ଭୋଟବାକ୍ସରେ ସିଲ୍ ଦ୍ରୌପଦୀ ଓ ଯଶୱନ୍ତଙ୍କ ଭାଗ୍ୟ ସରିଲା ରାଷ୍ଟ୍ରପତି ଭୋଟ: ଗଣତିକୁ ଅପେକ୍ଷା

0 71

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୮ା୭(ଡିକେ ନ୍ୟୁଜ): ଦେଶର ପରବର୍ତ୍ତୀ ପ୍ରଥମ ନାଗରିକ କିଏ ହେବେ? ନିଷ୍ପତ୍ତି ନେଇ ସାରିଛନ୍ତି ସାଂସଦ ଓ ବିଧାୟକ । ସରିଛି ରାଷ୍ଟ୍ରପତି ନିର୍ବାଚନ ଭୋଟିଂ । କିଏ ଜିତିବ, ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା । ଗଣତିକୁ ଅପେକ୍ଷା । କିନ୍ତୁ ସମର୍ଥନ ଦେଖିଲେ ଯଶୱନ୍ତଙ୍କଠାରୁ ଆଗରେ ଦ୍ରୌପଦୀ ମୁର୍ମୁ । ଓଡ଼ିଶା ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ । ଉଭୟ ସଂସଦ ଓ ରାଜ୍ୟର ବିଧାନସଭାଗୁଡିକରେ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ୍ ଦେଇଥିଲେ । ଏହାସହ ସବୁ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ମଧ୍ୟ ରାଷ୍ଟ୍ରପତି ଚୟନରେ ଭାଗ ନେଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମତଦାନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ହ୍ୱିଲଚେୟାରରେ ଆସି ମତଦାନ କରିଛନ୍ତି । ଯଶୱନ୍ତଙ୍କୁ ସମର୍ଥନ କରୁଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ଭୋଟ୍ ଦେଇଛନ୍ତି । ବିଭିନ୍ନ ରାଜ୍ୟର ବିଧାସଭାରେ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ହୋଇଥିଲା । ବିଧାନସଭାରେ ୧୪୫ ଜଣ ବିଧାୟକ ଭୋଟ୍ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି । ୧୯୯୭ ଜୁନ୍ ୧ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ । ଜୁଲାଇ ୧୯୯୭ରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ସେତେବେଳେ କେ.ଆର.ନାରାୟଣନ ରାଷ୍ଟ୍ରପତି ହୋଇଥିଲେ । ଏଥର ଜଣେ ଓଡ଼ିଶାର ଆଦାବାସୀ ମହିଳାଙ୍କୁ ଜିତାଇବା ଲାଗି ଭୋଟ୍‌ ଦେଇଛନ୍ତି । ଅନେକ ବିଧାୟକ ପ୍ରଥମ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରି ଖୁସି ପ୍ରକାଶ କରିଛନ୍ତି । ସେପଟେ ଭୋଟିଂ ଅବ୍ୟବହିତ ପୂର୍ବରୁ ଦିଲ୍ଲୀରେ ବିଜୁ ଜନତା ଦଳ ସାଂସଦମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଯୋଗ ଦେଇଥିଲେ । ବିଜୁ ଜନତା ଦଳର ମୁଖ୍ୟ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ସମସ୍ତ ସାଂସଦ ଯେପରି ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦିଅନ୍ତି ତାହା ସୁନିଶ୍ଚିତ କରାଯାଇଥିଲା । ଏହାପରେ ସମସ୍ତ ବିଜେଡି ସାଂସଦ ଭୋଟ ଦେବାକୁ ଯାଇଥିଲେ । ବିଜେଡିର ଲୋକସଭାରେ ୧୨ ଏବଂ ରାଜ୍ୟସଭାରେ ୯ ସଦସ୍ୟ ଅଛନ୍ତି । ଓଡ଼ିଶାରୁ ଜଣେ ବିଧାୟକ ସଂସଦରେ ଭୋଟ୍ ଦେଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସଂସଦ ଭବନ ପରିସରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଭୋଟଦାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ ପ୍ରଦୀପ୍ତ ନାୟକ । ଜେଲରେ ଥିବାରୁ ବିଧାୟକ ପ୍ରଶାନ୍ତ ଜଗଦେବ ଭୋଟ ଦେଇ ନାହାନ୍ତି । ସରିଛି ମତଦାନ । ଜୁଲାଇ ୨୧ରେ ଗଣତି ରହିଛି । ସ୍ପଷ୍ଟ ହେବ କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି । ସମର୍ଥନ ଦେଖିଲେ ଜଣାପଡୁଛି, ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ଓଡ଼ିଶା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ । ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଅଛନ୍ତି ଯଶୱନ୍ତ ସିହ୍ନା । ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଭୋଟଦାନରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ୨୧ ତାରିଖରେ ରହିଛି ଗଣତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନରେ ୯୯ ପ୍ରତିଶତ ମତଦାନ ହୋଇଥିବା ବେଳେ ୧୨ ରାଜ୍ୟରେ ଶତପ୍ରତିଶତ ମତଦାନ ହୋଇଛି । ଏହିସବୁ ରାଜ୍ୟଗୁଡ଼ିକ ହେଲା ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳପ୍ରଦେଶ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ପୁଡୁଚେରୀ, ସିକ୍କିମ୍ ଏବଂ ତାମିଲନାଡୁ ।

Leave A Reply

Your email address will not be published.