୧୦ ୱିକେଟରେ ଜିତିଲା ଭାରତ

0 85

ଲଣ୍ଡନ, ୧୨ା୭: ଲଣ୍ଡନର କେନିଙ୍ଗଟନ ଓଭଲଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡ ଦ୍ୱାରା ରଖାଯାଇଥିବା ୧୧୧ ରନ ଲକ୍ଷ୍ୟକୁ ଭାରତ କୌଣସି ୱିକେଟ ନ ହରାଇ ୧୮.୪ ଓଭରରେ ହାସଲ କରିନେଇଥିଲା । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବୋଲିଂ କରି ଭାରତୀୟ ବୋଲରମାନେ ଇଂଲଣ୍ଡକୁ ମାତ୍ର ୧୧୦ରନରେ ସୀମିତ ରଖିବା ପରେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଦଳ ପାଇଁ ଏକ ସହଜ ବିଜୟ ଆଣି ଦେଇଥିଲେ । ରୋହିତ ୭୬ ରନ କରିଥିବାବେଳେ ଶିଖର ୩୧ ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା । ତାରକା ଖଚିତ ଏହି ଦଳର କୌଣସି ବ୍ୟାଟ୍ସମ୍ୟାନ ବୁମରାଙ୍କ ବୋଲିଂର ସାମନା କରିପାରିନଥିଲେ । ଦଳର ୪ ଜଣ ବ୍ୟାଟ୍ସମ୍ୟାନ ଜାସନ ରଏ, ଜୋଏ ରୁଟ, ବେନ ଷ୍ଟୋକ୍ସ ଓ ଲିଆମ ଲିଭିଙ୍ଗଷ୍ଟୋନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ସେହିପରି ଜନି ବେୟାରଷ୍ଟୋ ୭ ରନ ଓ ମୋଇନ ଅଲି ୧୪ ରନ କରିଥିଲେ । ତେବେ ଅଧିନାୟକ ଜସ ବଟଲର କିଛି ସମୟ କ୍ରିଜରେ ତିଷ୍ଠି ରହି ଭାରତୀୟ ବୋଲରଙ୍କ ମୁକାବିଲା କରିଥିଲେ । ସେ ୩୦ ରନ କରି ସାମିଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ବୁମରା ୬ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ୩ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.