ଜାତୀୟ ପ୍ରତୀକର ନୂଆ ରୂପକୁ ନେଇ ବିବାଦ

0 63

ନୂଆଦିଲ୍ଲୀ ୧୨ ।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ହୋଇଥିବା ଜାତୀୟ ପ୍ରତୀକକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିଶାଳକାୟ ୪ ସିଂହ ବିଶିଷ୍ଟ ଭାରତର ଜାତୀୟ ପ୍ରତୀକ ସଂସଦର ନୂଆ ବିଲଡିଂ ଉପରେ ରହିଛି । ସୋମବାର ଏହା ଅନାବରଣ ହେବା ପରେ ଏହାର ରୂପକୁ ବଦଳାଇ ଦିଆଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ପୂର୍ବରୁ ସମ୍ରାଟ ଅଶୋକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଜାତୀୟ ପ୍ରତୀକର ୪ ସିଂହ ଓ ବର୍ତ୍ତମାନ ମୋଦିଙ୍କ ହାତରେ ଉଦଘାଟିତ ହୋଇଥିବା ୪ ସିଂହ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ପୂର୍ବରୁ ବ୍ୟବହାର ହେଉଥିବା ଜାତୀୟ ପ୍ରତୀକରେ ଥିବା ସିଂହଗୁଡ଼ିକ ବେଶ ଶାନ୍ତ ଓ ସୁନ୍ଦର ଭାବେ ରହିଥିଲେ । ସେମାନେ କେବଳ ଜିଭ କାଢ଼ିଥିଲେ । ହେଲେ ଏବେ ଉଦଘାଟିତ ହୋଇଥିବା ସିଂହଗୁଡ଼ିକ ବେଶ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି । ସେମାନେ ଆକ୍ରମଣ ମୁଦ୍ରାରେ ଦାନ୍ତ ବାହାର କରି ରହିଛନ୍ତି । ଏହା ଭାରତର ନୀତି ଓ ସଂସ୍କୃତିର ବିରୋଧାଚରଣ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ଜାତୀୟ ପ୍ରତୀକରେ ଥିବା ସିଂହଗୁଡ଼ିକର ହାବଭାବରେ ବେଶ ସୁନ୍ଦରତା ରହିଥିଲା । ସେମାନେ ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଉଥିଲେ । ହେଲେ ନୂଆ ଜାତୀୟ ପ୍ରତୀକର ସିଂହ ଗୁଡ଼ିକ ମଣିଷକୁ ଖାଇଯିବାର ଆଭିମୁଖ୍ୟ ପୋଷଣ କରିଥିବା ଦଳ କହିଛି । ପ୍ରଧାନମନ୍ତ୍ରୀ ମୋଦି ବ୍ୟବହାର କରୁଥିବା ଅମୃତକାଳ ଶବ୍ଦକୁ ନେଇ ଆରଜେଡି ତାଙ୍କୁ ବାଣ ମଧ୍ୟ ମାରିଛି । ଦଳ ଟ୍ୱିଟ କରି କହିଛି ଯେ ମୂଳ ବା ପ୍ରକୃତଜାତୀୟ ପ୍ରତୀକରେ ଉଦାର ଭାବ ଥିଲା । କିନ୍ତୁ ଅମୃତକାଳରେ ତିଆରି ହୋଇଥିବା ଜାତୀୟ ପ୍ରତୀକରେ ମଣିଷକୁ ଗିଳିବା ଓ ଦେଶର ସବୁ କିଛିକୁ ଖାଇ ଯିବାର ଭାବ ରହିଛି । ପ୍ରତିଟି