ଆଜି ରାଷ୍ଟ୍ରପତି ନିର୍ବାଚନ: ଆଗରେ ଦ୍ରୌପଦୀ

0 63

ନୂଆଦିଲ୍ଲୀ, ୧୭ା୭: ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ । ଦେଶରେ କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି ସେ ନେଇ କାଲି ହେବ ଭୋଟ୍ । ଏନ୍‌ଡିଏରୁ ଦ୍ରୌପଦୀ
ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ୟୁପିଏରୁ ପ୍ରାର୍ଥୀ ହୋଇଛନ୍ତି ଯଶବନ୍ତ ସିହ୍ନା । ଆସନ୍ତାକାଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହାର ପ୍ରଥମ ଦିନରେ ହିଁ ଭୋଟ୍ ଦେବେ ସାଂସଦ । ତା’ସହ ସମସ୍ତ ରାଜ୍ୟର ବିଧାନସଭାରେ ବି ଭୋଟ୍ ଦେବେ ବିଧାୟକ । ଓଡ଼ିଶା ବିଧାନସଭାରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଧାନସଭାର ୫-ନଂ ପ୍ରକୋଷ୍ଠକୁ ବୁଥ୍‌କେନ୍ଦ୍ର କରାଯାଇଛି । ସାଂସଦମାନେ ଚାହିଁଲେ ବିଧାନସଭାରେ ନିଜର ମତସାବ୍ୟସ୍ତ କରିପାରିବେ । ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ସହ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଦ୍ରୌପଦୀଙ୍କ ନାଁ ଘୋଷଣା ପରେ ପ୍ରଥମ ଅଣଏନ୍‌ଡିଏ ଦଳ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ନାଁକୁ ଘୋଷଣା କରିଥିଲେ । ଦ୍ରୌପଦୀ ଓଡ଼ିଶା ଆସିଥିବା ବେଳେ କହିଥିଲେ, ‘ସୁଭଦ୍ରା ବି ରାକ୍ଷୀ ବାନ୍ଧିଥିଲେ, ଆଉ ଭାଇ ନିରାଶ କରିନାହାନ୍ତି । କିଛି ମାଗିବା ପୂର୍ବରୁ ମନବୁଝି ସମର୍ଥନ ଦେଇଛନ୍ତି ।’ ଏଥିସହିତ ଭୋଟ ଯେପରି ନାକଚ ନହେବ ସେଥିପାଇଁ ବିଧାନସଭାରେ ବିଜେଡି ବିଧାୟକଙ୍କୁ ଦଳ ପକ୍ଷରୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା । ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪୮୦୯ ସାଂସଦ ଓ ବିଧାୟକ ଅଛନ୍ତି । ତା’ ମଧ୍ୟରୁ ୭୭୬ ସାଂସଦ ଥିବାବେଳେ ୪୦୩୩ ବିଧାୟକ ଅଛନ୍ତି । ସାଂସଦ-ବିଧାୟକଙ୍କ ଭୋଟ ମୂଲ୍ୟ ୧୦ଲକ୍ଷ ୮୬ହଜାର ୪୩୧ । ଜଣେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୦ ରହିଥିବା ବେଳେ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ବିଧାୟକଙ୍କ ଭୋଟ ମୂଲ୍ୟ ଅଲଗା ଅଲଗା । ଓଡ଼ିଶାର ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ ୧୪୯ ଥିବାବେଳେ ବିଧାନସଭାର ମୋଟ ଭୋଟ ମୂଲ୍ୟ ରହିଛି ୨୧,୯୦୩ । ବିଜୟୀ ହେବାକୁ ଜଣେ ପ୍ରାର୍ଥୀଙ୍କୁ ୫୦m ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟଆବଶ୍ୟକ । ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଦେଖିଲେ ତାଙ୍କୁ ମିଳିବାକୁ ଥିବା ଭୋଟ ମୂଲ୍ୟ ୬ଲକ୍ଷ ୬୬ହଜାର ୨୮ ଅର୍ଥାତ୍ ତାଙ୍କୁ ୬୧.୫୮ ପ୍ରତିଶତ ଭୋଟ ମିଳିପାରେ । ଅନ୍ୟପକ୍ଷରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ୱାଙ୍କୁ ମିଳିବାକୁ ଥିବା ଭୋଟ ମୂଲ୍ୟ ରହିପାରେ ୪ଲକ୍ଷ ୧୩ହଜାର ୭୨୮ । ଅର୍ଥାତ୍ ତାଙ୍କୁ ୩୮.୨୯ ପ୍ରତିଶତ ଭୋଟ ମିଳିପାରେ । ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିଥିବା ଏନ୍‌ଡିଏ ପାଖରେ ୪୮.୮୯ ପ୍ରତିଶତ ଭୋଟ ରହିଛି । ଅଣ ଏନ୍‌ଡିଏ ଦଳ ଭାବେ ବିଜେଡି, ୱାଇଏସ୍‌ଆର କଂଗ୍ରେସ, ବିଏସ୍‌ପି, ଶିରୋମଣୀ ଅକାଳୀ ଦଳ, ଏଲ୍‌ଜେପି-ରାମବିଳାସଙ୍କ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି । ଅର୍ଥାତ୍‌ ଏନ୍‌ଡିଏର ୪୮.୮୯ ଓ ଅଣ ଏନ୍‌ଡିଏର ୧୨.୬୯ ପ୍ରତିଶତକୁ ମିଶାଇଲେ ଦ୍ରୌପଦୀଙ୍କୁ ୬୧.୫୮ ପ୍ରତିଶତ ଭୋଟ ମିଳିପାରେ । ଅନ୍ୟପକ୍ଷରେ ଯଶବନ୍ତଙ୍କ ସମର୍ଥନରେ ରହିଛନ୍ତି କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ସିପିଆଇ ଏବଂ ସିପିଆଇଏମ୍‌, ସିପିଏମ୍‌ଏଲ୍‌, ଡିଏମକେ, ଆରଜେଡି, ଏସ୍‌ପି, ନ୍ୟାସନାଲ୍ କନ୍‌ଫରେନ୍ସ, ପିଡିପି, ଆରଏଲଡି, ଆରଏସ୍‌ପି, ଆଇୟୁଏଲଏଲ୍‌, ଟିଆରଏସ ଭଳି ରାଜନୈତିକ ଦଳ । ସେହିପରି ଜେଏମ୍‌ଏମ୍‌, ଏଆଇଏମଆଏମ, ଜେଡିଏସ୍‌, ଟିଡିପି, ଶିବସେନା ଏବେ ଯାଏଁ ନିଷ୍ପତ୍ତି ନେଇନାହାନ୍ତି । ଅନୁମାନ କରାଯାଉଛି ୩୮.୨୯ ପ୍ରତିଶତ ଭୋଟ ମିଳିପାରେ । ଅନ୍ୟଏକ ସମୀକରଣ ଅନୁଯାୟୀ, ଆଉ ବର୍ଷକ ପରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଥମେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହି ରାଜ୍ୟ ଜନସଂଖ୍ୟାର ୧୪.୮ ପ୍ରତିଶତ ଆଦିବାସୀ ହୋଇଥିବାରୁ ସେମାନଙ୍କ ଭୋଟ ହାସଲ ପାଇଁ ବିଜେପି ଉଦ୍ୟମ ଚଳାଇଛି । ଗତ ରାଷ୍ଟ୍ରପତି ନିର୍ବାଚନରେ ଦଳିତ ସମ୍ପ୍ରଦାୟର ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରି ବିଜେପି ଉତ୍ତର ପ୍ରଦେଶ ସହ ଅନ୍ୟ କେତେକ ଅଞ୍ଚଳରେ ଦଳିତ ଭୋଟ ପାଇବାକୁ ସମର୍ଥ ହୋଇଥିଲା । ଏବେ ସମାନ ସୂତ୍ର ଅବଲମ୍ବନ ପୂର୍ବକ ଆଦିବାସୀ ଭୋଟ୍ ଉପରେ ଦଳ ଭରସା କରିଛି । ସାଧାରଣ ନିର୍ବାଚନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ଆଶା ରଖିଛି ଦଳ ।

Leave A Reply

Your email address will not be published.