ବର୍ଷା ବିତ୍ପାତ: ୨୫ ରାଜ୍ୟରେ ୨୧୮ ମୃତ

0 70

ନୂଆଦିଲ୍ଲୀ, ୧୫ା୭: ଦେଶର ବିଭନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଆଣିଛି । ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ ଏବଂ କେରଳ ସମେତ ଦେଶର ୨୫ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଏ ପର୍ଯ୍ୟନ୍ତ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଜନିତ ଘଟଣାରେ ୨୧୮ ଲୋକ ପ୍ରାଣ ହରାଇଲେଣି । ପ୍ରବଳ ବର୍ଷା ଯୋଗୁଁ ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ୮୪ ଜଣଙ୍କ ମୃତ୍ୟୁ ହେଲାଣି । ତେଲଙ୍ଗାନାରେ ବୁଧବାର ରେକର୍ଡ ୬୮.୨ ମିମି, ଛତିଶଗଡରେ ୩୫.୮ ଏବଂ ମହାରାଷ୍ଟ୍ରରେ ୪୩ ମିମି ବର୍ଷା ହୋଇଛି । ଏ ପର୍ଯ୍ୟନ୍ତ ଦେଶରେ ୧୧ ପ୍ରତିଶତ ଅଧିକ ବର୍ଷା ହେଲାଣି । କ୍ରମାଗତ ଭାବେ ବର୍ଷା ଲାଗି ରହିଥିବା ଯୋଗୁଁ ମହାରାଷ୍ଟ୍ର ଚନ୍ଦ୍ରପୁରରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି । ଏଠାକାର ୬୦-୭୦ ପ୍ରତିଶତ ଅଞ୍ଚଳରେ ବନ୍ୟା ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ଗୁରୁବାର ଥାନେ, ପାଲଘର ଏବଂ ନଭି ମୁମ୍ବାଇର ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି । ମୁମ୍ବାଇ ୟୁନିଭର୍ସିଟିରେ ହେବାକୁ ଥିବା ପରୀକ୍ଷା ରଦ୍ଦ କରିଦିଆଯାଇଛି । ଗୋନ୍ଦିଆ ନଦୀରେ ଫସି ରହିଥିବା ୧୫ ଶ୍ରଦ୍ଧାଳୁଙ୍କୁ ଏସଡିଆରଏଫ୍‌ ଉଦ୍ଧାର କରିଛି । ଅହମଦାବାଦ-ମୁମ୍ବାଇ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି । ସେହିପରି ଗୁଜରାଟର ୫ ଜିଲ୍ଲା ଭଲସାଡ, ନବସାରୀ, ଡାଙ୍ଗ, ଜୁନାଗଡ, ଗିରି ଏବଂ ସୋମନାଥ ହାଇଆଲର୍ଟରେ ରହିଛି । ରାଜ୍ୟର ୩୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହା ବ୍ୟତୀତ ମଧ୍ୟପ୍ରଦେଶର ସମସ୍ତ ଜିଲ୍ଲାରେ ମୌସୁମୀ ସକ୍ରିୟ ରହିଛି । ବର୍ଷା ଏବଂ ବନ୍ୟା ଜନିତ ଘଟଣାରେ ରାଜ୍ୟର ୬୬ ଲୋକ ପ୍ରାଣ ହରାଇଲେଣି । ସେହିପରି ରାଜସ୍ଥାନର ସିରୋହି ଏବଂ ଉଦୟପୁରରେ ପ୍ରବଳ ବର୍ଷା ଚେତାବନୀ ଜାରି କରାଯାଇଛି । ଏଠାରେ କ୍ରମାଗତ ଭାବେ ବର୍ଷା ଜାରି ରହିଛି । ବାଂଶୱାଡା, ଝାଲାୱାଡାରେ ୫ ଇଞ୍ଚ ବର୍ଷା ହୋଇଛିୟ ସିରୋହୀ ଏବଂ ଉଦୟପୁର ଲାଗି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେଲଙ୍ଗାନା ସରକାର ବର୍ଷାକୁ ଦେଖି ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡର ଟିହରି ଜିଲ୍ଲାରେ ଗଙ୍ଗାନଦୀରେ ୪ ଜଣ ଲୋକ ଭାସି ଯାଇଛନ୍ତି । କୋଟଦ୍ୱାରରେ ନଦୀ ଜଳସ୍ତର ବୃଦ୍ଧି ପାଇଛି । ରାମନଗରରେ ଅନେକ କାର ନାଳ ପାଣିରେ ଭାସିଯାଇଛି । ସ୍ଥାନୀୟ ଲୋକ ବୁଡି ଯାଉଥିବା ୪ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି । ଏହା ବ୍ୟତୀତ କର୍ଣ୍ଣାଟକ ୬ ଜିଲ୍ଲା ପାଇଁ ଗୁରୁବାର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.