୧୧ରୁ ବଢ଼ିବ ବର୍ଷା

0 72

ଭୁବନେଶ୍ୱର, ୮ା୭(ଡିକେ ନ୍ୟୁଜ): ମୌସୁମୀ ଜନିତ ନିମ୍ନଚାପରେଖା ଦକ୍ଷିଣ ପାକିସ୍ତାନରୁ ବାହାରି ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାସହିତ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟର ପ୍ରଭାବ ରହିଛି । ଏହିସବୁ କାରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହି ବର୍ଷା ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ୧୧ ତାରିଖରୁ ବିସ୍ତୃତ ବର୍ଷା ସାଙ୍ଗକୁ ଏହାର ପ୍ରକୋପ ବୃଦ୍ଧି ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଜୁଲାଇ ମାସରେ ମୌସୁମୀ ମିଜାଜ ଭଲ ରହିବା କାରଣରୁ ଚଳିତ ମାସରେ ସ୍ୱାଭାବିକଠାରୁ ୨୫ ପ୍ରତିଶତ ଅଧିକ ବର୍ଷା ହୋଇଛି । ଯାହାକି ଗତ ଜୁନ୍ ମାସରେ ରହିଥିବା ନିଅଣ୍ଟିଆ ବର୍ଷାକୁ କିଛି ପରିମାଣରେ ଭରଣା କରିବାକୁ ସହାୟକ ହୋଇଛି । ଗତ ୭ ଦିନ ମଧ୍ୟରେ ରାଜ୍ୟରେ ୮୪.୩୩ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୬୯.୭ ମିମି ତୁଳନାରେ ୨୫ ପ୍ରତିଶତ ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଟୁଇଟ କରି ସୂଚନା ଦେଇଛନ୍ତି । ଏହି ୭ ଦିନରେ ୭ ଜିଲ୍ଲାରେ ସ୍ୱାଭାବିକଠାରୁ ବହୁ ଅଧିକ ବର୍ଷା ହୋଇଥିବା ବେଳେ ୧୦ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ, ୧୧ ଜିଲ୍ଲାରେ ସ୍ୱାଭାବିକ ଓ ୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ସେହିପରି ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୧୫.୭ ମିମି ବର୍ଷା ହୋଇଥିବା ବେଳେ ସ୍ୱାଭାବିକଠାରୁ ୨୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶୁକ୍ରବାର ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ମାଲକାନଗିରି, କନ୍ଧମାଳ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ ନବରଙ୍ଗପୁର, ବଲାଙ୍ଗୀର, ରାୟଗଡ଼ା, ନୟାଗଡ଼, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଶନିବାର ଓ ରବିବାର ବର୍ଷାର ପ୍ରକୋପ ସାମାନ୍ୟ କମିବା ସହିତ ୧୧ ତାରିଖରୁ ପୁଣି ବର୍ଷାର ପ୍ରକୋପ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ ସ୍ଥାନରେ ବର୍ଷା ହୋଇଛି । ନୟାଗଡ଼ରେ ସର୍ବାଧିକ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଢେଙ୍କାନାଳରେ ୩୮.୨, ଖୋର୍ଦ୍ଧାରେ ୩୦, ଭୁବନେଶ୍ୱର ୨୨, ଗୋପାଳପୁର ୨୦ ଓ ସମ୍ବଲପୁରରେ ୧୯ ମିମି ବର୍ଷା ରେକର୍ଡ କରାଯାଇଛି ।

Leave A Reply

Your email address will not be published.