ଶିକ୍ଷା, ସ୍ୱାସ୍ଥ୍ୟ ପରେ ଏବେ ଫୋକସ୍‌ରେ ଆଇଟି ମିଳିବ ନିଯୁକ୍ତି: ଲାଭ ପାଇବେ ଉଦ୍ୟୋଗୀ

0 75

ଭୁବନେଶ୍ୱର, ୧୯ା୭(ଡିକେ ନ୍ୟୁଜ): ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଫୋକସ୍‌ କରାଯିବ । ରାଜ୍ୟବାସୀଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ଡିଜିଟାଲ ବ୍ୟବହାରକୁ ଅଗ୍ରାଧିକାର ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାରେ \”ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନୀତି-୨୦୨୨\’ (ଆଇଟି ପଲିସି-୨୦୨୨) ଲାଗୁ କରିବେ । ଆଜି ରାଜ୍ୟ କ୍ୟାବିନେଟ୍ ଏ ନୂଆ ଆଇଟି ନୀତିକୁ ଅନୁମୋଦନ କରଛି । ଏହାଛଡ଼ା ଖୋର୍ଦ୍ଧା ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଦେବେ । ଦାଦନପ୍ରବଣ ଜିଲ୍ଲାରେ ମନରେଗା କାମକୁ ବ୍ୟାପକ କରିବାକୁ ପାଣ୍ଠି ମଞ୍ଜୁର ହୋଇଥିଲା ବେଳେ ପୁରୀରେ ଅବଢା ପ୍ରକଳ୍ପରେ ଧମର୍ଶାଳା ନିର୍ମାଣ ପାଇଁ ପ୍ରକଳ୍ପ ପ୍ରସ୍ତାବରେ କ୍ୟାବିନେଟ୍ ହଁ ମାରିଛି । ଏହାସହ ବିଭିନ୍ନ ବିଭାଗର ଆଉ ୧୬ଟି ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବେଠକ ବସିଥିଲା । ଏ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରି ପାଇଥିଲା । ସରକାର ଆଣିଥିବା ଆଇଟି ନୀତିରେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ବହୁ ଅନୁକୂଳ ବ୍ୟବସ୍ଥା କରିଛନ୍ତି । ଆଇଟି ପାର୍କ ପ୍ରତିଷ୍ଠା କରିବାକୁ ଆଗ୍ରହୀ ନିବେଶକଙ୍କୁ ସବସିଡି ବାବଦକୁ ସର୍ବାଧିକ ୨୦ କୋଟି ମିଳିବ । ସୌରଶକ୍ତି ପ୍ଲାଣ୍ଟ ପାଇଁ ସର୍ବାଧିକ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର ଭରଣା କରିବେ । ଗ୍ରୀନଫିଲଡ ଆଇଟି ପାର୍କ କ୍ଷେତ୍ରରେ ସରକାର ଶତ ପ୍ରତିଶତ ଷ୍ଟାମ୍ପଡ୍ୟୁଟି ସହ ରେଜିଷ୍ଟ୍ରେସନ ଫି ଓ ଜମିର କିସମ ପରିବର୍ତ୍ତନ ଫି ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ଆଇଟି ପଲିସିରେ ପୁଞ୍ଜି ନିବେଶ ରିହାତି ବାବଦକୁ ୩ କୋଟି ଯାଏ ପାଣ୍ଠି ଯୋଗାଇଦେବେ । ୫% ସୁଧ ଛାଡ଼, ୩ ବର୍ଷ ଯାଏ ବିଜୁଳି ଶୁଳ୍କର ୩୦% (ୟୁନିଟ ପିଛା ସର୍ବାଧିକ ୩୫ ଲକ୍ଷ) ଛାଡ଼ କରିବାକୁ ବ୍ୟବସ୍ଥା କରାଯାଇଛି । ଆଇଟି ପଲିସିରେ ଅଧିକ ନିବେଶକ କିଭଳି ଆକର୍ଷିତ ହେବ ତାକୁ ଧ୍ୟାନରେ ରଖି ସେଣ୍ଟର ଅଫ ଏକ୍ସେଲନ୍ସି ପାଇଁ ସହାୟତା, ଜମି ଲିଜ କିମ୍ବା କିଣାବିକାରେ ଷ୍ଟାମ୍ପଡ୍ୟୁଟି ଓ କିସମ ବଦଳ ଫି ଛାଡ଼ ସୁବିଧା ରଖାଯାଇଛି । ରାଜ୍ୟ ସରକାର ଦାଦନପ୍ରବଣ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୨୦ ବ୍ଲକରେ ଦାଦନ ସମସ୍ୟା ଦୂରେଇବାକୁ ରାଜ୍ୟ ସରକାର ଏ ଅଞ୍ଚଳରେ ବର୍ଷକୁ ଅଧିକ ୨୦୦ ଦିନର କାମ ଯୋଗାଇଦେବେ । ଅନ୍ୟପକ୍ଷରେ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ୯ହଜାର ୬୫୮ ଡେସିମଲ ଜମି ଯୋଗାଇ ଦେବେ ରାଜ୍ୟ ସରକାର । ଏବାବଦରେ ୩୧,୯୭,୬୨,୯୩୪ ଟଙ୍କା ରାଜସ୍ୱ ଛାଡ଼ କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଗୃହକୁ ଅବଗତ କରାଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଗୃହରେ ରଖିଥିବା ବିବୃତିରେ ବିଭାଗୀୟ ମନ୍ତ୍ରୀ ଜଣାଇଛନ୍ତି ଯେ, ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦଦେଶରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହର ସ୍ମରଣ କରିବା ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ହେବ । ଏଥିଲାଗି ୯ଏକର ୬୮୫ ଡେସିମଲ ଜମି ବିନା ମୂଲ୍ୟରେ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଦେୟ ବାବଦକୁ ୩୧କୋଟି ୯୭ଳକ୍ଷ ୬୨ହଜାର ୯୩୪ ଟଙ୍କା ଛାଡ଼ କରିବା ପାଇଁ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ୧୮୫୭ ମସିହା ସିପାହୀ ବିଦ୍ରୋହର ବହୁ ପୂର୍ବରୁ ୧୮୧୭ ମସିହାରେ ବରୁଣେଇ ପାହାଡ଼ ପାଦଦେଶରେ ବ୍ରିଟିଶ ସରକାରଙ୍କ ବିରୋଧରେ ସଂଗଠିତ ଯୁଦ୍ଧ ଯାହା ପାଇକ ବିଦ୍ରୋହ ନାମରେ ଇତିହାସରେ ନାମିତ, ତାହା ସମଗ୍ର ଭାରତ ବର୍ଷରେ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ପଦକ୍ଷେପ ନାମରେ ବିଦିତ । ଏହି ସଂଗ୍ରାମ ତତ୍କାଳୀନ ରୋଡ଼ଙ୍ଗର ଜମିଦାର ବକ୍ସି ଜଗବନ୍ଧୁବିଦ୍ୟାଧର ରାୟ ମହାପାତ୍ରଙ୍କ ନେତୃତ୍ୱରେ ଲଢ଼ାଯାଇଥିଲା । ଏହି ସଂଗ୍ରାମରେ ଓଡ଼ିଶାର ବହୁ ସଂଗ୍ରାମୀ ଯୋଦ୍ଧା
ଅଂଶଗ୍ରହଣ କରିଥିଲେ । ଏହି ଯୋଦ୍ଧାମାନଙ୍କୁ ଓଡ଼ିଶାରେ ପାଇକ ବୋଲି କୁହାଯାଏ । ଏହା ଓଡ଼ିଶାର ଐତିହ ଓ ସଂଗ୍ରାମୀ ପରମ୍ପାରର ପ୍ରତୀକ ହୋଇଥିବାରୁ ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରେରଣା ଯୋଗାଇବାରେ ସହାୟକ ହୋଇଥିବାରୁ ଏହି ସଂଗ୍ରାମ ସଂଗଠିତ ହୋଇଥିବା ସ୍ଥଳରେ କେନ୍ଦ୍ର ସରକାର ଏକ ସ୍ମାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇଦେଇଛନ୍ତି । ଏହି ସ୍ମାରକୀ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ବିକାଶରେ ମଧ୍ୟ ସହଯୋଗ କରିବା ସହ ଐତିହାସିକ ଓ ଗବେଷକମାନଙ୍କ ବିଶେଷ ସହାୟତା ପ୍ରଦାନ କରିବ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ଲୋକାୟୁକ୍ତ ରିପୋର୍ଟ ୨୦୨୧, ଓଡ଼ିଶା ମୋବାଇଲ ଟାୱାର, ଓଏଫ୍‌ସି, ଟେଲିକମ ଭିତ୍ତିଭୂମି ନୀତି ୨୧୦୭ରେ ସଂଶୋଧନକୁ କ୍ୟାବିନେଟ ମୋହର ବାଜିଛି । ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ
ଦେବାକୁ ସରକାର ପ୍ରାଥମିକତା ଦେଇଛନ୍ତି । ଜେଜେଏମ୍ ଯୋଜନାରେ କୋରାପୁଟରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବନେଟ ଅନୁମୋଦନ ମିଳିଛି । ନୂତନ ରାଜ୍ୟ କ୍ଷେତ୍ର ଯୋଜନାକୁ ଅନୁମୋଦନ ମିଳିଛି । ମନରେଗା ଯୋଜନାରେ ରାଜ୍ୟ ସହାୟତାକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି । ଏ ନେଇ ଗୃହରେ ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିସହ ପୁରୀ ବାସେଳୀସାହି ଧର୍ମଶାଳା ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି ।

Leave A Reply

Your email address will not be published.