ଖଣି ପରିଚାଳନାରେ ଓଡ଼ିଶା ନମ୍ବର ୱାନ୍‌

0 63

ଭୁବନେଶ୍ୱର, ୧୩ା୭(ଡିକେ ନ୍ୟୁଜ): ଖଣିଜ ପଦାର୍ଥ ଚିହ୍ନଟ, ସ୍ୱଚ୍ଛ ନିଲାମୀ ପ୍ରକ୍ରିୟା ଓ ଆବଣ୍ଟନ, ଖଣି ରାଜସ୍ୱ ସଂଗ୍ରହ ଏବଂ ଡିଏମଏଫ ପାଣ୍ଠିର ସୁବିନିଯୋଗରେ ଓଡ଼ିଶା ପୁଣିଥରେ ଦେଶରେ ଅଗ୍ରଣୀ ରାଜ୍ୟ ମାନ୍ୟତା ପାଇଛି । ଜାତୀୟ ଖଣି ଏବଂ ଖଣିଜ ସମ୍ପଦ ସମ୍ମିଳନୀ-୨୦୨୨ରେ ଓଡ଼ିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି । ୨୦୧୯-୨୦ ଏବଂ ୨୦୨୦-୨୧ ମସିହା ପାଇଁ ଏହି ପୁରସ୍କାର ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହ ଓଡ଼ିଶାକୁ ପ୍ରଦାନ କରିଛନ୍ତି । ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ବିଭାଗୀୟ ପ୍ରମୁଖ ସଚିବ ଡି.କେ ସିଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଦୁଇଟି ବର୍ଗରେ ଓଡ଼ିଶାକୁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ମିଳିଛି । ଗୋଟିଏ ବର୍ଗରେ ରାଜ୍ୟରେ ଲୁହା ପଥର ଏବଂ ଚୂନପଥର ଖଣି ଉତ୍ତୋଳନ ପ୍ରକ୍ରିୟା ପାଇଁ ପ୍ରଥମ ପୁରସ୍କାର ମିଳିଛି । ଅନ୍ୟ ଏକ ବର୍ଗରେ ଗ୍ରାଫାଇଟ୍‌, କ୍ରୋମାଇଟ୍‌ ଏବଂ ମାଙ୍ଗାନିଜ୍ ଉତ୍ତୋଳନ ଓ ପ୍ରକ୍ରିୟା ପାଇଁ ଦ୍ୱିତୀୟ ପୁରସ୍କାର ମିଳିଛି । ପ୍ରଥମ ପୁରସ୍କାର ବାବଦରେ ଓଡ଼ିଶାକୁ ୩ କୋଟି ଟଙ୍କା ଏବଂ ଦ୍ୱିତୀୟ ପୁରସ୍କାର ବାବଦରେ ୨ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଅନୁରୂପ ଭାବରେ ରାଜ୍ୟ ଖଣିଜ ସମ୍ପଦ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ଥିବା ୩୭ଟି ବ୍ଲକକୁ ମଧ୍ୟ ପୁରସ୍କୃତ କରାଯାଇଛି । ଏହି ବ୍ଲକଗୁଡ଼ିକୁ ପ୍ରୋତ୍ସାହନ ରାଶି ଭାବେ ୨୦ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ପାଇବେ । ଏହି କାର୍ଯ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ମଲ୍ଲିକ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ଉପସ୍ଥିତ ରହିଥିଲେ । ପ୍ରଥମ ପୁରସ୍କାର ମିଳିଥିବା ବର୍ଗରେ ମୋଟ ୨୮ଟି ଖଣି ନିଲାମୀ ପ୍ରକ୍ରିୟାକୁ ବିଚାରକୁ ନିଆଯାଇଥିଲା । ଏହା ମଧ୍ୟରେ ୨୬ଟି ଲୁହା ପଥର ଖଣି ଏବଂ ୨ଟ ଚୂନପଥର ଖଣି ରହିଥିଲା । ସେହିପରି ଦ୍ୱିତୀୟ ପୁରସ୍କାର ମିଳିଥିବା ବର୍ଗରେ ୯ଟି ଖଣି ନିଲାମୀ ପ୍ରକ୍ରିୟାକୁ ନିଆଯାଇଥିଲା ।