସି କରିପାରୁଛନ୍ତି ବାବୁ । କେବଳ ଅଧିକାରୀ ନୁହଁନ୍ତି ମନ୍ତ୍ରୀମାନେ ମଧ୍ୟ ଏହାକୁ ଆପଣାଇଛନ୍ତି । ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଅଧୀନରେ ଥିବା ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସିଷ୍ଟମ (ଓକାକ) ନୋଡାଲ ଅଫିସ ଭାବରେ କାର୍ଯ୍ୟ କରୁଛି । ଓସ୍ୱାସ୍ ମାଧ୍ୟମରେ କର୍ମଚାରୀମାନେ ଅନଲାଇନ୍‌ରେ ଯୋଡ଼ି ହୋଇ ରହିଛନ୍ତି । ସବୁ କାମ ଅନ୍‌ଲାଇନ୍‌ରେ ହେଉଛି । ପ୍ରତି ସରକାରୀ ବିଭାଗର ସମସ୍ୟା ଓ ରିସିପ୍ଟ ସେକ୍ସନରେ ପାଳି ଅନୁଯାୟୀ କର୍ମଚାରୀମାନେ କାମ କରୁଛନ୍ତି । ରାଜ୍ୟ ଆଇଟି ସେଣ୍ଟର ୨୪ ଘଣ୍ଟିଆ କାମ କରୁଛି । ଓସ୍ୱାସର ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟପଦ୍ଧତିକୁ ଦକ୍ଷ ଓ ପ୍ରଭାବୀ କରାଇବା, କର୍ମଚାରୀମାନଙ୍କ ଉତ୍ପାଦିକତା ଶକ୍ତିରେ ଅଭିବୃଦ୍ଧି ଘଟାଇବା, ତଥ୍ୟର ଦକ୍ଷ ପରିଚାଳନା, ଉତ୍ତମ ଯୋଗାଯୋଗ ତଥା ସମନ୍ୱୟ ସ୍ଥାପନ ଏବଂ ଜ୍ଞାନ ପରିଚାଳିତ ଶାସନ ବ୍ୟବସ୍ଥା ଦିଗରେ ଅଗ୍ରଗତି । ଓଡ଼ିଶା ସରକାରଙ୍କ ଏହି ବ୍ୟବସ୍ଥାକୁ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟମାନେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.