ରାଜ୍ୟସ୍ତରୀୟ ୭୩ ତମ ବିଶ୍ୱ ବନ ମହୋତ୍ସବ, ବନୀକରଣ ଯୋଜନାରେ ହେବ ୪୮୮.୧୬ ଲକ୍ଷ ଚାରାରୋପଣ

0 68

ଭୁବନେଶ୍ୱର, ୭ା୭(ଡିକେ ନ୍ୟୁଜ): ରାଜ୍ୟସ୍ତରୀୟ ବନ ମହୋତ୍ସବ ଆଜି ପୂର୍ବାହ୍ଣରେ ଉତ୍ସାହ ଓ ଉଦ୍ଦୀପନାର ସହ ଭୁବନେଶ୍ୱରସ୍ଥିତ ମହାନଗର ନିଗମ ସରକାରୀ ଉଚ୍ଚ ବିଦ୍ୟାଳୟ, ବରମୁଣ୍ଡା ପରିସରରେ ପାଳିତ ହୋଇଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଭିଡିଓ କନଫରେନ୍‌ ମାଧ୍ୟମରେ ଏହି ଉତ୍ସବରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥଲେ । ଏଥି ସହିତ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସତ୍ୟବ୍ରତ ସାହୁ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ବିଧାୟକ (ମଧ୍ୟ ) ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ବରେଣ୍ୟ ଅତିଥି, ବନ ବିଭାଗର ଅଧିକାରୀ, ବୁଦ୍ଧିଜୀବୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ଏହି ସମାରୋହରେ ଯୋଗଦେଇଥିଲେ । ଓଡିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବନ ମହୋତ୍ସବର ଗୁରୁତ୍ୱ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁଲାଇ ମାସର ପ୍ରଥମ ସପ୍ରାହକୁ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ବ୍ୟାପକ ବୃକ୍ଷରୋପଣ କରାଯିବା ସହିତ ଜନସାଧାରଣଙ୍କ ସହଯୋଗରେ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ଚଳିତ ବର୍ଷ ବର୍ଷା ଋତୁରେ ବିଭିନ୍ନ ବନୀକରଣ ଯୋଜନା ଯଥା ପ୍ରାକୃତିକ ଜଙ୍ଗଲର ପୁନର୍ଜନନ, କୃତ୍ରିମ ଜଙ୍ଗଲ, ସହରାଞ୍ଚଳ ବନୀକରଣ, ପଥପାଶ୍ୱର୍ବ ନୀକରଣ ଇତ୍ୟାଦି ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ ସଫଳ କାର୍ଯ୍ୟକାରିତା ପାଇଁ ଏକ କ୍ରିୟାଶୀଳ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଏହିସବୁ ଯୋଜନା ମାଧ୍ୟମରେ ବନୀକରଣ ପାଇଁ ୪୮୮.୧୬ ଲକ୍ଷ ଚାରା ରୋପଣ କରାଯିବା ସହିତ ୪୯୦.୩୦ ଲକ୍ଷ ଚାରା ଜନସାଧାରଣଙ୍କୁ ସ୍ୱଳ୍ପ ମୂଲ୍ୟରେ ଏବଂ ବିଭିନ୍ନ ଅନୁଷ୍ଠାନଗୁଡିକୁ ବିନା ମୂଲ୍ୟରେ ବିତରଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ଉଦ୍ଭିଦ ଜଗତର ଔଷଧୀୟ ମୂଲ୍ୟବୋଧ ଅନେକ । କୋଭିଡ୍‌-୧୯ ମହାମାରୀ ସମୟରେ ଏହାର ଉପଲବ୍ଧି ଅନୁଭୂତ ହୋଇଛି । ତେଣୁ ଜଙ୍ଗଲଜାତୀୟ ଉଦ୍ଭିଦ ସହିତ ଔଷଧୀୟ ବୃକ୍ଷର ଚାହିଦା ପୂରଣ ନିମନ୍ତେ ରାଜ୍ୟ ସରକାର ଉଭୟ ପ୍ରଜାତିର ବୃକ୍ଷ ରୋପଣ ନିମନ୍ତେ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି । ଏହି ଅବସରରେ ଏକ ସ୍ମରଣିକା ୭୩ ତମ ବନ ମହୋତ୍ସବ, ଯେଉଁଥିରେ ରାଜ୍ୟ ବନ ବିଭାଗର ଉନ୍ନତି ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଉଲ୍ଳିଖିତ ଅଛି, ତାହାର ଶୁଭ ଉନ୍ମୋଚନ କରାଯାଇଛି । ଚଳିତ ବର୍ଷ ୭୩ ତମ ବନ ମହୋତ୍ସବ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବନୀକରଣ ସଂପର୍କରେ ସଚେତନତା ଜାଗ୍ରତ କରାଯିବା ମିମନ୍ତେ, ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ମହୋତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବନୀକରଣ ଓ ଜଙ୍ଗଲ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସୁନ୍ଦରଗଡର ଝୁରିମଲ ବନ ସଂରକ୍ଷଣ ସମିତିକୁ ଚଳିତବର୍ଷ ରାଜ୍ୟର ସର୍ବଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବେ ସମ୍ମାନିତ କରାଯାଇଛି । ପରିଶେଷରେ ସରକାରୀ ମ୍ୟୁନିସିପାଲ କର୍ପୋରେସନ ଉଚ୍ଚବିଦ୍ୟାଳୟ, ବରମୁଣ୍ଡାର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନନ୍ଦ ଉତ୍ସବରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.