ଭୁବନେଶ୍ୱର, ୩୦ା୭(ଡିକେ ନ୍ୟୁଜ): ରାଜ୍ୟ ସରକାର ୩୭୭ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ମେଡିକାଲ ଏବଂ ମେଡିକାଲ କଲେଜରେ ଏହି ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି । ବିଶେଷକରି ମେଡିକାଲ କଲେଜ ସମେତ ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାକୁ ନିଯୁକ୍ତି କ୍ଷେତ୍ରରେ ପ୍ରଧାନ୍ୟ ଦିଆଯାଇଛି । ଇଏନ୍ଟି, ଜେନେରାଲ ମେଡିସିନ୍, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଗାଏନୋକଲୋଜି ଅଙ୍କୋଲୋଜି, ରେଡିଓଥେରାପି, ସର୍ଜିକାଲ ଅଙ୍କୋଲୋଜି, ଆନେସ୍ଥେସିଓଲୋଜି, ଚର୍ମ, ଫାର୍ମାକଲୋଜି, ଜେନେରାଲ ସର୍ଜରୀ, ଚକ୍ଷୁ, ନେଫ୍ରୋଲୋଜି, ମାନସିକ ରୋଗ, ବାୟୋକେମିଷ୍ଟ୍ରି, ଅସ୍ଥିଶଲ୍ୟ ଆଦି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିଥିବା ଏହି ଡ଼ାକ୍ତରମାନଙ୍କ ନିଯୁକ୍ତି ପରେ ସ୍ୱାସ୍ଥ୍ୟସେବା ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ପିଜି ଡାକ୍ତରମାନଙ୍କୁ ଏସସିବି, ଏମକେସିଜି ଏବଂ ଭିମ୍ସାର ବ୍ୟତୀତ ନୂଆ କରି ପ୍ରତିଷ୍ଠା ହୋଇଥିବା ବାରିପଦା ପିଆରଏମ୍ ମେଡିକାଲ କଲେଜ, ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ, କୋରାପୁଟ
ସ୍ଥିତ ଏସ୍ଏଲ୍ଏନ୍ ମେଡିକାଲ କଲେଜ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟରେ ନିଯୁକ୍ତି ମିଳିଛି । ଚଳିତ ମାସ ୨୨ ତାରିଖରେ ରାଜ୍ୟ ସରକାର ୩୫୮ ଏଲୋପାଥିକ୍ ମେଡିକାଲ ଅଫିସର, ୧୧୬ ହୋମିଓପାଥିକ୍ ମେଡିକାଲ ଅଫିସର ଏବଂ ୩୬ ହୋମିଓପାଥିକ୍ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିଲେ । ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଶେଷକରି ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ମେଡିସିନ୍, ଚର୍ମ, ସର୍ଜରୀ ଆଦି ବିଭାଗରେ ବିଶେଷଜ୍ଞ ଡ଼ାକ୍ତରଙ୍କ ଅଭାବ ରହିଛି । ରୋଗୀଙ୍କୁ ଠିକଣା ସମୟରେ ଠିକଣା ଚିକିତ୍ସା ନ ମିଳିଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି । ପିଜି ଡାକ୍ତରଙ୍କ ଅଭାବରେ ଏମବିବିଏସ୍ ଡାକ୍ତର ଚିକିତ୍ସା ଯୋଗାଉଛନ୍ତି । ଫଳରେ କାର୍ଯ୍ୟରତ ଡାକ୍ତତରଙ୍କ ଉପରେ ପ୍ରବଳ କାର୍ଯ୍ୟଭାର ରହୁଛି । ଏପରିସ୍ଥଳେ ୩୭୭ ଜଣ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ଏହି ସ୍ଥିତିରେ ବେଶ୍ ଗୁରୁତ୍ୱ ବହନ କରୁଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ମେଡିକାଲ କଲେଜକୁ ରାଜ୍ୟ ତଥା ରାଜ୍ୟ ବାହାରୁ ରୋଗୀ ଆସୁଥିବାରୁ ସେଠାରେ ମାନବସମ୍ବଳ ଅଭାବ ଉତ୍କଟ ଥିଲା । ତେଣୁ ସର୍ବାଧିକ ପିଜି ଡାକ୍ତରଙ୍କୁ ମେଡିକାଲ କଲେଜରେ ନିୟୋଜିତ କରାଯାଇଛି । ସେହିପରି ନୂଆ ମେଡିକାଲ କଲେଜରେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଥିଲା । ଅପରପକ୍ଷେ ଡ଼ାକ୍ତର ନିଯୁକ୍ତିରେ ମାଲକାନଗିରି, ସୁନ୍ଦରଗଡ଼, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାକୁ ଗୁରୁତ୍ୱ ଦିଆଯାଇଛି ଓ ଆବଶ୍ୟକତାକୁ ଦେଖି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି ।
ନୂଆ ମେଡିକାଲ କଲେଜ ଓ ଉପାନ୍ତ ଜିଲ୍ଲାକୁ ଗୁରୁତ୍ୱ ୩୭୭ ବିଶେଷଜ୍ଞ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି
Prev Post
Next Post