ଆଜିଠୁ ୩ ଦିନ ଯାଏ ବଢ଼ିବ ବର୍ଷା

0 69

ଭୁବନେଶ୍ୱର, ୨୨ା୭(ଡିକେ ନ୍ୟୁଜ): ଆଜିଠାରୁ ରାଜ୍ୟରେ ପୁଣି ଥରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ । ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ମୌସୁମୀ ଟ୍ରପଲାଇନ୍ ବାଲେଶ୍ୱର ଦେଇ ଅତିକ୍ରମ କରିଛି । ଯାହାଦ୍ୱାରା ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଲାଗି ରହିବାକୁ ଥିବାବେଳେ ଏହି ସମୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍‌ଆରସି ନିର୍ଦ୍ଦେଶଦେଇଛନ୍ତି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବର୍ଷାର ସର୍ବାଧିକ ପ୍ରଭାବ ରହିବ । ଏମିତି କି ଏହିସବୁ ଜିଲ୍ଲାର କିଛି ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ସେହିପରି କିଛି ତଳୁଆ ସ୍ଥାନରେ ଜଳବନ୍ଦି ସମସ୍ୟା ସୃଷ୍ଟି ହେବା ସହ ମାଟି ରାସ୍ତା ନଷ୍ଟ ହେବାର ଆଶଙ୍କା ରହିଛି । ଏଥିପାଇଁ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୨ରୁ ୨୪ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । କଳାହାଣ୍ଡି, ବଲାଙ୍ଗିର, ଫୁଲବାଣୀ ଓ ଗଞ୍ଜାମର କେତେକ ସ୍ଥାନରେ ୨୫ରେ ଭାରୀ ବର୍ଷା ହୋଇପାରେ । ଆସନ୍ତା ୨୬ସୁଦ୍ଧା ପୁରୀଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୫୦ରୁ ୬୦ ମିମି ରହିବ । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ସୋନପୁରରେ ୧୦୦-୧୨୦ ମିମି ଓ ବାକି ଅଞ୍ଚଳରେ ୭୦-୮୦ ମିମି ବର୍ଷା ହୋଇପାରେ । ୨୫ରେ ରାଜ୍ୟରେ ବିସ୍ତୃତ ଓ ଭାରୀ ବର୍ଷାର ସମ୍ଭାବନା ରହିଛି । ୨୬ ତାରିଖ ପରେ ପ୍ରାୟତଃ ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ପ୍ରତତଃ ଶୁଖିଲା ରହିବ । ମୌସୁମୀ ନିଷ୍କ୍ରିୟ ରହିବା ଯୋଗୁଁ ତାପମାତ୍ରା ବଢ଼ିବା ସହ ସ୍ଥାନେ ସ୍ଥାନେ ପରିଚଳନ ଜନିତ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

Leave A Reply

Your email address will not be published.