ନୂଆଦିଲ୍ଲୀ,୨୭ା୭ : ୫-ଜିର ସବୁଠୁ ବଡ଼ ଆକର୍ଷଣ ହେଉଛି ଡାଉନ୍ଲୋଡ଼ ସ୍ପିଡ୍ । ଏଥିରେ ପ୍ରତି ସେକେଣ୍ଡେରେ ୧୦ ଜିବି ଡାଟା ଡାଉନ୍ଲୋଡ଼ ହେବ । ଯାହା ବର୍ତ୍ତମାନର ୪ଜି ଡାଉନ୍ଲୋଡ ସ୍ପିଡ୍ ୧୦୦ ଗୁଣାରୁ ଅଧିକ । ୪ଜିରେ ସେକେଣ୍ଡ୍ ପିଛା ୨୧ ଏମ୍ବି ଡାଟା ଡାଉନ୍ଲୋଡ ହେଉଛି । ୫-ଜିରେ ଏକ ୫ ଜିବିର ସିନେମା ୩୫ ସେକେଣ୍ଡେରେ ଡାଉନ୍ଲୋଡ ହୋଇଯିବ । ୪ଜିରେ ତାହାକୁ ଡାଉନ୍ଲୋଡ୍ କରିବା ଲାଗି ୪୦ ମିନିଟ୍, ୩ଜିରେ ଦୁଇ ଘଣ୍ଟା ଓ ୨ଜିରେ ୨.୮ ଦିନ ସମୟ ଲାଗିବ । ୫ଜିର ଅନ୍ୟତମ ଆକର୍ଷଣ ହେଉଛି ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍ । ଏଥିରେ ଇଣ୍ଟରନେଟ୍ରେ ବିଳମ୍ବ ହେବ ନାହିଁ । ଫଳରେ ୪କେ ମାନର ଭିଡିଓ ପ୍ରସାରଣ, ଭିଡିଓ କଲ୍ କରିବା, ବଡ଼ ଦଳ ମଧ୍ୟରେ ମଲ୍ଟିମିଡିଆ ବ୍ୟବହାର କରି ଆଲୋଚନା କରିବା, ଭିଡିଓ ଷ୍ଟ୍ରିମିଂ ଓ ଲାଇଭ୍ ଭିଡିଓ ଗେମ୍ ଖେଳିବା ଅତ୍ୟନ୍ତ ସହଜ ହୋଇଯିବ । ୫-ଜିରେ ଯେକେଣସି ସ୍ଥାନରେ ରହି ଡାଟାକୁ ପରିଚାଳନା କରିହେବ । ଟେଲି ମେଡିସିନ୍ କ୍ଷେତ୍ରରେ ଏହା ବିପ୍ଳବ ଆଣିବ । ଦୂର ସ୍ଥାନରେ ଥିବା ଡାକ୍ତର ରୋଗୀଙ୍କ ଅସ୍ତ୍ରୋପଚାର କରିପାରିବେ । ସ୍ମାର୍ଟ ଚଷମା ଭଳି ଓୟାରେବଲ୍ କ୍ଷେତ୍ରରେ ମଧ୍ୟ ୫-ଜି ବିପ୍ଳବ ଆଣିପାରିବ । ଗ୍ରାହକମାନଙ୍କ ପାଇଁ ୫ଜିର ସବୁଠୁ ବଡ଼ ଲାଭ ହେଉଛି ଏଥିରେ ଉନ୍ନତ ନେଟ୍ୱର୍କ ମିଳିବ । ଏଭଳିକି ଷ୍ଟାଡ଼ିୟମ ଭଳି ଭିଡ଼ ସ୍ଥାନରେ ମଧ୍ୟ ଗ୍ରାହକମାନେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ହାସଲ କରିପାରିବେ ।