ଏଣିକି ସଂସଦ ଭିତରେ ଧାରଣା ଓ ବିକ୍ଷୋଭ ମନା

0 78

ନୂଆଦିଲ୍ଲୀ, ୧୫ା୭: ସଂସଦକୁ ନେଇ ଗୋଟିଏ ଡିଜିଟାଲ ମିଡିଆ ଉପରେ ଲାଗିବ ଅଙ୍କୁଶ ପରେ ଗୋଟିଏ ବିବାଦୀୟ ନିୟମ ଆସୁଛି । ନୂଆ ନିୟମ ଅନୁଯାୟୀ ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା ହୋଇଛି । ଏନେଇ ରାଜ୍ୟସଭା ସାଧାରଣ ସଚିବ ପିସି ମୋଡି ଏକ ବିଜ୍ଞପ୍ତି ଜାରି କରିଛନ୍ତି । ମୁଖ୍ୟତଃ ସଂସଦ ଭିତରେ କୌଣସି ଆନ୍ଦୋଳନ, ଧାରଣା, ଷ୍ଟ୍ରାଇକ୍‌, ଉପବାସ ମନା କରାଯାଇଛି । ଏମିତିକି କୌଣସି ଧର୍ମୀୟ ଉତ୍ସବ ଆଳରେ ଏସବୁ କରିବାକୁ ମନା କରାଯାଇଛି । ଏହି ମର୍ମରେ ଗୃହ ସଦସ୍ୟମାନଙ୍କୁ ସହଯୋଗ କରିବାକୁ କୁହାଯାଇଛି । ଏହି ନିର୍ଦ୍ଦେଶକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ କଡ଼ା ସମାଲୋଚନା କରିଛନ୍ତି । ଦିନକ ପୂର୍ବରୁ ସଂସଦରେ କେତେକ ଶବ୍ଦକୁ ବାରଣ ନେଇ ଛଡ଼ ସୃଷ୍ଟି ହୋଇଛି । ଏବେ ପୁଣି ଏକ ନୂଆ ବିବାଦ ଚର୍ଚ୍ଚା ସୃଷ୍ଟି କରିଛି । ଲୋକସଭା ସଚିବାଳୟ ଦ୍ୱାରା ଜାରି ଏକ ପୁସ୍ତିକାରେ ଅନ୍ୟୂନ ୪୦ଟି ଶବ୍ଦକୁ ଅନପାର୍ଲାମେଣ୍ଟାରୀ ଭାବେ ଚିହ୍ନିତ କରାଯାଇଛି । ଯଦି କେହି ସଂସଦୀୟ କାର୍ଯ୍ୟଧାରାରେ ଏହି ଶବ୍ଦକୁ ବ୍ୟବହାର କରେ ତେବେ ତାହାକୁ ରେକର୍ଡରୁ କାଟିଦିଆଯିବ । ସାଧାରଣଭାବେ ବ୍ୟବହୃତ ଆସେମଡ୍‌ (ଲଜ୍ଜିତ), ଆବ୍ୟୁଜ୍‌ଡ (ଦୁର୍ବ୍ୟବହାର), ବିଟ୍ରେଡ୍‌ (ପ୍ରତାରିତ), କରପ୍ଟ (ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ), ଡ୍ରାମା (ନାଟକବାଜି), ହିପୋକ୍ରିସି (କପଟତା) ଏବଂ ଇନକମ୍ପିଟେଣ୍ଟ (ଅଯୋଗ୍ୟ, ଅପାରଗ) ପରି ଶବ୍ଦକୁ ଅନପାର୍ଲାମେଣ୍ଟାରୀ ବୋଲି ଉକ୍ତ ପୁସ୍ତିକାରେ ଦର୍ଶାଯାଇଛି । ଜୁଲାଇ ୧୮ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା\’ର ଅବ୍ୟବହିତ ପୂର୍ବରୁ ଲୋକସଭା ସଚିବାଳୟ ପକ୍ଷରୁ ଏହି ପୁସ୍ତିକା ପ୍ରକାଶ କରାଯାଇଛି । ଲୋକସଭା ଓ ରାଜ୍ୟସଭାରେ ଯିଏ ଅଧ୍ୟକ୍ଷତା କରୁଥିବେ ସେ ଯେଉଁ ଶବ୍ଦକୁ ଅନପାର୍ଲାମେଣ୍ଟାରୀ ବୋଲି କହିବେ ତାହା ହେଉଛି ଅନପାର୍ଲାମେଣ୍ଟାରୀ ଏବଂ ତାହା ଆଉ ପାର୍ଲାମେଣ୍ଟ ରେକର୍ଡରେ ସ୍ଥାନ ପାଇପାରିବ ନାହିଁ । ଅର୍ଥାତ କେଉଁ ଶବ୍ଦ ଅସଂସଦୀୟ ଭାବେ ବିବେଚିତ ହେବ, ସେ ନେଇ ବାଚସ୍ପତିଙ୍କ ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ । ବିଭିନ୍ନ ଶବ୍ଦକୁ ସମୟାନ୍ତରରେ ଅସଂସଦୀୟ ବୋଲି ଘୋଷଣା କରାଯାଏ । ୨୦୨୧ରେ ଯେଉଁ ଶବ୍ଦଗୁଡ଼ିକୁ ଅନପାର୍ଲାମେଣ୍ଟାରୀ ବୋଲି ଘୋଷଣା କରାଯାଇଥିଲା ସେଗୁଡ଼ିକ ମଧ୍ୟ ଉକ୍ତ ପୁସ୍ତିକାରେ ଉଲ୍ଲେଖ କରାଯାଇଛି । ୨୦୨୦ରେ ରାଜ୍ୟଗୋଷ୍ଠୀର କେଉଁସବୁ ଦେଶରେ କେଉଁ ଶବ୍ଦ ଉଚ୍ଚାରଣ କରିବାକୁ ଅନୁମତି ନାହିଁ ତାହା ମଧ୍ୟ ଏଥିରେ ସୂଚାଇ ଦିଆଯାଇଛି ।

Leave A Reply

Your email address will not be published.