ରିଲିଜ ପୂର୍ବରୁ ଆଇନ ଜାଲରେ ଫସିଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ “ପୋନ୍ନିୟିନ ସେଲଭନ’

0 70

ହାଇଦ୍ରାବାଦ, ୧୮ା୭: ଆଇନ ଜାଲରେ ଫସିଲା ବହୁ ଚର୍ଚ୍ଚିତ ଫିଲ୍ମ “ପୋନ୍ନିୟିନ ସେଲଭନ । ରିଲିଜ ପୂର୍ବରୁ ଐଶ୍ୱର୍ଯ୍ୟା ରାୟଙ୍କ ଏହି ଫିଲ୍ମକୁ ନେଇ ବଢ଼ିଲା ବିବାଦ । ଫିଲ୍ମରେ ଚୋଳ ରାଜବଂଶକୁ ଭୁଲ୍ ଢଙ୍ଗରେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗରେ ନିର୍ଦ୍ଦେଶକ ମଣିରତ୍ନମ୍ ଓ ଅଭିନେତା ଚିୟାନ୍ ବିକ୍ରମଙ୍କୁ ମିଳିଛି କୋର୍ଟ ନୋଟିସ୍ । ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ସେଲଭମ୍ ନାମକ ଜଣେ ଆଇନଜୀବୀ ମଣିରତ୍ନମ୍ ଓ ବିକ୍ରମଙ୍କୁ କୋର୍ଟ ନୋଟିସ ପଠାଇଛନ୍ତି । ଆଦିତ୍ୟ କରିକଲନ୍ ନିଜ ମଥାରେ ତିଲକ ଲଗାଇନଥିଲେ, କିନ୍ତୁ ଫିଲ୍ମରେ ରାଜା ଆଦିତ୍ୟଙ୍କ ଚରିତ୍ରରେ ଅଭିନୟ କରୁଥିବା ବିକ୍ରମ ମଥାରେ ତିଲକ ଲଗାଇଥିବା ଦେଖାଯାଇଛି । ଏହାକୁ ବିରୋଧ କରି ଆଇନଜୀବୀ ସେଲଭମ କୋର୍ଟରେ ଆବେଦନ କରିଛନ୍ତି । ଏହି ଫିଲ୍ମ ଚୋଳ ରାଜବଂଶକୁ ଭୁଲ୍ ଢଙ୍ଗରେ ଚିତ୍ରଣ କରାଯାଇଥିବା ଓକିଲ ସେଲଭମ୍ ସନ୍ଦେହ କରୁଛନ୍ତି । ସେଲଭାମ ତାଙ୍କ ଆବେଦନରେ କହିଛନ୍ତି ଯେ ଫିଲ୍ମର ରିଲିଜ ପୂର୍ବରୁ ଏକ ସ୍ପେଶାଲ ସ୍କ୍ରିନିଂ ରଖାଯାଉ, ଯଦ୍ୱାରା ଫିଲ୍ମ ନିର୍ମାତାମାନେ ତଥ୍ୟରେ କୌଣସି ହେରଫେର କରିଛନ୍ତି ନା ନାହିଁ ତାହା ଜଣାପଡିବ । ଉଲ୍ଲେଖଯୋଗ୍ୟ, ଫିଲ୍ମ “ପୋନ୍ନିୟିନ ସେଲଭନ’ ନିର୍ମାତା ମଣିରତ୍ନମ୍‌ଙ୍କ ଡ୍ରିମ୍ ପ୍ରୋଜେକ୍ଟ । ଅନେକ ବର୍ଷ ଧରି ସେ ଏହି ଫିଲ୍ମକୁ ତିଆରି କରିବା ପାଇଁ ଚେଷ୍ଟା ଚଳାଇଥିଲେ, କିନ୍ତୁ କେଉଁଠି ନା କେଉଁଠି ସମସ୍ୟା ରହିଯାଉଥିଲା । ଏବେ କିନ୍ତୁ ତାଙ୍କ ସ୍ୱପ୍ନ ପୂରା ହେବାକୁ ଯାଉଥିବା ବେଳେ ବିବାଦ ଉପୁଜିଛି । ସେପଟେ ଏହି ବିବାଦକୁ ନେଇ ମଣିରତ୍ନମ କିମ୍ବା ଅଭିନେତା ଚିୟାନ ବିକ୍ରମଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ । “ପୋନ୍ନିୟିନ ସେଲଭନ’ ଏକ ମଲ୍ଟି ଷ୍ଟାରର୍ ଫିଲ୍ମ । ସାଉଥର ସୁପରଷ୍ଟାର ଚିୟାନ ବିକ୍ରମ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବ୍ୟତୀତ ଏହି ଫିଲ୍ମରେ ଶରତ କୁମାର, ପ୍ରଭୁ, ଶୋଭିତା ଧୁଲିପାଲ, କାର୍ତ୍ତି, ତ୍ରିଷା, ପ୍ରକାଶ ରାଜଙ୍କ ଭଳି ଅଭିନେତା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଫିଲ୍ମଟିକୁ ଦୁଇଟି ଭାଗରେ ରିଲିଜ କରାଯିବ । ପ୍ରଥମ ପାର୍ଟ ଆସନ୍ତା ସେପ୍ଟେମ୍ବର ୩୦ରେ ରିଲିଜ ହେବ । ଫିଲ୍ମକୁ ୫ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମରେ ରିଲିଜ କରାଯିବ ।

Leave A Reply

Your email address will not be published.