ଭବିଷ୍ୟତ ପିଢ଼ିକୁ ସୁସ୍ଥ ଓ ସୁଖୀ କରିବାର ପ୍ରୟାସ ଶିଶୁ ବଜେଟ୍ ପରେ ଶିଶୁ ନୀତି

0 90

ଭୁବନେଶ୍ୱର, ୧୧ା୭(ଡିକେ ନ୍ୟୁଜ): \”ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଆ\’ ଲକ୍ଷ୍ୟରେ ଆଉ ପାଦେ ଆଗେଇବ ଓଡ଼ିଶା । ଭବିଷ୍ୟତ ପିଢିକୁ ସୁସ୍ଥ ଓ ସୁଖି କରିବାର ପ୍ରୟାସରେ ନୂତନ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ଶିଶୁ କୈନ୍ଦ୍ରିକ ହେବ । ଶିଶୁମାନଙ୍କ ଶାରରୀକ ଏବଂ ମାନସିକ ବିକାଶକୁ ପ୍ରାଧାନ୍ୟ ଦିଆଯିବ । ଏହି କ୍ରମରେ ଶିଶୁମାନଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିଶୁ ବଜେଟ ଅଣାଯାଇ ସାରିଛି । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ୟୁନିସେଫ୍ ସହଯୋଗରେ ଶିଶୁ ନୀତି ଆଣିବା ପାଇଁ ମଧ୍ୟ ଯୋଜନା କରାଯାଉଛି । ଶିଶୁ ବଜେଟର ସଫଳ ରୂପାୟନ ପରେ ସ୍ୱତନ୍ତ୍ର ଶିଶୁ କୈନ୍ଦ୍ରିକ ନୀତି ସେମାନଙ୍କ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)- ୨୦୩୦ ହାସଲରେ ସହାୟକ ହେବ ବୋଲି କୁହାଯାଉଛି । ଏସ୍‌ଡିଜିରେ ଥିବା ୧୭ଟି ଏସ୍‌ଡିଜିରେ ୪୪ ଟି ଶିଶୁ ସମ୍ବନ୍ଧୀୟ ମାନକ ରହିଛି । ଶେଷ ଜନଗଣନା(୨୦୧୧) ଅନୁଯାୟୀ ୧.୪ କୋଟି ଶଶୁ ରାଜ୍ୟରେ ଥିଲେ । ଦଶନ୍ଧି ପରେ ୨୦୨୨ରେ ଏହି ସଂଖ୍ୟା ନିଶ୍ଚିତ ଭାବେ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳିର ଶପଥ ନେବା ପରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଥମ ଶିଶୁ ବଜେଟ ପ୍ରଣୟନ କରିଥିଲେ । ଚଳିତ ବର୍ଷ ୧୩ଟି ପ୍ରମୁଖ ବିଭାଗରେ ଶିଶୁ-କୈନ୍ଦ୍ରିକ ଯୋଜନା ରହିଛି । ସାମଗ୍ରିକ ଭାବେ ଶିଶୁ କୈନ୍ଦ୍ରିକ କାର୍ଯ୍ୟକ୍ରମ ସଂଖ୍ୟା ୨୬୦ ରହିଛି । ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ଶିଶୁଙ୍କ ମୁଣ୍ଡପିଛା ଖର୍ଚ୍ଚ ମଧ୍ୟ ବୃଦ୍ଧି କରିଛନ୍ତି । ଗତ ୨୦୨୧- ୨୨ରେ ଏହି ଖର୍ଚ୍ଚ ୧୬,୫୯୩ ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୧୮,୭୩୦ ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୦-୨୧ ରେ ପିଲାଙ୍କ ପାଇଁ ୨୦,୨୨୬ କୋଟି ଖର୍ଚ୍ଚ ହୋଇଥିଲା । ଏହା ପରବର୍ଷ ବ୍ୟୟ ୨୪,୭୨୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ସେହିପରି ଚଳିତବର୍ଷ ଏଥିପାଇଁ ୨୭,୨୪୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ଅର୍ଥର ପ୍ରାୟ ୩୫% ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପାଇଁ ରହିଛି । ଏପର୍ଯ୍ୟନ୍ତ ଶିଶୁମାନଙ୍କର ଶିକ୍ଷା ପାଇଁ ୬୨.୩ ପ୍ରତିଶତ ଅଂଶଧନ ଥିବାବେଳେ ବିକାଶ ଏବଂ ସ୍ୱାସ୍ଥ୍ୟ ପାଇଁ ୧୯.୭ ପ୍ରତିଶତ ଏବଂ ଶିଶୁ ସୁରକ୍ଷା ପାଇଁ ୮.୭୫ ପ୍ରତିଶତ ଶିଶୁ ବଜେଟରେ ରହିଛି ବୋଲି ଅଧିକାରୀମାନେ ସ୍ୱୀକାର କରିଛନ୍ତି । ୨୦୨୨-୨୩ରେ ରାଜ୍ୟ ମୋଟ ବଜେଟର ୧୩.୧୯ ପ୍ରତିଶତ ଏବଂ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୩.୭୯ ପ୍ରତିଶତ ପିଲାମାନଙ୍କ ପାଇଁ ଖର୍ଚ୍ଚ ଆକଳନ କରାଯାଇଛି । ବର୍ତ୍ତମାନ ଏବଂ ଭବିଷ୍ୟତ ପିଢି ପାଇଁ ନିରନ୍ତର ବିକାଶ ହାସଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶିଶୁ ଏବଂ କିଶୋରମାନଙ୍କ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବରାଦ ଏବଂ ପ୍ରଭାବଶାଳୀ ଢଙ୍ଗରେ ବ୍ୟୟ ସମସ୍ତ ଶିଶୁଙ୍କ ଅଧିକାରକୁ ସୁନିଶ୍ଚିତ କରିବ ଏବଂ ସେମାନେ ସଂରକ୍ଷିତ ଏବଂ ପଦୋନ୍ନତି ପାଇବେ ଏବଂ କୌଣସି ଶିଶୁ ପଛରେ ରହିବେ ନାହିଁ ।

Leave A Reply

Your email address will not be published.