୨୦୨୯ ବିଶ୍ୱ ଦୌଡକୁଦ ପ୍ରତିଯୋଗିତା ଆୟୋଜନ ପାଇଁ ଭାରତର ଦାବି |

India's claim to host the 2029 World Athletics Championships |

0 112

ନୂଆଦିଲ୍ଲୀ : ୨୦୨୯ ମସିହାର ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାକୁ ଭାରତ ନିଷ୍ପତ୍ତି ନେଇଛି । ପ୍ରାଥମିକ ଅବସ୍ଥାରେ ଭାରତ ୨୦୨୭ ସଂସ୍କରଣ ପାଇଁ ଦାବି କରିବ ବୋଲି ଯୋଜନା କରୁଥିଲେ ମଧ୍ୟ ଏଥିରୁ ଓହରିଯାଇଛି । “ହଁ ଆମେ ୨୦୨୯ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାକୁ ଦାବି କରିବୁ’ ବୋଲି କହିଛନ୍ତି ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ)ର ଉପସଭାପତି ତଥା ପ୍ରଥମ ଭାରତୀୟ ବିଶ୍ୱ ପଦକ ବିଜୟିନୀ ଅଞ୍ଜୁ ବବି ଜର୍ଜ । ଅମୃତସରରେ ଅନୁଷ୍ଠିତ ଏଏଫ୍‌ଆଇର ବାର୍ଷିକ ସାଧାରଣ ପରିଷଦ ବୈଠକ ଅବସରରେ ଅଞ୍ଜୁ ଏହା କହିଛନ୍ତି । ଏଥିସହିତ ଭାରତ ମଧ୍ୟ ୨୦୨୬ ଅଲିମ୍ପିକ୍ସ ଓ ୨୦୩୦ ଯୁବ ଅଲିମ୍ପିକ୍ସ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛି ବୋଲି ସେ କହିଥିଲେ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଦାବି କରିବାକୁ ଆନୁଷ୍ଠାନିକ ନିଲାମ ପ୍ରକ୍ରିୟାର ସମୟ ନିର୍ଘଣ୍ଟ କ’ଣ ରହିଛି ଏବେ ସ୍ପଷ୍ଟ ହୋଇନାହିଁ । ୨୦୨୭ ବିଶ୍ୱ ଦୌଡ଼କୁଦ ପାଇଁ କିନ୍ତୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇ ସାରିଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ବୁଦାପେଷ୍ଟରେ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଖେଳାଯାଇଥିବା ବେଳେ ୨୦୨୫ ସଂସ୍କରଣ ଟୋକିଓରେ ଖେଳାଯିବ ବୋଲି ଧାର୍ଯ୍ୟ ରହିଛି । ‘୨୦୩୬ ଅଲିମ୍ପିକ୍ସ ଭାରତରେ କରାଯିବା ଯୋଜନା ଥିବାରୁ ଦୌଡ଼କୁଦରୁ ଭାରତ ଅନ୍ୟୁନ ୫/୬ ପଦକ ଜିତିବା ଆଶା କରୁଛି’ ବୋଲି ଏଏଫ୍‌ଆଇ ଯୋଜନା ଆୟୋଗ ଅଧ୍ୟକ୍ଷ ଲଳିତ ଭାନୋଟ ପ୍ରକାଶ କରିଛନ୍ତି । ଏଥିପାଇଁ ରଣନୀତି ଖସଡ଼ା ପ୍ରସ୍ତୁତ କରିବାକୁ ଭାନୋଟଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.