ଶୃଙ୍ଖଳିତ ବିତ୍ତୀୟ ପରିଚାଳନା, ଓଡ଼ିଶା ପାଇଁ ସୁରକ୍ଷା କବଚ ଷ୍ଟାବିଲାଇଜେସନ୍ ଫଣ୍ଡ

0 70

ଭୁବନେଶ୍ୱର, ୪ା୭(ଡିକେ ନ୍ୟୁଜ): ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଓଡ଼ିଶାକୁ ଦେଶର ଅନ୍ୟ ରାଜ୍ୟଠାରୁ ଭିନ୍ନ କରିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ ଅର୍ଥ ମନ୍ତ୍ରଣାଳୟ ପ୍ରଶଂସା କରିଛି । ରିଜର୍ଭ ବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଓଡ଼ିଶାର ବିତ୍ତୀୟ ପରିଚାଳନାକୁ ପ୍ରଶଂସନୀୟ ବୋଲି କହିଛନ୍ତି । କୋଭିଡ଼ ମହାମାରୀ ସମୟରେ ଦେଶର ବିଭିନ୍ନ ବଡ଼ବଡ଼ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବା ବେଳେ ନିଜର ଆର୍ଥିକ ନୀତି ଯୋଗୁଁ ଓଡ଼ିଶା ମଜବୁତ ରହିବାରେ ସକ୍ଷମ ହୋଇଛି । ଏହି ପରିପ୍ରେକ୍ଷୀରେ ଅସମୟ ସ୍ଥିତି ଓ ବିତ୍ତୀୟ ଆପଦର ମୁକାବିଲା କରିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବରେ ରାଜ୍ୟ ସରକାର ସୃଷ୍ଟି କରିଛନ୍ତି ବଜେଟ ସ୍ଥିରୀକରଣ ପାଣ୍ଠି । ଆପଦକାଳୀନ ପରିଚାଳନା ପାଇଁ ଏହା ସୁରକ୍ଷା କବଚ ସାଜିବ । ରାଜସ୍ୱ ନିଅଣ୍ଟ, କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ଅର୍ଥ ମିଳିବାରେ ବିଳମ୍ବ ଓ ଅତ୍ୟାବଶ୍ୟକ ସମୟର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ । ଏଥିପାଇଁ ବଜେଟ୍‌ରେ ୧୦ ହଜାର କୋଟି ଟଙ୍କା ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏହି ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ବିତ୍ତୀୟ ଆପଦର ମୁକାବିଲା କରିବା ପାଇଁ ଏ ଧରଣର ପଦକ୍ଷେପ ଦେଶରେ ପ୍ରଥମ ବୋଲି କହିଛନ୍ତି । ଦୁଇ ଦଶନ୍ଧି ପୂର୍ବରୁ ଓଡ଼ିଶାର ଆର୍ଥିକ ଚିତ୍ର ଥିଲା ଅତ୍ୟନ୍ତ ଦୁର୍ବଳ । କେନ୍ଦ୍ରର ହାତଟେକା ଅନୁଦାନ ଉପରେ ରାଜ୍ୟକୁ ନିର୍ଭର କରିବାକୁ ପଡୁଥିଲା । ଏଥିପାଇଁ କେନ୍ଦ୍ର ନିକଟରେ ରାଜ୍ୟକୁ ଲାଞ୍ଛିତ ହେବାକୁ ପଡ଼ୁଥିଲା । \”ଟଙ୍କା ଗଛରେ ଫଳେ ନାହିଁ\’ ବୋଲି ମୁହଁ ଛିଚଡ଼ା
ଆକ୍ଷେପକୁ ସହ୍ୟ କରିବାକୁ ପଡ଼ୁଥିଲା । ମାତ୍ର ରାଜ୍ୟ ସରକାରଙ୍କ ବିତ୍ତୀୟ ପରିଚାଳନା ଏବେ ଦେଶରେ ଓଡ଼ିଶାକୁ ପ୍ରତିଷ୍ଠିତ କରିଛି, ଭିନ୍ନ ପରିଚୟ ଦେଇଛି । କେନ୍ଦ୍ର ଉପରେ ନିର୍ଭରଶୀଳତା ଅନେକ ପରିମାଣରେ ହ୍ରାସ ପାଇଛି । ଏହା ସତ୍ତ୍ୱେ ଆଗୁଆ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ବିପରୀତ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ଆବଶ୍ୟକତା ପରିପୂରଣ ପାଇଁ ବଜେଟ୍ ସ୍ଥିରୀକରଣ ପାଣ୍ଠି ଗଠନ କରିଛନ୍ତି । କେନ୍ଦ୍ର ସରକାର ଠିକ୍‌ ସମୟରେ ଓଡ଼ିଶାକୁ ଜିଏସ୍‌ଟି ଭରଣା ରାଶି ପ୍ରଦାନ କରୁନାହାନ୍ତି । ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଓ କେନ୍ଦ୍ରୀୟ ଅନୁଦାନ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଠିକ୍ ସମୟରେ
ପାଣ୍ଠି ଆସୁନାହିଁ । ମନରେଗା ପରି କାର୍ଯ୍ୟକ୍ରମ ପାଇଁ ରାଶି ମିଳିବା ବିଳମ୍ବ ଯୋଗୁଁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ବିଭିନ୍ନ ପ୍ରକଳ୍ପଗୁଡ଼ିକ ନିମନ୍ତେ କେନ୍ଦ୍ରୀୟ ସହାୟତା ବିଳମ୍ବିତ ହେବା ଯୋଗୁଁ ଏହାର ବ୍ୟୟ ଅଟକଳ ବୃଦ୍ଧି ପାଉଛି । ଚାଷୀ ପ୍ରଧାନ ରାଜ୍ୟ ଓଡ଼ିଶାରେ ଖରିଫ ଏବଂ ରବି ଭଳି ୨ଟି ଋତୁରେ ଧାନ କ୍ରୟ ଓଡ଼ିଶା… ହୋଇଥାଏ । ଚାଷୀଙ୍କ ଠାରୁ ଧାନକ୍ରୟର ୨୪ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ଚାଷୀ ଆକାଉଣ୍ଟରେ ଟଙ୍କା ପୈଠ କରୁଛନ୍ତି । ଏହାକୁ ସୁନିଶ୍ଚିତ କରିବା ନେଇ ଯୋଗାଣ ନିଗମକୁ ଅଯଥା ଋଣ କରିବାକୁ ପଡୁଛି । ଏହିସବୁ ପରିସ୍ଥିତିରେ ରାଜ୍ୟ ପ୍ରଶାସନ ଦୁର୍ବଳ ଶ୍ରେଣୀଙ୍କୁ କାମ, ଚାଷୀଙ୍କୁ ସହାୟତା ଏବଂ ଅନ୍ୟ ଜନ କଲ୍ୟାଣ ଯୋଜନା ଚାଲୁ ରଖିବା ପାଇଁ ନିଜସ୍ୱ ବିତ୍ତୀୟ ପରିଚାଳନାକୁ ଗୁରୁତ୍ୱ ଦେଇଛନ୍ତି । ଏହାକୁ ଲକ୍ଷ୍ୟ ରଖି ହିଁ ବଜେଟ ସ୍ଥିରୀକରଣ ପାଣ୍ଠି (ଷ୍ଟାବିଲାଇଜେସନ ଫଣ୍ଡ) ଗଠନ କରାଯାଇଥିବା କୁହାଯାଉଛି । ଏଭଳି ଧରଣର ପାଣ୍ଠି ଗଠନ ଦିଗରେ ଓଡ଼ିଶାର ପଦକ୍ଷେପ ସମଗ୍ର ଦେଶରେ ପ୍ରଥମ ରାଜ୍ୟରେ ପରିଣତ ହୋଇଛି । ଅପ୍ରତ୍ୟାଶିତ ରାଜସ୍ୱ ଅଭାବ କିମ୍ବା ବଜେଟ୍ ନିଅଣ୍ଟ ସମୟରେ ଏହି ପାଣ୍ଠିକୁ ଉପଯୋଗ କରାଯାଇପାରିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି । ବିଗତ ୨ ବର୍ଷ କରୋନା ମହାମାରୀ ମଧ୍ୟରେ ଅତିବାହିତ ହୋଇଛି । ବିଶ୍ୱ ଏବଂ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି, ମାତ୍ର ସମାନ ସମୟରେ ଓଡ଼ିଶାର ଅର୍ଥନୀତି ଊର୍ଦ୍ଧ୍ୱଗାମୀ ରହିଛି । ଏହାର ସିଂହଭାଗ ଶ୍ରେୟ ଖଣି ରାଜସ୍ୱ ଏବଂ ବିତ୍ତୀୟ ପରିଚାଳନାକୁ ଯାଉଛି । ହେଲେ ଖଣିଜ ସମ୍ପଦର ଅସ୍ଥିର ମୂଲ୍ୟ ଯୋଗୁଁ ରାଜସ୍ୱ ହ୍ରାସବୃଦ୍ଧିର ସମ୍ଭାବନା ରହିଛି । ଏହାର ମୂଲ୍ୟ କେତେବେଳେ ଆକାଶଛୁଆଁ ତ କେତେବେଳେ ସାଧାରଣ ରହିଥାଏ । ତେଣୁ ଅନୁକୂଳ ମୂଲ୍ୟ ନ ଥିବା ସମୟରେ ସ୍ଥିରୀକୃତ ପାଣ୍ଠିର ବିନିଯୋଗ ହିଁ ରାଜ୍ୟ ଅର୍ଥନୀତି ପାଇଁ ସଞ୍ଜିବନୀ ସଦୃଶ ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ଲିଜ୍ ନବୀକରଣ ହେତୁ ଖଣିଜ ରାଜସ୍ୱର ଯଥେଷ୍ଟ ଅଧିକ ସଂଗ୍ରହ ହୋଇଛି । ଏହାଦ୍ୱାରା ମହାମାରୀ ସମୟରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ଜୀବିକା ଉପାର୍ଜନର ସୁଯୋଗ ସୃଷ୍ଟି ପାଇଁ ସରକାରୀ ବ୍ୟୟବୃଦ୍ଧି କରାଯାଇ ପାରିଛି । ଅନ୍ତର୍ଜାତୀୟ ବଜାରରେ ଉକ୍ତ ଦ୍ରବ୍ୟର ଅସ୍ଥିରତା ଯୋଗୁଁ ମୂଲ୍ୟହ୍ରାସ ଘଟିଲେ ଏହାର ପ୍ରଭାବରେ ରାଜ୍ୟ ବଜେଟ ଏବଂ ସରକାରୀ ବ୍ୟୟ ନିଶ୍ଚିତ ନକାରାତ୍ମକ ପ୍ରଭାବ ଆଣିବ । ତେଣୁ ରାଜ୍ୟ ବଜେଟ ଉପରେ ବିଭିନ୍ନ ଧାତୁର ହଠାତ୍ ମୂଲ୍ୟ ହ୍ରାସ ଜନିତ ପ୍ରଭାବକୁ ନିଷ୍କ୍ରିୟ କରିବା ପାଇଁ ରାଜ୍ୟ ସରକାର ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଥିବା ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି । ଆଇଏମ୍‌ଏଫ୍‌ ମୁଖ୍ୟାଳୟରେ ବାର୍ଷିକ ସ୍ପ୍ରିଙ୍ଗ୍ ମିଟିଂ-୨୦୨୨ରେ ଗତ ୧୯ ଏପ୍ରିଲ ଆୟୋଜିତ ହୋଇଥିଲା । ଏହି ସମୟରେ ବିଲ୍ଡିଂ କାପାସିଟି ଇନ୍ ମ୍ୟାନେଜିଂ ଫିସକାଲ ରିସ୍କ: ଏ ନିଉ ଫିସକାଲ ରିସ୍କ ଟୁଲ୍ କିଟ୍ ଅଧିବେସନରେ ଓଡ଼ିଶାର ବିତ୍ତୀୟ ଆପାଦ ପରିଚାଳନା ଅଭିଜ୍ଞତାକୁ ଏକ କେସ୍ ଷ୍ଟଡି ଭାବେ ଉପସ୍ଥାପିତ କରାଯାଇଥିଲା । ଏବେ ଭବିଷ୍ୟତ ବିତ୍ତୀୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଅର୍ଥନୀତିଜ୍ଞମାନେ ଦୂରଦର୍ଶୀ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛନ୍ତି ।

Leave A Reply

Your email address will not be published.