ପ୍ରତୀକ ଜଣେ ମଣିଷର ପ୍ରକୃତ ଭାବକୁ ଦର୍ଶାଇ ଥାଏ । ପ୍ରତୀକ ହିଁ ଜଣେ ବ୍ୟକ୍ତିତ୍ୱ ପ୍ରକୃତ ସ୍ୱାଭାବକୁ ସାମ୍ନାକୁ ଆଣିଥାଏ । ଟିଏମସି ସାଂସଦ ଜବାହର ସରକାର କହିଛନ୍ତି, ଏହା ଆମର ଜାତୀୟ ପ୍ରତୀକ ଓ ଅଶୋକଙ୍କସୁନ୍ଦର ସିଂହଗୁଡ଼ିକ ପ୍ରତି ଅପମାନ । ସେ ପୁରୁଣା ଜାତୀୟ ପ୍ରତୀକ ଓ ନୂଆ ଜାତୀୟ ପ୍ରତୀକର ଫଟୋ ଜାରି କରି ସରକାରଙ୍କୁ ସମାଲୋଚନା କରିଛନ୍ତି । ଟିଆରଏସ୍‌ର ମିଡିଆ ସଂଯୋଜକ ୱାଇ ସତୀଶ ରେଡ୍ଡୀ, ସୁପ୍ରିମକୋର୍ଟ ଓକିଲ ପ୍ରଶାନ୍ତ ଭୂଷଣ, ପୂର୍ବତନ ବିଜେପି ସାଂସଦ କୀର୍ତ୍ତି ଆଜାଦ, ଆପ ସାଂସଦ ସଞ୍ଜୟ ସିଂହ, ଟିଏମସି ସାଂସଦ ମହୁଆ ମୌତ୍ର ପ୍ରମୁଖ ପୁରୁଣା ଓ ନୂଆ ପ୍ରତୀକର ଫଟୋ ଛାଡ଼ି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ସଞ୍ଜୟ ସିଂହ କହିଛନ୍ତି, ୧୩୦ କୋଟି ଭାରତୀୟକୁ ପ୍ରଶ୍ନ କରିବାକୁ ଚାହୁଁଛି ଯେ ରାଷ୍ଟ୍ରୀୟ ପ୍ରତୀକକୁ ବଦଳାଇଥିବା ଲୋକଙ୍କୁ ଦେଶଦ୍ରୋହୀ କୁହାଯିବ ନା ନାହିଁ? ଅନ୍ୟପକ୍ଷରେ ମୋଦି ସରକାର ଜାତୀୟ ପ୍ରତୀକର ପରିବର୍ତ୍ତନକୁ ଯର୍ଥାର୍ଥ କହିଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ଜାତୀୟ ପ୍ରତୀକକୁ ସାରନାଥ \”ଲାଇଅନ କ୍ୟାପିଟାଲ ଅଫ ଅଶୋକରୁ ଗ୍ରହଣ କରାଯାଇଛି । ଅଶୋକଙ୍କ ସିଂହ ସାରନାଥ ସଂଗ୍ରହାଳୟରେ ରହିଛି । ଏହି ଆଧାରରେ ନୂଆ ଜାତୀୟ ପ୍ରତୀକ ତିଆରି ହୋଇଛି । ଦେଶର ଗର୍ବକୁ ସଂସଦର ବିଲଡିଂ ଉପରେ ରଖାଯାଇଛି । ଏହାର ଉଚ୍ଚତା ୬.୫ ମିଟର ହୋଇଥିବା ବେଳେ ଓଜନ ୧୬ ହଜାର କେଜି । ଭାରତୀୟ କାରିଗରମାନେ ନିଜ ହାତରେ ଏହାକୁ ତିଆରି କରିଛନ୍ତି । ଜାତୀୟ ପ୍ରତୀକଟି ସଂପୂର୍ଣ୍ଣ ବ୍ରୋଞ୍ଜରେ ତିଆରି ହୋଇଛି । ଅନ୍ୟ କୌଣସି ଜିନିଷ ଜାତୀୟ ପ୍ରତୀକରେ ବ୍ୟବହାର ହୋଇନି । ଭାରତର ବିଭିନ୍ନ ପ୍ରାନ୍ତରୁ ୧୦୦ରୁ ଅଧିକ କାରଗିର ୬ ମାସରୁ ଅଧିକ ସମୟ ଧରି ଏହି ଜାତୀୟ ପ୍ରତୀକକୁ ତିଆରି କରିଛନ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି ।

Leave A Reply

Your email address will not be published.