ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ଆଜିଠୁ ମିଳିବ ଆଡପ ଅବଢା

0 67

ପୁରୀ, ୨ା୭(ଡିକେ ନ୍ୟୁଜ): ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜିଲେ ଚତୁର୍ଦ୍ଧା ମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ରଥ ଉପରେ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବଡ ଠାକୁର ଶ୍ରୀଜଗନ୍ନାଥ ଜନ୍ମବେଦୀକୁ ଯାଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଛି । ରତ୍ନବେଦୀରୁ ଜନ୍ମବେଦୀରେ ପହଞ୍ôଚଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦୁଇ ବର୍ଷର କରୋନା କଟକଣା ପରେ ଐତିହାସିକ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ । ଶନିବାର ରଥ ଉପରେ ହିଁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ମଙ୍ଗଳଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ଗୋପାଳ ବଲ୍ଲଭ ଭୋଗ ପରେ ସକାଳଧୂପ, ଭୋଗମଣ୍ଡପ ଓ ମଧ୍ୟାହ୍ନ ଧୂପ ସଂପନ୍ନ ହୋଇଥିଲା । ମାଘସ୍ନାନ, ସଂଧ୍ୟାଆଳତୀ, ପୁଷ୍ପାଞ୍ଜଳି ଓ ଡୋରଲାଗି ପରେ ଚାରମାଳ ବନ୍ଧାଯାଇ ଅପରାହ୍ନରେ ପହଣ୍ଡି ଆରମ୍ଭ ହୋଇଥିଲା । ଗତକାଲି ପରି ଆଜି ମଧ୍ୟ ସଅଳ ନୀତି ହୋଇଥିଲା । ପ୍ରଥମେ ବଳଭଦ୍ର ପହଣ୍ଡି ବିଜେ ପରେ ଆଡପମଣ୍ଡପରେ ବିଜେ କରିଥିଲେ । ଏହାପରେ ଭଉଣୀ ସୁଭଦ୍ରା ଜନ୍ମବେଦୀକୁ ଫେରିଥିଲେ । ତେବେ ଜଗନ୍ନାଥଙ୍କ ପହଣ୍ଡି ସମୟରେ ବର୍ଷା ହୋଇଥିଲା । ଝିପିଝିପି ବର୍ଷାରେ ଟାହିଆ ହଲାଇ ପହଣ୍ଡି ବିଜେ କରିଥିଲେ ମହାବାହୁ । ଶ୍ରୀଜଗନ୍ନାଥ ଧ୍ୱନୀରେ ଉଚ୍ଛୁଳି ଉଠିଥିଲା ଶରଧାବାଲି ଓ ମାଉସୀ ମା’ ମନ୍ଦିର । ମହାପ୍ରଭୁ ଆଡପ ମଣ୍ଡପରେ ଥିଲେ ବି ଭକ୍ତ ଦର୍ଶନ କରିପାରିବେ ନାହିଁ । ଆଡ଼ପ ମଣ୍ଡପରେ ଶ୍ରୀଜୀଉ ପହଞ୍ôଚବା ପରେ ଦହି ପଖାଳ ଭୋଗ, ବଡ଼ସିଂହାର ବେଶ ଓ ରାତ୍ର ପହୁଡ ହେବ । ଆସନ୍ତାକାଲିଠାରୁ ଆଡ଼ପ ଅବଢ଼ା ବାହାରିବ । ଗୁଣ୍ଡିଚା ମନ୍ଦିର ଆଡ଼ପ ଅବଢ଼ା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.