ଓଡ଼ିଆ ଅସ୍ମିତାର ନାଁ ଦ୍ରୌପଦୀ: ନବୀନ

0 69

ଭୁବନେଶ୍ୱର, ୨୮ା୭(ଡିକେ ନ୍ୟୁଜ): ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ମାଟିର କନ୍ୟା ନାମକ ସମ୍ପାଦକୀୟ । ସେ କହିଛନ୍ତି, ସଂସଦ ଭବନର ସେଣ୍ଟ୍ରାଲ ହଲରେ ଯେତେବେଳେ ଦ୍ରୌପଦୀ ମୁର୍ମୁ ଶପଥ ନେଉଥିଲେ, ସେତେବେଳେ ତାହା ଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ । ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା\’, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସମ୍ବିଧାନିକ ପଦରେ ଅଧିଷ୍ଠିତ ହେଉଥିଲେ । ଓଡ଼ିଆ ସ୍ୱାଭିମାନର ଆଉ ଏକ ମହାର୍ଘ୍ୟ ଅବସରରେ ଉପନୀତ ହୋଇଥିଲା । ଇତିହାସର ସେହି ସ୍ୱର୍ଣ୍ଣିମ ଅଧ୍ୟାୟରେ ସାମିଲ ହେବା ମୋର ସୌଭାଗ୍ୟ ଥିଲା ବୋଲି ନବୀନ କହିଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣରେ, ଗରିବ ସ୍ୱପ୍ନ ଦେଖିପାରେ ଓ ତାକୁ ସାକାର କରିପାରେ ବୋଲି ଦ୍ରୌପଦୀଙ୍କ ଏହି ପଦ ମୋତେ ଅଧିକ ପ୍ରଭାବିତ କରିଥିଲା ବୋଲି ନବୀନ କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କର ଆରାଧ୍ୟ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ । ଓଡ଼ିଆ ଜାତି ସେହି ପରିଚୟରେ ଗର୍ବିତ ଓ ଗୌରବାନ୍ୱିତ ।
ଓଡ଼ିଆ ଜାତି ଏକ ମହାନ ଜାତି । ଓଡ଼ିଶା ଇତିହାସରେ ପ୍ରତିଟି ପୃଷ୍ଠା ସ୍ୱାଭିମାନୀ ଓଡ଼ିଆର ଅସ୍ମିତା କାହଣୀ ଲିପିବଦ୍ଧ । ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ିଦେଇଛନ୍ତି । ରାଜନୀତିରେ ମହିଳାମାନେ ଆଗକୁ ଆସନ୍ତୁ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ । ଏହା ଥିଲା ନବେ ଦଶକରେ ବିଜୁ ବାବୁଙ୍କ ଲକ୍ଷ୍ୟ । ବିଜୁ ବାବୁଙ୍କ ମହିଳା ସଶକ୍ତିକରଣ ସୀମାକୁ ଆମେ ୫୦ ଭାଗକୁ ବୃଦ୍ଧି କରିଛୁ ବୋଲି ସେ କହିଛନ୍ତି । ଆମର ମା\’ ମାନଙ୍କୁ ବହୁ ସଂଖ୍ୟାରେ ନେତୃତ୍ୱ ନେବା ପାଇଁ ଏହା ସୁଯୋଗ ସୃଷ୍ଟି କରିଛି । ନବୀନ ଲେଖିଛନ୍ତି, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ସଫଳତା ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ । ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକସଭା ଆସନରୁ ୭ଟି ଆସନରେ ମା\’ମାନେ ହିଁ ଭାରତର ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି । ଆମର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ୨୧ଟିରେ ମହିଳାମାନେ ଅଧ୍ୟକ୍ଷା ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରୁଛନ୍ତି । ୫୦ ପ୍ରତିଶତରୁ ଅଧିକ ସ୍ଥାନରେ ମା\’ମାନେ ହିଁ ମେୟର, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସଭ୍ୟା ତଥା ସରପଞ୍ଚ, ୱାର୍ଡମେମ୍ବର, କାଉନ୍‌ସିଲର ଓ କର୍ପୋରେଟର ଭାବରେ ନିର୍ବାଚିତ ହୋଇ ଜନସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ମିଶନଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷରୁ ଅଧିକ ମା\’ ସାମିଲ ହୋଇ ନିଜକୁ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି । ସଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ମୋର ପ୍ରୟାସ ଜାରି ରହିଛି । ସେ ଆହୁରି କହିଛନ୍ତି ଯେ, ୨୦୦୦ ମସିହାରୁ ମୁଁ ଓଡ଼ିଶା ମା\’ର ସେବାରେ ନିଜକୁ ସମର୍ପିତ କରିଦେଇଛି । ସମାଜର ଗରିବ, ଅବହେଳିତ, ମହିଳା ଓ ପଛୁଆ ବର୍ଗଙ୍କୁ ଆଗକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛି । ଶିକ୍ଷା ରୂପାନ୍ତରଣର ଶକ୍ତିଶାଳୀ ମାଧ୍ୟମ । ଶିକ୍ଷା ଜରିଆରେ ଜନଜାତି ପିଲାମାନଙ୍କୁ ସଶକ୍ତ କରି ସେମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ଜାରି ରହିଛି ।

Leave A Reply

Your email address will not be published.