କରୋନା ସଂକ୍ରମଣ: ରାଜ୍ୟରେ ପୁଣି ହୁ ହୁ…

0 70

ଭୁବନେଶ୍ୱର, ୧୧ା୭(ଡିକେ ନ୍ୟୁଜ): ରାଜ୍ୟରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । ଭୁବନେଶ୍ୱର ସମେତ କିଛି ଜିଲ୍ଳାରେ କୋଭିଡ୍ ସଂକ୍ରମଣ ବଢ଼ୁଛି । ବିଶେଷକରି ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି । କାରଣ ଆଜି ଆକସ୍ମିକ ଭାବେ ଏ ଦୁଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୫୦୦ ଉପରେ ରହିଛି । ଗତ ୧୩ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ସୋମବାର ଦିନ ୫୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୫୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୬୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି । ଆଜି ରାଜ୍ୟର ୨୫ଟି ଜିଲ୍ଲାରୁ ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୫ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨ ଜଣ, ବରଗଡ଼ ଜିଲ୍ଲାରୁ ୧ ଜଣ, ଭଦ୍ରକରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧରୁ ୧ ଜଣ, କଟକରୁ ୬୮ ଜଣ, ଦେବଗଡ଼ରରୁ ୨ ଜଣ, ଗଜପତିରୁ ୮ ଜଣ, ଜଗତସିଂହପୁରରୁ ୮ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୧୯, କୋରାପୁଟ ଜିଲ୍ଲାରୁ ୪ ଜଣ, ମୟୂରଭଞ୍ଜରୁ ୧୬ ଜଣ, ନୟାଗଡ଼ ଜିଲ୍ଲାରୁ ୫ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୪୧ଜଣ, ସୋନପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୬୩ ଜଣ ଓ ଷ୍ଟେଟପୁଲରୁ ୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୪, ୦୭୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨,୮୧, ୫୩୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୩୩୬୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ନିଜର ମତ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । ସେ ତାଙ୍କର ମତ ରଖି କହିଛନ୍ତି କି ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ କୋଭିଡ ସଂକ୍ରମଣ ବଢୁଛି । ସ୍ଥିତି ନିୟନ୍ତ୍ରଣରେ ଅଛି । ରାଜ୍ୟରେ ସକ୍ରିୟ ମାମଲା ପ୍ରାୟ ୩୨୦୦ ରହିଛି । ମାତ୍ର ୧ ପ୍ରତିଶତ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ୯୯ ପ୍ରତିଶତ ଲୋକ ପୃଥକବାସରେ ରହିଛନ୍ତି । ମାସେ ତଳେ ୧୦ ହଜାର ଟେଷ୍ଟିଂ ହେଉଥିବା ବେଳେ ଏବେ ୧୫ ହଜାର ହେଉଛି । ରବିବାର ଓ ଅନ୍ୟ ଛୁଟି ଦିନରେ ଟେଷ୍ଟିଂ କମ୍ ରହିବ । ଆମେ ଦିନକୁ ୨୫ ହଜାର ପର୍ଯ୍ୟନ୍ତ ଟେଷ୍ଟିଂ କରିବାର ଯୋଜନା ରଖିଛୁ । ପୂର୍ବରୁ ଦ୍ୱିତୀୟ ଓ ତୃତୀୟ ଡୋଜ ଭିତରେ ୯ ମାସର ବ୍ୟବଧାନ ରହୁଥିଲା । ଏବେ ତାହା ୬ ମାସ କରାଯାଇଛି । ସରକାର ସମ୍ମୁଖ ଯୋଦ୍ଧା, ୬୦ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଟିକା ଦେଉଛନ୍ତି । ୧୮ରୁ ୫୯ ବର୍ଷ ଲୋକଙ୍କୁ ଘରୋଇ ହସ୍ପିଟାଲରେ ନେବାକୁ ପଡ଼ିବ । ଭାରତ ସରକାର ଏ ଦିଗରେ ନିଷ୍ପତ୍ତି ନେବେ ଯେ ୧୫ରୁ ୫୯ ବର୍ଷ ଲୋକଙ୍କୁ ମାଗଣାରେ ତୃତୀୟ ଡୋଜ ଦିଆଯିବ କି ନାହିଁ । ଏହି ସପ୍ତାହରେ ଆମ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ଅଛି । ସେଠି ଆଲୋଚନା କରିବୁ । ଦରକାର ପଡିଲେ ତୃତୀୟ ଡୋଜ ମାଗଣା ଦେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ ।

Leave A Reply

Your email address will not be published.