ଚତୁର୍ଥ ଲହରର ପଦଧ୍ୱନୀ ! ଚିନ୍ତା ବଢ଼ାଇଲା ଓମିକ୍ରନ୍‌ର ସବ୍ ଭାରିଆଣ୍ଟ

0 78

ନୂଆଦିଲ୍ଲୀ, ୭ା୭: ପୁଣି ଉପରମୁହାଁ ହେଲାଣି ଭୂତାଣୁ । ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ମାମଲା । ଦୈନିକ ଆକ୍ରାନ୍ତ ସଂଖ୍ୟା ୧୫ ହଜାର ଉପରେ ରହୁଛି । ଏହାରି ଭିତରେ ଭାରତରେ କରୋନାର ଆଉ ଏକ ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନର ସବ୍ ଭାରିଏଣ୍ଟ ବିଏ.୨.୭୫ ଚିହ୍ନଟ ହୋଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏଥିପ୍ରତି ଦୃଷ୍ଟି ରଖିଛି ବୋଲି ବୁଧବାର ଦିନ ମହାନିର୍ଦେଶକ ଟେଡ୍ରସ୍ ଆଧାନୋମ୍‌ ଘେବ୍ରିୟେସସ୍ କହିଛନ୍ତି । ଗତ ୨ ସପ୍ତାହ ହେବ ବିଶ୍ୱବ୍ୟାପୀ କୋଭିଡ୍‌-୧୯ ମାମଲା ପ୍ରାୟ ୩୦% ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୬ଟି ଉପ-ଅଞ୍ଚଳରୁ ୪ଟିରେ ଗତ ସପ୍ତାହରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ୟୁରୋପ୍ ଏବଂ ଆମେରିକାରେ \”ବିଏ.୪\’ ଏବଂ \”ବିଏ.୫\’ ଆତଙ୍କ ସୃଷ୍ଟି କରିଛି । ଭାରତ ଭଳି ଦେଶରେ ମଧ୍ୟ ଓମିକ୍ରନର ସବ୍ ଭାରିଏଣ୍ଟ ବିଏ.୨.୭୫ ଚିହ୍ନଟ ହେଲାଣି । ତା\’ର ଗତିବିଧି ଉପରେ ଆମେ ଦୃଷ୍ଟି ରଖିଛୁ ବୋଲି କହିଛି ହୁ\’ । ଏ ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି, ବିଏ.୨.୭୫ ନାମରେ ଓମିକ୍ରନର ଏକ ନୂଆ ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି । ପ୍ରଥରେ ଏହା ଭାରତ ଏବଂ ପରେ ପରେ ଆଉ ୧୦ଟି ଦେଶରେ ମଧ୍ୟ ଚିହ୍ନଟ ହେଲାଣି । ତେବେ ଏହି ନୂଆ ଭାରିଏଣ୍ଟ କେତେ ମାରାତ୍ମକ ତାହା ଜଣାପଡିନାହିଁ । ଏନେଇ ରିସର୍ଚ୍ଚ ଜାରି ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବିଗତ ସପ୍ତାହ ତୁଳନାରେ ଦକ୍ଷିଣ ଏସୀୟ ରାଷ୍ଟ୍ରରେ କୋଭିଡ୍‌-୧୯ ଜନିତ ସାପ୍ତାହିକ ମୃତ୍ୟୁସଂଖ୍ୟା ମଧ୍ୟ ୧୬%
ବୃଦ୍ଧି ପାଇଛି ବୋଲି ହୁ\’ ରିପୋର୍ଟ କରିଛି । ଭାରତରେ ୨୦୦ ମୃତ୍ୟୁ (୩୯% ବୃଦ୍ଧି), ଥାଇଲାଣ୍ଡରେ ୧୦୮ (୧୪% ବୃଦ୍ଧି) ଏବଂ ଇଣ୍ଡୋନେସିଆରେ ୩୨ (୭% ବୃଦ୍ଧି) କରୋନା ଜନିତ ମୃତ୍ୟୁ ରେକର୍ଡ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ \”କୋଭିଡ୍‌-୧୯ ଇନ୍ସିଡେଣ୍ଟ୍ ମ୍ୟାନେଜର୍‌\’ ଆବ୍ଦି ମହମ୍ମଦ୍ କହିଛନ୍ତି, ମହାମାରୀର ଅବସାନ ଘଟିଛି ବୋଲି କହିବା ଏହା ଉପଯୁକ୍ତ ସମୟ ନୁହେଁ । ଆମେ ଏବେ ମଧ୍ୟ ଭୂତାଣୁର ସଂକ୍ରମଣ ଭିତରେ ଅଛନ୍ତି । ଭୂତାଣୁ ପାଖରେ ଅସୁମାରି କ୍ଷମତା ରହିଛି । ସେ \”ବିଏ.୪\’ ହେଉ କି, \”ବିଏ.୫\’ ହେଉ ଅଥବା \”ବିଏ.୨.୭୫\’ ହେଉ । ଏଭଳି ନୂଆ ନୂଆ ଭାରିଏଣ୍ଟ ଉତ୍ପତ୍ତି ଧାରା ଅବ୍ୟାହତ ରହିବ । ଏଥିପାଇଁ ଆମକୁ ହିଁ ସତର୍କ ରହିବାକୁ ପଡିବ । ଜନସାଧାରଣ ନିୟମିତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଉଚିତ ବୋଲି ସେ ସତର୍କ କରାଇଛନ୍ତି । ସେହିପରି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି । ଗତ ୧୦ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନିଅଙ୍କରୁ ତଳକୁ ଖସୁନଥିବା ବେଳେ ଗୁରୁବାର ଦିନ ୪୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ । ଗତକାଲି ୪୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୪୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୫୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୭୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୫୬ ଜଣ ୧୮ ବର୍ଷରୁ କମ୍‌ ବୟସର ଶିଶୁ-କିଶୋର ଥିବା ଜଣାଯାଇଛି । ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୪୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୭ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୩ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୨୨, ବରଗଡ଼ରୁ ୪, ଭଦ୍ରକରୁ ୫, କଟକରୁ ୮୮, ଦେବଗଡ଼ରୁ ୧, ଗଞ୍ଜାମରୁ ୧ ଜଣ, ଜଗତସିଂହପୁରରୁ ୬, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳ ଜିଲ୍ଲାରୁ ୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୧୮୩, କୋରାପୁଟ ଜିଲ୍ଲାରୁ ୧, ମାଲକାନଗିରି ଜିଲ୍ଲାରୁ ୨ ଜଣ, ମୟୂରଭଞ୍ଜରୁ ୮, ନୟାଗଡ଼ ଜିଲ୍ଲାରୁ ୪, ନୂଆପଡ଼ାରୁ ୩ ଜଣ, ପୁରୀରୁ ୧୧, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୯, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୨୦ଓ ଷ୍ଟେଟପୁଲରୁ ୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୧, ୯୪୬ ଜଣ ପଜିଟିଭ ଚିହ୍ନଟ
ହୋଇଛନ୍ତି । ସେହିପରି ୧୨,୮୦, ୫୩୨ ସୁସ୍ଥ ହୋଇଛନ୍ତି । ଏବେ ବି ୨୨୩୫ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.