ଡରାଇଲାଣି ଚତୁର୍ଥ ଲହର ରାଜ୍ୟରେ ହଜାରେ ଡେଇଁଲା ଦୈନିକ ସଂକ୍ରମଣ

0 72

ଭୁବନେଶ୍ୱର, ୧୫ା୭(ଡିକେ ନ୍ୟୁଜ): ଡରାଇଲାଣି ଚତୁର୍ଥ ଲହର । ରାଜ୍ୟରେ ହଜାରେ ଡେଇଁଲା ଦୈନିକ ସଂକ୍ରମଣ । ମାତ୍ର ୧୦ଦିନ ଭିତରେ ଦୈନିକ ସଂକ୍ରମଣ ୩ ଗୁଣାରୁ ଅଧିକ ବଢ଼ିଛି । ଜୁଲାଇ ୫ରେ ଦୈନିକ ସଂକ୍ରମଣ ୩୩୪ ଥିବାବେଳେ ଆଜି ୧୦୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଟିପିଆର ରେଡ୍‌ ଜୋନ୍‌ରେ ରହିଛି ୫ ଜିଲ୍ଲା ଓ ୟେଲୋ ଜୋନ୍‌ରେ ୪ ଜିଲ୍ଲା ରହିଛି । ପୂର୍ବରୁ ଖୋର୍ଦ୍ଧା ଓ କଟକ ରେଡ୍ ଜୋନ୍‌ରେ ଥିବା ବେଳେ ଆଜି ଯୋଡି ହୋଇଛି ବୌଦ୍ଧ, ସୋନପୁର ଓ ସୁନ୍ଦରଗଡ଼ । ତେବେ ପୁରୀ ଜିଲ୍ଲା ରେଡ୍‌ ଜୋନ୍‌ରୁ ବାହାରି ୟେଲୋ ଜୋନ୍‌ରେ ପହଞ୍ôଚଥିବା ବେଳେ ଜଗତସିଂହପୁର, ସମ୍ବଲପୁର ଓ ଗଜପତି ୟେଲୋ ଜୋନ୍‌ରେ ରହିଛି । ଏଥିନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ରାଜ୍ୟରେ ସଂକ୍ରମଣ ସହ ଟେଷ୍ଟ ପଜିଟିଭ୍ ରେଟ୍ ବଢ଼ୁଛି । ହେଲେ ହସ୍ପିଟାଲାଇଜେସନ୍ ସ୍ଥିତି ଉଦ୍‌ବେଗଜନକ ନୁହେଁ । ଆବଶ୍ୟକ ପଡ଼ିଲେ ଭିତ୍ତିଭୂମି ବଢ଼ାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏମିତି ସ୍ଥିତିକୁ ଦେଖି ସ୍କୁଲ ଓ କଲେଜ ବନ୍ଦ କରାଯିବ କି ନାହିଁ, ଉଚିତ ସମୟରେ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏସବୁ ଭିତରେ ଆଜିଠାରୁ ଆରମ୍ଭ ହୋଇଛି ୧୮ରୁ ୫୯ବର୍ଷ ବୟସ୍କଙ୍କୁ ମାଗଣା ପ୍ରିକ୍‌ସନ୍ ଡୋଜ୍ । ରାଜ୍ୟର ୨୩୨୦ କେନ୍ଦ୍ରରେ ଟିକାକରଣ ଚାଲିଥିଲା । ଏଥିନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ରାଜ୍ୟରେ ୧୩ଲକ୍ଷ ଟିକା ମହଜୁଦ୍ ଅଛି । ଏବର୍ଗର ଟିକାକରଣ ଲାଗି ଅଧିକ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ତେବେ ଏହି ମାଗଣା ଟିକାକରଣ ୭୫ଦିନ ଅଭିଯାନ ହୋଇଥିବାରୁ ସବୁ ଲୋକଙ୍କୁ ଟିକାକରଣ କରାଇବା କଷ୍ଟକର ହୋଇପାରେ । ଏଥିପାଇଁ ରାଜ୍ୟର ଟିକାକରଣ କେନ୍ଦ୍ର ସଂଖ୍ୟା ୩ହଜାରକୁ ବଢ଼ାଇବା ସହ କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ କ୍ୟାମ୍ପ କରି ଟିକା ଦିଆଯିବ । ଅନ୍ୟପକ୍ଷରେ ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ୧୦୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଜଣ ଅଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଏହି ୧୦୪୩ ଜଣ ଆକ୍ରାନ୍ତଙ୍କ ୬୦୯ ଜଣ କ୍ୱାରେଣ୍ଟାଇନରେ ଥିଲେ । ବାକି ୪୩୪ଟି ହେଉଛି ଲୋକାଲ୍ କେସ୍ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦୫, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟପୁଲରୁ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨, ଭଦ୍ରକ ୭, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୩, ଗଜପତି ୧୦, ଗଞ୍ଜାମ ୬, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୮, ଝାରସୁଗୁଡ଼ା ୧୨, କଳାହାଣ୍ଡି ୧୦, କନ୍ଧମାଳ ୨, କେନ୍ଦ୍ରାପଡ଼ା ୧୫, କେନ୍ଦୁଝର ୬, କୋରାପୁଟ ୪, ମୟୂରଭଞ୍ଜ ୨୮, ନବରଙ୍ଗପୁର ୯, ନୟାଗଡ଼ ୧୯, ନୂଆପଡ଼ା ୯, ପୁରୀ ୨୮, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୩୧ ଓ ସୋନପୁରରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୪୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୭,୧୭୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୨,୮୩,୧୬୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୪୮୨୫ ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ଦେଶରେ ଆଜି ମଧ୍ୟ ଦୈନିକ ସଂକ୍ରମଣ ୨୦ ହଜାର ଅତିକ୍ରମ କରିଛି । ଦିନକରେ ଆଉ ୨୦ ହଜାର ୦୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪.୩୭,୧୦,୦୨୭କୁ ବୃଦ୍ଧି ପାଇଛି । ସେହିପରି ଆଉ ୧୬,୯୯୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୩୦,୪୫,୩୫୦ ଆରୋଗ୍ୟ ଲାଭ କରିଛନ୍ତି । ଆରୋଗ୍ୟ ହାର ୯୮.୪୮ ପ୍ରତିଶତ । ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୬୦୪ରେ ପହଞ୍ଚିଛି । ମୃତ୍ୟୁହାର ୧.୨ ପ୍ରତିଶତ । ଆଉ ୧,୩୯,୦୭୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତ ହାର ୦.୩୨ ପ୍ରତିଶତ । ଦିନକ ଆଗରୁ ୪,୫୦,୮୨୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ମୋଟ ୮୬,୮୬,୧୫,୧୬୮ ନମୁନା ପରୀକ୍ଷା କରାଯାଇଛି । ୨୪ ଘଣ୍ଟା ପୂର୍ବରୁ ୧୮,୯୨,୯୬୯ ଟିକା ନେଇଥିବା ବେଳେ ଏଯାଏଁ ମୋଟ ୧,୯୯,୪୭,୩୪,୯୯୪ ଟିକାକରଣ କରାଯାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ୬,୨୩,୯୫୫ ଟିକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Leave A Reply

Your email address will not be published.