ସିବିଏସ୍‌ଇ ୧୦ମ ଫଳ: ପାସ୍ ହାର ୯୪.୪୦ ପ୍ରତିଶତ

0 84

ନୂଆଦିଲ୍ଲୀ, ୨୨ା୭: ଦ୍ୱାଦଶ ଶ୍ରେଣୀ ପରେ ପ୍ରକାଶ ପାଇଛି ସିବିଏସ୍‌ଇ ୧୦ମ ଶ୍ରେଣୀ ରେଜଲ୍ଟ । ପୂର୍ବ ଘୋଷଣା ମୁତାବକ ଦିନ ୨ଟା ବେଳକୁ ସିବିଏସ୍‌ଇ ବୋର୍ଡ ପକ୍ଷରୁ ରେଜଲ୍ଟ ଘୋଷଣା କରାଯାଇଛି । ପିଲାମାନେ ସିବିଏସଇ.ଜିଓଭି.ଇନ୍‌, ସିବିଏସଇରେଜଲ୍ଟ.ଜିଓଭି.ଇନ୍‌, ପରୀକ୍ଷାସଂଗମ.ସିବିଏସି.ଜିଓଭି.ଇନ୍ ଏବଂ ରେଜଲ୍ଟ୍‌.ସିବିଏସଇ.ଏନ୍‌ଆଇସି.ଇନ୍ ଦ୍ୱାରା ନିଜର ରେଜଲ୍ଟ ଜାଣିପାରିବେ । ସେହିପରି ଡିଜିଲକର ଓ ଏସ୍‌ଏମ୍‌ଏସ୍ ଦ୍ୱାରା ମଧ୍ୟ ପିଲାମାନେ ନିଜର ରେଜଲ୍ଟ ବାହାର କରିପାରିବେ । ଚଳିତ ୨୧,୦୯,୨୦୮ ଜଣ ପିଲା ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ୨୦,୯୩,୯୭୮ ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୯,୭୬,୬୬୮ ଜଣ ପିଲା ପାସ କରିଛନ୍ତି । ଚଳିତ ବର୍ଷ ୯୪.୪୦% ପିଲା ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍‌ କରିଛି । ୨୦୨୧ରେ ଏହା ୯୯.୦୪%, ୨୦୨୦ରେ ୯୧.୪୬% ଓ ୨୦୧୯ରେ ୯୧.୧୦% ପିଲାର କୃର୍ତ୍ତକାର୍ଯ୍ୟ ହୋଇଥିଲେ । ପୁଣିଥରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ୯୫.୨୧% ଛାତ୍ରୀ ପରୀକ୍ଷାରେ ପାସ୍ ହୋଇଥିବା ବେଳେ ପୁଅଙ୍କ ପାସ ହାର ୯୩.୮୦ ରହିଛି । ଏହାର ଅର୍ଥ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ୧.୪୧% ଅଧିକ । ସେହିପରି ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀଙ୍କ ପାସ ହାର ୯୦% । ୬୩ ହଜାର ପିଲା ୯୫%ରୁ ଅଧିକ ମାର୍କ ରଖିଥିବା ବେଳେ ୨.୩୬ ଲକ୍ଷ ପିଲା ୯୦%ରୁ ଅଧିକ ମାର୍କ ହାସଲ କରିଛନ୍ତି । କେରଳର ତ୍ରିବେନ୍ଦ୍ରମ ରିଜିନରେ ସର୍ବାଧିକ ୯୯.୬୮% ପିଲା କୃର୍ତ୍ତକାର୍ଯ୍ୟ ହୋଇଛନ୍ତି । ଏହା ଦେଶରେ ସର୍ବାଧିକ । ସବୁଠାରୁ କମ୍ ପାସ୍ ହାର ଗୌହାଟୀ ରିଜନରେ ଦେଖିବାକୁ ମିଳିଛି । ଏଠାରେ ୮୨.୨୩% ପିଲା ପାସ କରିଛନ୍ତି । ଭୁବନେଶ୍ୱର ରିଜନରେ ପାସ ହାର ୯୬.୪୬% ରହିଛି । ସେହିପରି ପାସ ହାର ଦୃଷ୍ଟି କୋଣରୁ ଭୁବନେଶ୍ୱର ୭ନଂ ସ୍ଥାନରେ ରହିଛି । ଭୁବନେଶ୍ୱର ତଳେ ଦିଲ୍ଲୀ ଇଷ୍ଟ(୮୬.୯୬%) ଓ ଦିଲ୍ଲୀ ୱେଷ୍ଟ(୮୫.୯୪%) ରହିଛନ୍ତି । ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ପାସ ହାର ୯୯. ୨୨% । ତୃତୀୟରେ ଚେନ୍ନାଇ(୯୮.୯୭%), ୪ର୍ଥରେ ଆଜମେର(୯୮.୧୪%), ୫ମରେ ପାଟନା(୯୭.୬୫%), ୬ଷ୍ଠରେ ପୁଣେ (୯୭.୧୪%), ୮ମରେ ପଞ୍ଚକୁଲା (୯୬.୩୩%), ୯ମରେ ନୋଏଡା(୯୬.୦୮%), ୧୦ମରେ ଚଣ୍ଡିଗଡ଼(୯୫.୩୮%), ୧୧ମରେ ପ୍ରୟାଗରାଜ(୯୪.୭୪%), ୧୨ରେ ଡେରାଡୁନ(୯୩.୪୩%) ଓ ୧୩ତମ ତମ ସ୍ଥାନରେ ଭୋପାଲ(୯୩.୩୩%) ରହିଛନ୍ତି । ଏହାପୂର୍ବରୁ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା । ଦେଶର ମୋଟ ୧୪ ଲକ୍ଷ ୩୫ ହଜାର ୩୬୬ ଛାତ୍ରଛାତ୍ରୀ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୩,୩୦,୬୬୨ ଜଣ ପିଲା ପାସ କରିଛନ୍ତି । ଦ୍ୱାଦଶ ଶ୍ରେଣୀରେ ମୋଟ୍ ୯୨.୭୧ ପ୍ରତିଶତ ପିଲା ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ପୁଣି ବାଜି ମାରିଛନ୍ତି । ଛାତ୍ରୀଙ୍କ ପାସ ହାର ୯୪.୫୪% ଥିବା ବେଳେ ୯୧.୨୫% ଛାତ୍ର ପାସ୍‌ କରିଛନ୍ତି । ୩୩ ହଜାର ପିଲା ୯୫%ରୁ ଅଧିକ ମାର୍କ ରଖିଥିବା ବେଳେ ୯୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ୧.୩୪ ଲକ୍ଷ । ୨୦୨୧ ତୁଳନାରେ ପାସ ହାର ୨୦୨୨ରେ ହ୍ରାସ ପାଇଛି । ୨୦୨୧ରେ ପାସ ହାର ୯୯.୩୭% ଥିଲା । ଏଥର ଏହା ୯୨.୭୧%କୁ ଖସିଛି ।

Leave A Reply

Your email address will not be published.