ଶାନ୍ତ ସିଂହର ହିଂସ୍ର ରୂପ ଜଳୁଛି ସୁନାର ଲଙ୍କା: ଏମରଜେନ୍ସି ଲାଗୁ

0 69

କଲମ୍ବୋ, ୧୩ା୭: ଜଳୁଛି ଶ୍ରୀଲଙ୍କା । ଦିନକୁ ଦିନ ଏଠାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ରାଜନୈତିକ ଓ ଆର୍ଥିକ ସଙ୍କଟ ଏଠାରେ ଉତ୍କଟ ହେବାରେ ଲାଗିଛି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ପଦରୁ ଇସ୍ତଫା ନଦେଇ ଗୋଟାବାୟା ରାଜପକ୍ଷ ସପରିବାରେ ଦେଶ ଛାଡି ମାଳଦ୍ୱୀପ ପଳାଇଛନ୍ତି । ଯାହାକୁ ନେଇ ତେଜିଛି ଅସନ୍ତୋଷ । ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ହଜାର ହଜାର ଜନସାଧାରଣ । ଲୋକେ ଆଜି ସଂସଦ ଭବନ ଏବଂ ପିଏମ୍‌ ହାଉସକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାରେ ପୁଣି ଜରୁରିକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଗୋଟାବାୟାଙ୍କ ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି । ରାଜଧାନୀ କଲମ୍ବୋରେ ମଧ୍ୟ ସ୍ଥିତି ବେକାବୁ ରହିଛି । ଲୋକେ ବିକ୍ରମସିଙ୍ଘେଙ୍କ ମଧ୍ୟ ଇସ୍ତଫା ଦାବି କରୁଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ପିଏମ୍ ଆବସରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ପୋଲିସକୁ ଭିଡ ବିରୋଧରେ ଲୁହା ବୁହା ଗ୍ୟାସ୍ ବ୍ୟବହାର କରିବାକୁ ପଡିଛି । ଅନେକ ସ୍ଥାନରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।ବିକ୍ରମସିଙ୍ଘେଙ୍କ ମୁଖପାତ୍ରଙ୍କ କହିବା ମୁତାବକ, ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପଶ୍ଚିମାଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି । ବୁଧବାର ସକାଳେ ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଲୋକେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଉଭୟଙ୍କୁ କ୍ଷମତାରୁ ବିତାଡିତ କରିବାକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଗୋଟବାୟା ରାଜପକ୍ଷ ବର୍ତ୍ତମାନ ମାଳଦ୍ୱୀପରେ ଅଛନ୍ତି । ଏଠାରୁ ସେ ଦୁବାଇ ଯିବେ । ସେ ନିଜ ଇସ୍ତଫା ପତ୍ରରେ ହସ୍ତାକ୍ଷର ନ କରି ଦେଶ ଛାଡି ପଳାଇଛନ୍ତି । ରାଷ୍ଟ୍ରପତି ଗୋଟାବାୟା ଜୁଲାଇ ୧୩ରେ ଇସ୍ତଫା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗିରଫଦାରୀ ଭୟକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେବା ପୂର୍ବରୁ ଦେଶ ଛାଡି ପଳାଇଥିଲେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଅସନ୍ତୋଷ ସୃଷ୍ଟି ହୋଇଛି । ଅର୍ଥନୈତିକ ସଙ୍କଟ ମଧ୍ୟରେ ଲୋକେ ପୂର୍ବରୁ ରାଷ୍ଟ୍ରୀୟ ଭବନକୁ ଦଖଲ କରି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଥିଲେ । ଅନ୍ୟପକ୍ଷରେ ଆର୍ଥିକ ସମସ୍ୟାରୁ ଆରମ୍ଭ ହୋଇଥିବା ସଂକଟ ଏବେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି । ଜନତାଙ୍କ ଆକ୍ରୋଶ ମଧ୍ୟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଗେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଘେରାଉ କରି ରଖିଛନ୍ତି । ସଡ଼କରେ ସେନା ନିୟୋଜିତ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସମେତ ଅନେକ ନେତା ଅଣ୍ଡରଗ୍ରାଉଣ୍ଡ ହୋଇଗଲେଣି । ଏହା ମଧ୍ୟରେ ଶ୍ରୀଲଙ୍କାରେ ଖାଦ୍ୟ ପାନୀୟ ସମେତ ଅନେକ ଜରୁରି ସାମଗ୍ରୀ ଦର ଏବେ ଆକାଶଛୁଆଁ । ଏପରିକି ଟଏଲେଟ୍ ପେପର କିଣିବା ପାଇଁ ସମ୍ବଳ ଅଭାବ । ଗୋଟିଏ ଓଳି ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ରାଜଧାନୀ କଲମ୍ବୋର ଫୋଜ୍ ମାର୍କେଟର ସଦ୍ୟ ତଥ୍ୟ ଅନୁସାରେ, ଶ୍ରୀଲଙ୍କାରେ ଏବେ କିଲୋ ପିଛା ଟମାଟୋ ଦର ୧୫୦ ଶ୍ରୀଲଙ୍କା ଟଙ୍କାରେ ପହଞ୍ଚିଛି । ମୂଳା ଦର କିଲୋ ପିଛା ୪୯୦ ଟଙ୍କା ଛୁଇଁଛି । ଆଳୁ ୨୨୦ ଟଙ୍କା ଏବଂ ପିଆଜ ୨୦୦ ଟଙ୍କାରେ ବିକ୍ରି ହେଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଯୋଗୁ ମହଙ୍ଗା ନିଆଁରେ ଚିତ୍କାର କରୁଛନ୍ତି ସାଧାରଣ ଜନତା । ଆଗକୁ ଏଠାରେ ଦରବୃଦ୍ଧି ୭୦%ରେ ପହଞ୍ଚିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଦେଶରେ ପେଟ୍ରୋଲ ଏବଂ ଡିଜେଲ ଅଭାବ ସ୍ଥିତି ମଧ୍ୟରେ ନିୟମିତ ପାୱାରକଟ୍ର ସାମ୍ନା କରୁଛନ୍ତି ଲୋକେ । ଏଭଳି ସ୍ଥିତିରେ ପନିପରିବା ଦରବୃଦ୍ଧି ଲୋକଙ୍କୁ ଅସହାୟ କରିଦେଇଛି । ଅର୍ଥନୀତିର ଆର୍ତ୍ତଚିତ୍କାର ମଧ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ଇନ୍ଧନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଶ୍ରୀଲଙ୍କା ୬୦୦ କୋଟ ଡଲାର ଆବଶ୍ୟକ କରୁଛି । ଅର୍ଥନୀତିକୁ ସ୍ଥିର କରିବା ପାଇଁ ଏହା ଆବଶ୍ୟକ । କିନ୍ତୁ ଏହି ପାଣ୍ଠି ଆସିବ କେଉଁଠୁ, ତାହା ଚିନ୍ତାର ବିଷୟ । ପାଖରେ ସମ୍ବଳ ନ ଥିବା ବେଳେ ଶ୍ରୀଲଙ୍କା ଏବେ ବାହାର ରାଷ୍ଟ୍ରରୁ ସହଯୋଗ ଲୋଡୁଛି । ଦେଶର ପ୍ରତିନିଧିମାନେ ବିଦେଶ ଗସ୍ତ କରି ଆର୍ଥିକ ସାହାଯ୍ୟ ମାଗୁଛନ୍ତି । ଶ୍ରୀଲଙ୍କାର ରକ୍ଷକ ସାଜି ଭାରତ ନିକଟରେ ଏହାକୁ ୪୦୦ କୋଟି ଡଲାରର ଋଣ ସହାୟତା ପ୍ରଦାନ କରିଥିଲା । ଏହାକୁ ବିଗତ କିଛି ମାସରେ ଶ୍ରୀଲଙ୍କା ଖର୍ଚ୍ଚ କରିସାରିଛି । କଲମ୍ବୋରେ ଇତି ମଧ୍ୟରେ ଅନେକ ବୈଠକ ହୋଇଛି, ଯେଉଁଥିରେ ଭାରତୀୟ ଅଧିକାରୀମାନେ ଆଗ୍ରହ ପ୍ରକାଶ କରିଛନ୍ତି ଯେ, ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ସହାୟତା ଜାରି ରଖାଯିବ । ତେବେ ଭାରତ ଆଉ କେତେ ଅଧିକ ସହାୟତା ପ୍ରଦାନ କରିପାରିବ ତାହା ଅସ୍ପଷ୍ଟ । ସ୍ଥିତି ଏତେ ମାତ୍ରାରେ ଖରାପ ହୋଇଯାଇଛି ଯେ, ଶ୍ରୀଲଙ୍କା ଇନ୍ଧନ କିଣିବା ପାଇଁ ଏକ କ୍ରେଡିଟ୍ ଲାଇନ୍ ଯୋଗାଇବା ନିମନ୍ତେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅନୁରୋଧ କରିଛି । ଦେଶର ପ୍ରତିନିଧିମାନେ ଏବେ ସହାୟତା ପାଇଁ ବିଭିନ୍ନ ଦେଶକୁ ଅନୁରୋଧ କରୁଛନ୍ତି । ଚୀନ୍‌, ଯିଏକି ରାଜପକ୍ଷେ ପରିବାରର ଦୀର୍ଘଦିନର ମିତ୍ର ଭାବେ ଜଣା ଏହା ନିଜକୁ ଏବେ ଶ୍ରୀଲଙ୍କାଠାରୁ ଦୂରେଇ ରଖୁଛି ।

Leave A Reply

Your email address will not be published.