ଡର ବଢ଼ାଉଛି ମଙ୍କିପକ୍ସ ଦିଲ୍ଲୀ ଓ କେରଳରେ ଆଉ ଦୁଇ ଆକ୍ରାନ୍ତ ଚିହ୍ନଟ

0 71

ନୂଆଦିଲ୍ଲୀ, ୨ା୮: ଭାରତରେ ଭୟ ବଢ଼ାଉଛି ମଙ୍କିପକ୍ସ । ଆଜି ଗୋଟିଏ ଦିନରେ ଦେଶରେ ଦୁଇଟି ମଙ୍କିପକ୍ସ ମାମଲା ସାମ୍‌ନାକୁ ଆସିଛି । ରାଜଧାନୀ ଦିଲ୍ଲୀରେ ଜଣେ ଏବଂ କେରଳରେ ଅନ୍ୟଜଣେ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦିଲ୍ଲୀରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଜଣକ ବିଦେଶୀ ନାଗରିକ । ତେବେ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ନାହିଁ । ଗତକାଲିଠାରୁ ସେ ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ନମୂନା ପୁନେର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ପଠାଯାଇଥିବା ବେଳେ ସେ ମଙ୍କିପକ୍ସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏହାକୁ ମିଶାଇ ଦିଲ୍ଳୀରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ କେରଳରୁ ମଧ୍ୟ ଆଉଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ବୟସ ୩୦ବର୍ଷ ହୋଇଥିବା ବେଳେ କେରଳରେ ଏଯାଏ ମୋଟ ୫ଟି ମାମଲା ସାମ୍‌ନାକୁ ଆସିଛି । ଆକ୍ରାନ୍ତ ଜଣକ ଜୁଲାଇ ୨୭ରେ ୟୁଏଇରୁ ଫେରିଥିଲେ । ଏବେ ସେ ମାଲାପୁରୁମ୍‌ରେ ଚିକିତ୍ସିତ ହେଉଛନ୍ତି । ଏହାକୁ ମିଶାଇ କେରଳରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ôଚଛି । ପ୍ରଥମ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଗତକାଲି ଜଣକର ଜୀବନ ଯାଇଛି । ଏଯାଏ ଦେଶରେ ମଙ୍କିପକ୍ସର ୮ଟି ମାମଲା ଚିହ୍ନଟ ହୋଇସାରିଲାଣି । କେରଳରେ ଜଣେ ୨୨ବର୍ଷୀୟ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ଏହାକୁ ଭୟ ବଢ଼ିଛି । ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀ ମୃତ୍ୟୁ ପରେ କେନ୍ଦ୍ର ସରକାର ଯୁଦ୍ଧିକାଳିନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି । ରୋଗ ନିରୂପଣ ଏବଂ ଟିକା ବିକାଶ ପାