ଭାରତରେ ବଢ଼ିଲା ମଙ୍କିପକ୍ସ ଡର

0 72

ନୂଆଦିଲ୍ଳୀ ୧୯ ।୭ : ଭାରତରେ ବଢ଼ିଲା ମଙ୍କିପକ୍ସ ଡର । କେରଳର କୋଲ୍ଲାମ ପରେ କୁନ୍ନୁରରୁ ଚିହ୍ନଟ ହୋଇଛି ଦେଶର ଦ୍ୱିତୀୟ ମଙ୍କିପକ୍ସ ସଂକ୍ରମଣ । ଗତ ୧୩ ତାରିଖରେ ୩୧ ବର୍ଷୀୟ ଯୁବକ ଦୁବାଇରୁ ଆସି କର୍ଣ୍ଣାଟକର ମାଙ୍ଗାଲୋରରେ ଓହ୍ଲାଇଥିବା ବେଳେ ତାଙ୍କ ଶରୀରରେ ମଙ୍କିପକ୍ସ ଲକ୍ଷଣ ଦେଖାଯାଇଥିଲା । ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହିତ ନମୁନାକୁ ପୁଣେକୁ ପଠାଯାଇଥିଲା । ସେଠାରେ ଏହା ମଙ୍କିପକ୍ସ ସଂକ୍ରମଣ ବୋଲି ସ୍ପଷ୍ଟ ହୋଇଛି । ଗତ ୧୫ ତାରିଖରେ ଭାରତରପ୍ରଥମ ମଙ୍କିପକ୍ସ ସଂକ୍ରମଣ କେରଳର କୋଲ୍ଲାମରେ ଠାବ ହୋଇଥିଲା । ସଂକ୍ରମିତ ଜଣକ ୟୁଏଇରୁ ଫେରିଥିଲେ । ତେଣେ ଆନ୍ଧ୍ରପ୍ରଦେଶ ବିଜୟ୍‌ୱାଡ଼ାରେ ଏକ ୩ ବର୍ଷୀୟ ଝିଅ ଠାରେ ଜ୍ୱର ଓ ଚର୍ମରୋଗ ଦେଖାଦେବା ପରେ ସେ ମଙ୍କିପକ୍ସ ସଂକ୍ରମିତଙ୍କ ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ନମୁନା ଯାଞ୍ଚ ପରେ ଏହା ନେଗେଟିଭ୍‌ ଆସିଛି । ତେଣେ ଦେଶରେ ମଙ୍କିପକ୍ସ ଭୂତାଣୁ କାୟା ମେଲାଇବା ପୂର୍ବରୁ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇ କେରଳ ପଠାଯାଇଛି । ଦକ୍ଷିଣ ଭାରତର ବିମାନବନ୍ଦର ଗୁଡ଼ିକରେ ଯାଞ୍ଚ କଡ଼ାକଡ଼ି ହୋଇଛି । ଏଥିସହ ମଙ୍କିପକକୁ ନେଇ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ମଧ୍ୟ ଜାରି ହୋଇଛି । ଅନ୍ତର୍ଜାତୀୟ ଯାତ୍ରୀମାନେ ଅସୁସ୍ଥ ଲୋକଙ୍କ ଠାରୁ ବିଶେଷକରି ଚର୍ମରୋଗ ଥିବା ବ୍ୟକ୍ତିଙ୍କ ଠାରୁ ଦୂରତା ବଜାୟ ରଖିବା ଉଚିତ ବୋଲି କୁହାଯାଉଛି । ଲୋକମାନେ ବଣୁଆ ଜୀବ ଯେପରିକି ମାଙ୍କଡ଼, ସିପାଞ୍ଜି, ଗୁଣ୍ଡୁଚି ମୁଷା, ସାଧାରଣ ମୁଷା ଆଦିଙ୍କ ସଂସ୍ପର୍ଶରେ ଆସିବା ଉଚିତ ନୁହେଁ । ବିଦେଶ ଯାତ୍ରା କରୁଥିବା ଲୋକମାନେ ବଣୁଆ ପଶୁଙ୍କ ମାଂସ ଖାଇବା ଉଚିତ ନୁହେଁ । ଆଫ୍ରିକାର ବଣୁଆ ଜୀବଙ୍କ ଶରୀରରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଚଳିତ ବର୍ଷ ଏବେ ସୁଦ୍ଧା ୬୦ଟି ଦେଶରେ ୬ହଜାରରୁ ଅଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେଲେଣି ଏବଂ ଏଥିରେ ୩ ଜଣଙ୍କ ଜୀବନ ଗଲାଣି । ମଙ୍କିପକ୍ସ ମଧ୍ୟ ଏକ ବସନ୍ତ ଜାତୀୟ ରୋଗ । ତେବେ ଏହା ମାରାତ୍ମକ ନୁହେଁ । ଏହା ସଂକ୍ରମିତ ଜୀବଙ୍କ ଠାରୁ ମଣିଷକୁ ବ୍ୟାପିଥାଏ । ତାଛଡ଼ା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂକ୍ରମିତ ଚର୍ମ, ଘା, ନିଶ୍ୱାସରେ ନିର୍ଗତ ତରଳ କଣିକା ଆଦି ସଂସ୍ପର୍ଶରେ ଆସିଲେ । ଏପରିକି ଶାରିରୀକ ସମ୍ପର୍କ ରଖିଲେ ମଧ୍ୟ ସୁସ୍ଥ ଲୋକଙ୍କୁ ବ୍ୟାପିବାର ଆଶଙ୍କା ରହିଛି । ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ଗୁଡ଼ିକ ହେଲା ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ପୀଡ଼ା, ପିଠି ବ୍ୟଥା, ହାଲିଆ ଲାଗିବା, ଲିମ୍ଫ୍ ନୋଡ୍ ବା ଗ୍ରନ୍ଥି ଫୁଲିଯିବା, ହାତ ଓ ମୁହଁରେ କୁଣ୍ଡିଆ ଦେଖାଦେବା ଇତ୍ୟାଦି ।
ରୋଗୀଙ୍କୁ ସୁସ୍ଥ ହେବାକୁ ୨-୩ ସପ୍ତାହ ସମୟ ଲାଗିଥାଏ ।

Leave A Reply

Your email address will not be published.