ସିଙ୍ଗାପୁର ଓପନ: ସେମିଫାଇନାଲରେ ସିନ୍ଧୁ

0 74

ସିଙ୍ଗାପୁର, ୧୬ା୭: ଦୁଇଥର ଅଲିମ୍ପିକ୍ସ ବିଜୟିନୀ ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ସିଙ୍ଗାପୁର ଓପନ ସୁପର-୫୦୦ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୭ମ ସିଡ୍ ସିନ୍ଧୁ ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଚୀନର ହାନ୍‌ ୟୁଇଙ୍କୁ ୧୭-୨୧, ୨୧-୧୧ ଓ ୨୧-୧୯ରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି । ଏଥି ସହିତ ୟୁଇଙ୍କ ବିପକ୍ଷରେ ସିନ୍ଧୁ କ୍ରମାଗତ ୩ଟି ମ୍ୟାଚ ଜିତିବାରେ ସଫଳ ହୋଇଛନ୍ତି । ପ୍ରଥମ ସେଟରେ ୟୁଇ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ୨୧-୧୭ରେ ଜିତି ନେଇଥିଲେ । ଦ୍ୱିତୀୟ ସେଟ୍‌କୁ ସିନ୍ଧୁ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ । ଦ୍ୱିତୀୟ ସେଟ୍‌କୁ ସିନ୍ଧୁ ଏକତରଫା ଭାବେ ୨୧-୧୧ରେ ଜିତି ମ୍ୟାଚକୁ ୧- ୧ ସ୍ତରକୁ ଆଣିଥିଲେ । ଅନ୍ତିମ ସେଟ୍ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ସିନ୍ଧୁ ପ୍ରଥମ ବିରତି ବେଳକୁ ୮-୧୧ରେ ପଛୁଆ ରହିଥିଲେ । ପରବର୍ତ୍ତୀ ସମୟରେ ୟୁଇ ୧୪-୯ରେ ଆଗୁଆ ରହିଥିଲେ । ପରେ ସିନ୍ଧୁ ଭଲ ପ୍ରଦର୍ଶନ କରିବା ସହିତ ମ୍ୟାଚ୍‌କୁ ୨୧-୧୯ରେ ଜିତି ନେଇଥିଲେ । ମ୍ୟାଚ ୬୨ ମିନିଟ୍ ଧରି ଖେଳାଯାଇଥିଲା । ଥାଇଲାଣ୍ଡ ଓପନ ପରେ ସିନ୍ଧୁ ଆଉ ଏକ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସିନ୍ଧୁ ସେମିଫାଇନାଲରେ ଜାପାନର ସିଇନା କାୱାକାମିଙ୍କୁ ଭେଟିବେ । ଅନ୍ୟତମ ଭାରାତୀୟ ତଥା ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ନେହ୍ୱାଲ କ୍ୱାର୍ଟର ଫାଇନାଲରେ ଜାପାନର ଓୟା ଓହାରିଙ୍କ ନିକଟରୁ ୧୩-୨୧, ୨୧-୧୫ ଓ ୨୦- ୨୧ରେ ପରାଜିତ ହୋଇଛନ୍ତି । ଅଢେଇ ବର୍ଷରୁ ଅଧିକ ସମୟ ପରେ କୌଣସି ଏକ ସୁପର ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ସାଇନାଙ୍କ ସେମିଫାଇନାଲ ଆଶା ଶେଷ ହୋଇଯାଇଛି । ପୁରୁଷ ଏକକ କ୍ୱାର୍ଟର ଫାଇନାଲରେ ଏଚ୍‌ ଏସ୍ ପ୍ରଣୟ ୧୨-୨୧, ୨୧- ୧୪ ଓ ୨୧-୧୮ରେ ଜାପାନର କାଡାଇ ନାରାଓକାଙ୍କ ନିକଟରୁ ପରାଜିତ ହୋଇଛନ୍ତି ।

Leave A Reply

Your email address will not be published.