ଆଜି ଭାରତ-ଇଂଲଣ୍ଡ ଶେଷ ଲଢ଼େଇ

0 71

ନୂଆଦିଲ୍ଲୀ, ୧୬ା୭: ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ ରୋମାଞ୍ଚକ ମୋଡରେ ରହିଛି । ସିରିଜର ବିଜୟ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରୁ ଆରମ୍ଭ କରିଥିଲା । କିନ୍ତୁ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚକୁ ବଡ ରନ ବ୍ୟବଧାନରେ ଜିତିଥିଲା । ତେବେ ଏହି ସିରିଜ ଏବେ ୧-୧ ବରାବର ମ୍ୟାଚରେ ରହିଛି । ଆସନ୍ତାକାଲି ଶେଷ ଦିନିକିଆ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ମାଞ୍ଚେଷ୍ଟର ଓଲଡ୍ ଟ୍ରାଫୋଡ ମଇଦାନରେ ହେବ । ଟିମ୍ ଇଣ୍ଡିଆ ଏହି ମଇଦାନରେ ଶେଷ ମ୍ୟାଚ ୨୦୧୯ରେ ଖେଳିଥିଲା । ସେତେବେଳେ ବିଶ୍ୱକପ୍ ମ୍ୟାଚର ମେସିଫାଇନାଲ ରହିଥିଲା, ଯେଉଁ ମ୍ୟାଚରେ ଟିମ୍ ଇଣ୍ଡିଆ ହାରର ସାମ୍ନା କରିଥିଲା । ଏହି ମଇଦାନରେ ନିଜର ଶେଷ ମ୍ୟାଚ ମହେନ୍ଦ୍ର ସିଂ ଧୋନୀ ଖେଳିଥିଲେ । ଏହି ମ୍ୟାଚ ଜିତିବାକୁ ଟିମ୍ ଇଣ୍ଡିଆ ପାଖରେ ମାତ୍ର ୧୨ ବଲରେ ୩୧ ରନ ଦରକାର ଥିଲା । ଧୋନୀ ମଇଦାନରେ ଥିବା ଯାଏ ସବୁକିଛି ଠିକ ଥିଲା । କିନ୍ତୁ ଧୋନୀ ଆଉଟ ହେବା ପରେ ଭାରତୀୟ ଫ୍ୟାନ୍ସଙ୍କ ଆଶା ମଉଳି ଯାଇଥିଲା । ଧୋନୀଙ୍କ ଆଉଟ ପରେ ଟିମ୍ ଇଣ୍ଡିଆ ୧୮ ରନରେ ହାରିଥିଲା । ଏବେ ଦୀର୍ଘ ୩ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ଏହି ମଇଦାନରେ ଖେଳିବାକୁ ଯାଉଛି । ମାଞ୍ଚେଷ୍ଟର ଏହି ମଇଦାନରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବହୁତ ଖରାପ ରହିଛି । ଏହି ମଇଦାନରେ ଟିମ୍ ଇଣ୍ଡିଆ ୧୧ଟି ଦିନିକିଆ ମ୍ୟାଚ ଖେଳିଛି, ଯେଉଁଥିରେ ୫ଟି ମ୍ୟାଚ ଜିତିଛି ଏବଂ ୬ଟି ମ୍ୟାଚ ହାରିଛି । ଇଂଲଣ୍ଡ ବିପକ୍ଷରେ ଏହି ମଇଦାନରେ ୪ଟି ମ୍ୟାଚ ଖେଳାଯାଇଛି । ଟିମ୍ ୧ଟି ମ୍ୟାଚ ଜିତିଥିବା ବେଳେ ୩ଟି ମ୍ୟାଚ ହାରିଛି । ୨୨ ଜୁନ୍ ୧୯୮୩ରେ ଟିମ୍ ମ୍ୟାଚ ଜିତିଥିଲା ।

Leave A Reply

Your email address will not be published.