ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ,ଗଜପତିଙ୍କୁ ଆରୋଗ୍ୟ ଖବର ଦେଲେ ସେବାୟତ

0 75

ପୁରୀ: ଶ୍ରୀମନ୍ଦିରରେ ଶନିବାର ପାରମ୍ପରିକ ରୀତିମତେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଅଣସରଘରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସୁସ୍ଥ ହୋଇଛନ୍ତି ବୋଲି ମହାପ୍ରଭୁଙ୍କ ସେବାରେ ବ୍ରତୀଥିବା ଦଇତାପତି ସେବକମାନେ ଗଜପତି ମହାରାଜାଙ୍କୁ ଜଣାଇଛନ୍ତି । ଚାରିବାଡର ବାଡଗ୍ରାହୀ ଦଇତାପତିମାନଙ୍କ ସହିତ
ସମସ୍ତ ଦଇତାପତି ସେବକମାନେ ଶ୍ରୀଅଙ୍ଗରୁ ବାହାରିଥିବା ବିଭିନ୍ନ ପ୍ରସାଦ ସବୁକୁ ସାଙ୍ଗରେ ନେଇ ଘଣ୍ଟଛତ୍ର ଓ କାହାଳି ସହ ଅପରାହ୍ନରେ ଶ୍ରୀନଅର ଅଭିମୁଖେ
ଯାତ୍ରା କରିଥିଲେ । ଶ୍ରୀନଅରଠାରେଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ଶ୍ରୀଅଙ୍ଗଲାଗି ଜିନିଷ ସବୁକୁ ଦର୍ଶନ କରିବା ପରେ ଶ୍ରୀଜୀଉମାନେ ସୁସ୍ଥ ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଏହି ଅବସରରେ ଶ୍ରୀନଅର ପକ୍ଷରୁ ସମସ୍ତ ଦଇତାମାନଙ୍କ ମସ୍ତକରେ ଶାଢୀ ବନ୍ଧାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଦଇତାମାନେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିଥିଲେ । ଆଜି ବିଳମ୍ବିତ ରାତିରେ ଦଇତାପତିମାନେ ଘଣାଲାଗି ନୀତି ଆରମ୍ଭ କରିବେ ଓ ଏହା ଆସନ୍ତାକାଲି ସକାଳେ ଶେଷ ହେବ । ଆସନ୍ତା ୨୯ତାରିଖ ବୁଧବାର ଠାକୁରମାନଙ୍କର ନେତ୍ରୋତ୍ସବ ହୋଇ ଦିଅଁମାନେ ଅଣସର ପିଣ୍ଡିରେ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେବେ ଜୁଲାଇ ପହିଲାରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତହେବ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ ଚାଲିଛି । ସୁରକ୍ଷିତ ରଥଯାତ୍ରା ପାଇଁ ପୁରୀରେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଏସପି କନୱର ବିଶାଳ ସିଂ । ସେ କହିଛନ୍ତି, \”ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବା କାମ ଚାଲିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି, ସେବାୟତ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ୱୟ, ଭକ୍ତଙ୍କ ସୁରକ୍ଷା ଓ ସୁବିଧା, ଟ୍ରାଫିକ ନିୟନ୍ତ୍ରଣ, ଜନଗହଳି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.