୨ ଲକ୍ଷ କୋଟିର ବଜେଟ୍‌,ଫୋକସ୍‌ରେ ଶିକ୍ଷା-କୃଷି ଓ ସ୍ୱାସ୍ଥ୍ୟ

0 74

ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୧୭.୬ ପ୍ରତିଶତ ଅଧିକ ରହିଛି । ୨୦୨୧-୨୨ ବର୍ଷରେ ରାଜ୍ୟର ମୋଟ୍ ବଜେଟ୍ ପରିମାଣ ଥିଲା ଏକ ଲକ୍ଷ ୭୦ହଜାର କୋଟି ଟଙ୍କା । ସେହିଭଳି ଶ୍ରୀ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ୨୧,୧୬୬ କୋଟି ଟଙ୍କାର କୃଷି ବଜେଟ୍ ଗୃହରେ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀ ଆଗତ କରିଥିବା ୨ଲକ୍ଷ କୋଟି ଟଙ୍କାର ବଜେଟ୍ ମଧ୍ୟରେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ସର୍ବାଧିକ ୧ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ପ୍ରଶାସନିକ ଖର୍ଚ୍ଚ ପାଇଁ ୮୯,୫୯୦ କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ବାବଦରେ ୭୨୦୦ କୋଟି ଟଙ୍କା ରହିଛି । ବଜେଟରେ ବିଭିନ୍ନ ବିଭାଗ ପାଇଁ ହୋଇଥିବା ବ୍ୟୟବରାଦ ମଧ୍ୟରୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୧,୧୬୮ କୋଟି ଟଙ୍କାର ବରାଦ ହୋଇଥିବା ବେଳେ ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ର ପାଇଁ ୨୭,୩୨୪, ସ୍ୱାସ୍ଥ୍ୟ ପାଇଁ ୧୨,୬୨୪ କୋଟି, ବସୁଧା ଏବଂ ଜଳଜୀବନ ମିଶନ ପ୍ରକଳ୍ପ ପାଇଁ ୮୩୮୯ କୋଟି, ଅନୁସୂଚିତ ଜନଜାତି ଓ ଜାତିମାନଙ୍କ ପାଇଁ ଚିହ୍ନିତ ଯୋଜନା ସକାଶେ ୩୨,୫୯୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ବିଭିନ୍ନ ବିଭାଗ ପାଇଁ ହୋଇଥିବା ବ୍ୟୟବରାଦ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୨୧,୭୪୧ କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୦,୬୩୬ କୋଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୧୨,୩୪୨ କୋଟି, ଜଳସମ୍ପଦ ବିଭାଗ ପାଇଁ ୧୦,୦୪୫ କୋଟି, ପୂର୍ତ୍ତ ବିଭାଗ ପାଇଁ ୮୩୮୩ କୋଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୭୨୫୮କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୬୯୬୭ କୋଟି, କୃଷି ଓ କୃଷକ ସଶକ୍ତିକରଣ ପାଇଁ ୬୪୪୬ କୋଟି, ସ୍ୱରାଷ୍ଟ୍ର ବିଭାଗ ପାଇଁ ୬୪୧୦, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୩୭୦୬ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପାଇଁ ୩୫୬୭ କୋଟି ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୬୨ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୨୦୨୨-୨୩ ବର୍ଷର ବଜେଟରେ ୧୦ହଜାର କୋଟି ଟଙ୍କାର କର୍ପସ ସହିତ ଏକ ବଜେଟ୍ ସ୍ଥିରୀକୃତ ପାଣ୍ଠି ପ୍ରତିଷ୍ଠା କରାଯିବ ଯାହାକି ସମଗ୍ର ଦେଶରେ ପ୍ରଥମ ପଦକ୍ଷେପ । ସେହିଭଳି ମିଶନ ଶକ୍ତି ବିଭାଗ ପାଇଁ ୨୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଠିକଣା ସମୟରେ ମଜୁରୀ ପ୍ରଦାନ ପାଇଁ ଏମ୍‌ଜିନରେଗା କର୍ପସ ପାଣ୍ଠି ଆକାରକୁ ଦୁଇଗୁଣା ସହିତ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜ୍ୟରେ ହାଇସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି ଟଙ୍କାର ବରାଦ ହୋଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ଗ୍ରାମଗୁଡିକୁ ସଂଯୋଗୀକରଣ ପାଇଁ ୧୫୦ କୋଟିର ବରାଦ ହୋଇଛି । ବୈଦ୍ୟୁତିକ ଯାନ ନୀତିର କାର୍ଯ୍ୟକାରିତା ପାଇଁ ବଜେଟ୍‌ରେ ୫୦ କୋଟି ଟଙ୍କା ଏବଂ କଫି ଗଛ ଲଗାଇବା ପାଇଁ ୧୦ କୋଟିର ବରାଦ ହୋଇଛି ।

Leave A Reply

Your email address will not be published.