ଆଜିଠୁ ସଂସଦର ମୌସୁମୀ ଅଧିବେଶନ

0 63

ନୂଆଦିଲ୍ଲୀ, ୧୭ା୭: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅଗଷ୍ଟ ୧୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ କେନ୍ଦ୍ର ସରକାର ୨୪ଟି ବିଧେୟକ ଆଗତ କରିବାକୁ ଯୋଜନା କରିଛନ୍ତି । ମୁଖ୍ୟତଃ କ୍ୟାଣ୍ଟନମେଣ୍ଟ ବିଲ୍ ଓ ବହୁ ରାଜ୍ୟ ସମବାୟ ସମିତି ବିଲ୍ ଆଗତ କରିବାକୁ ସରକାର ଯୋଜନା କରିଛନ୍ତି । ଏହା ବ୍ୟତୀତ ଛତିଶଗଡ଼ ଓ ତାମିଲନାଡୁ ପାଇଁ ୨ଟି ସ୍ୱତନ୍ତ୍ର ବିଲ୍ ରହିଛି । ତଫସିଲଭୁକ୍ତ ଜାତି ଓ ଜନଜାତିରେ ଆଉ କିଛି ଜାତିକୁ ସାମିଲ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଧେୟକ ସଂସଦରେ ଉପସ୍ଥାପନ କରାଯିବ । ଏସବୁ ବାଦ୍ କଫି ବିଲ୍‌, ଏସ୍‌ଇଜେଡ୍ ଆକ୍ଟ୨୦୦୫, ଜିଆଇ ଟ୍ୟାଗ୍ ବିଲ୍ ଭଳି କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଉପସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ନୂଆ ବିଲ୍ ବ୍ୟତୀତ ଆଉ ପ୍ରାୟ ୮ଟି ବିଧେୟକ ସଂସଦର ଦୁଇ ସଦନରେ ପଡ଼ି ରହିଛି । ନୂଆ ବିଲ୍ ଆଗତ ଓ ପୁରୁଣା ବିଲ୍‌ ଉପରେ ଆଲୋଚନା ବ୍ୟତୀତ ସଂସଦର ମୌସୁମୀ ଅଧିବେଶନରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ମୌସୁମୀ ଅଧିବେଶନ ଭିତରେ ହିଁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମାପନ ହେବ । ଆସନ୍ତାକାଲି ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ସାଂସଦମାନେ ନିଜ ନିଜ ବୁଥ୍‌ରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ଜୁଲାଇ ୨୧ରେ ହେବ ଗଣତି । ମୌସୁମୀ ଅଧିବେଶନ ପୂର୍ବରୁ ବିଜେପି ପକ୍ଷରୁ ଦଳୀୟ ନେତାଙ୍କ ବୈଠକ ରବିବାର ସକାଳେ ପାର୍ଲାମେଣ୍ଟ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଯୋଗ ଦେଇଥିଲେ । ବିରୋଧୀଙ୍କୁ ମୁକାବିଲା ଓ ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନେଇ ଏହି ବୈଠକରେ ଆଲୋଚନା
କରାଯାଇଛି । ସେପଟେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମିଳିତ ଭାବେ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ଜବାବ ଆଦାୟ କରିବା ଲାଗି ଏହି ବୈଠକରେ ଆଲୋଚନା କରାଯାଇଛି । ତେବେ ମିଳିତ ବିରୋଧୀ ଦଳ ବୈଠକକୁ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ମୁଖ୍ୟତଃ ଅଗ୍ନିପଥ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ମୌସୁମୀ ଅଧିବେଶନରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ, ତୈଳଦର ବୃଦ୍ଧି ପ୍ରସଙ୍ଗ ଉତ୍‌ଥାପନ କରାଯିବ ବୋଲି କୁହାଯାଇଛି । ସେହିପରି ବେରୋଜଗାରୀ ଉପରେ ମଧ୍ୟ ସରକାରଙ୍କ ଜବାବ ଚାହିଁବ କଂଗ୍ରେସ । ଏହାଛଡ଼ା ଲଦାଖରେ ଚୀନର ଅନୁପ୍ରବେଶ ଉଦ୍ୟମକୁ କଂଗ୍ରେସ ପ୍ରସଙ୍ଗ କରିପାରେ । ସେହିପରି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ଉପରେ ଦଳ ସରକାରଙ୍କୁ ଘେରିପାରେ ।

Leave A Reply

Your email address will not be published.