ଭୁବନେଶ୍ୱରରେ ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ରାଷ୍ଟ୍ରପତି ପ୍ରାର୍ଥୀ

0 73

ଭୁବନେଶ୍ୱର, ୮ା୭(ଡିକେ ନ୍ୟୁଜ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଆସି ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ôଚବା ପରେ ସେଠାରେ ତାଙ୍କୁ ଉଭୟ ବିଜେଡ଼ି ଓ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ତାଙ୍କୁ ଓଡ଼ିଶା ବିଧାନସଭା ପରିସରରେ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଥିଲା । ସେଠାରେ ଶ୍ରୀମତୀ ମୁର୍ମୁ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟିଥିଲେ । ତେବେ ସେ ସମର୍ଥନ ମାଗିବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଥିବାରୁ ସେ କୃତଜ୍ଞତା ଜଣାଇଥିଲେ । ସେହିପରି ରାଜ୍ୟ ଅତିଥି ଭବନରେ ଶ୍ରୀମତୀ ମୁର୍ମୁ ରାଜ୍ୟ ବିଜେପି ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀଙ୍କୁ ଭେଟିଥିଲେ । ଏହାପରେ ସେ ନବୀନ ନିବାସ ଅଭିମୁଖେ ଗସ୍ତ କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା ସହ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ । ଜେଡି ସୁପ୍ରିମୋଙ୍କ ସହ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତଙ୍କ ସମେତ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟାହ୍ନ ଭୋଜନ କରିଥିଲେ । ମଧ୍ୟାହ୍ନ ଭୋଜନ ଶୁଦ୍ଧ ଶାକାହାରୀ ଭାବେ ପ୍ରସ୍ତୁତ ହୋଇଥିଲା । ଭାତ, ଡାଲି, ଆଳୁ ଚକଟା, ବଡ଼ି ଚୁରା, ବାଇଗଣ ଭଜା ଆଦି ଓଡ଼ିଆ ଖାଦ୍ୟରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ଆପ୍ୟାୟିତ କରାଯାଇଥିଲା । ନବୀନ ନିବାସରେ ଶ୍ରୀମତୀ ମୁର୍ମୁ ମଧ୍ୟାହ୍ନ ଭୋଜନ କରିଥିବା ବେଳେ ବିଜେଡିର ଅନ୍ୟ କୌଣସି ନେତାଙ୍କୁ ସେହି ସ୍ଥାନରେ ଦେଖିବାକୁ ଅନୁମତି ମିଳିନଥିଲା । ଏପରିକି ମଧ୍ୟାହ୍ନ ଭୋଜନର ଆୟୋଜନ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀମତୀ ମୁର୍ମୁଙ୍କୁ ବିଜେଡି ନିଜର ସମର୍ଥନ ଦେବାକୁ ଘୋଷଣା କରିଥିବାବେଳେ ଏକମାତ୍ର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ସମର୍ଥନ ଦେବେ । ୧୯୭୧ ଜନଗଣନା ଆଧାରରେ ରାଷ୍ଟ୍ରପତି ପଦ ନିମନ୍ତେ ଓଡ଼ିଶାର ଜଣେ ବିଧାୟକଙ୍କ ଭୋଟn ପରିମାଣ ହେଉଛି ୧୪୯ । ରାଜ୍ୟ ବିଧାନସଭାରେ ମୋଟ ୧୪୭ଜଣ ବିଧାୟକ ଥିବାବେଳେ ଏଥିରେ ବିଜେଡିର ୧୧୨ଜଣ, ବିଜେପିର ୨୨ଜଣ ଓ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଭୋଟ୍ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଯିବ । ଏମାନଙ୍କ ବାଦ୍‌
ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରୁ ଶ୍ରୀ ପାଣିଗ୍ରାହୀ ମଧ୍ୟ ନିଜର ସମର୍ଥନ ଶ୍ରୀମତୀ ମୁର୍ମୁଙ୍କୁ ଦେବେ । କେବଳ କଂଗ୍ରେସର ୯ ବିଧାୟକ ଓ ସିପିଏମର ଜଣେ ବିଧାୟକଙ୍କ ଭୋଟ୍ କାହା ସପକ୍ଷରେ ଯିବ ତାହା ଏବେବି ଅସ୍ପଷ୍ଟ । ସେହିପରି ଲୋକସଭାର ଜଣେ ସାଂସଦଙ୍କ ଭୋଟ୍ ପରିମାଣ ୭୦୦ ହୋଇଥିବାବେଳେ ଓଡ଼ିଶାରେ ବିଜେଡି ଓ ବିଜେପିର ଲୋକସଭା ସାଂସଦ ୨୦ ଓ ରାଜ୍ୟସଭାର ସମସ୍ତ ୧୦ଜଣ ସାଂସଦ ଅଛନ୍ତି । ସମସ୍ତଙ୍କ ଭୋଟ ଏନ୍‌ଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଯିବ ବୋଲି ଜଣାପଡ଼ିଛି । କେବଳ କଂଗ୍ରେସର ଜଣେ ସାଂସଦ ସପ୍ତଗିରି ଉଲାକାଙ୍କ ଭୋଟ ୟୁପିଏ ପ୍ରାର୍ଥୀଙ୍କୁ ମିଳିବାର ସମ୍ଭାବନା ରହିଛି । ଶ୍ରୀମତୀ ମୁର୍ମୁ ନବୀନ ନିବାସରୁ ସିଧାସଳଖ ବିମାନ ବନ୍ଦର ଯାଇଥିଲେ ।

Leave A Reply

Your email address will not be published.