ଏଥିରେ ୩ଟି ଲେଖାଏଁ ଗ୍ରାଫାଇଟ୍‌, କ୍ରୋମାଇଟ୍ ଏବଂ ମାଙ୍ଗାନିଜ୍ ଖଣି ରହିଥିଲା । କରୋନା ମହାମାରୀ ଏବଂ ବିଶ୍ୱ/ଜାତୀୟ ଅର୍ଥନୀତିର ନିମ୍ନଗାମୀ ହେଉଥିବା ବେଳେ ଖଣି ରାଜସ୍ୱ ରାଜ୍ୟ ଅର୍ଥନୀତି ପାଇଁ ସଞ୍ଜିବନୀ ସଦୃଶ ହୋଇଥିଲା । ଗତ ଆର୍ଥିକ ବର୍ଷରେ (୨୦୨୧-୨୨) ଖଣି ରାଜସ୍ୱ ବାବଦରେ ୪୮,୪୮୯.୯୮ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ଏହି ଖଣି ରାଜସ୍ୱ ଏହାର ପୂର୍ବବର୍ଷ ଅର୍ଥାତ ୨୦୨୦-୨୧ରେ ମାତ୍ର ୧୩,୭୯୧ କୋଟି ଟଙ୍କା ରହିଥିଲା । ଏହି ପରିପ୍ରେକ୍ଷୀରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ବ୍ଲକ ଗୁଡ଼ିକୁ ପ୍ରୋତ୍ସାହନ ବାବଦରେ ପ୍ରାୟ ୭ କୋଟି ୪୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଉପ-ଖଣି ନିର୍ଦ୍ଦେଶକ ୟୁ.ସି ଜେନା କହିଛନ୍ତି । ଏହିପରି ଭାବେ ସଦ୍ୟ ସମାପ୍ତ ଜାତୀୟ ଖଣି ଏବଂ ଖଣିଜ ସମ୍ପଦ ସମ୍ମିଳନୀରୁ ରାଜ୍ୟକୁ ପ୍ରାୟ ୧୨ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ମିଳିବ । କିଛିଦିନ ତଳେ ଓଡ଼ିଶା ଖଣି ନିଗମ(ଓଏମସି) ଅଧିନରେ ଆସୁଥିବା ଦକ୍ଷିଣ କାଳିଆପାଣି କ୍ରୋମାଇଟ ଖଣିକୁ ସମ୍ମାନଜନକ ନ୍ୟାସନାଲ ସେଫ୍ଟି ଆୱାର୍ଡ ମଧ୍ୟ ମିଳିଥିଲା । ଓଏମସି ଏମଡି ବଲୱନ୍ତ ସିଂ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଠାରୁ ଗ୍ରହଣ କରିଥିଲେ । ସେହିପରି ୨୦୨୧- ୨୨କୁ ଓଏମସିର ଖଣି ପରିଚାଳନାକୁ ସେଫ୍ଟି ଇୟର(ନିରାପତ୍ତା ବର୍ଷ) ଭାବେ ଗଣାଯାଇଥିଲା । ବିଶେଷ କରି କରୋନା ମହାମାରୀ ସମୟରେ ଖଣି କାର୍ଯ୍ୟ ସମୟରେ ପିପିଇ କିଟ୍ ବ୍ୟବହାର, କ୍ୱାରି ଡମ୍ପ-ଷ୍ଟକ୍ ପାଇଲ ସେଫ୍ଟି, ଡ଼େସପ୍ୟାଚ୍ ସେଫ୍ଟି, ଏଚଇଏମଏମ ଏଣ୍ଡ ପ୍ଲାଟ ସେପ୍ଟିଂ, ବୈଦ୍ୟୁତିକ ନିରାପତ୍ତା ପରିଚାଳନା, ଅଗ୍ନି ନିରାପତ୍ତା, ଶବ୍ଦ ପ୍ରଦୂଷଣ ହ୍ରାସ ଏବଂ ଅଧିକାରୀଙ୍କ ସୁରକ୍ଷା ମାନଙ୍କରେ ଓଏମସି ଉତ୍ତମ ପ୍ରଦର୍ଶନ କରିଥିଲା । ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ଓଡ଼ିଶାର ୧୫ଟି ଖଣି ଓ ୧୬ଟି ଲଘୁ ଖଣିଜ ବ୍ଲକ୍ ନିଲାମ ହେବ ବୋଲି ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଳିକ ।

Leave A Reply

Your email address will not be published.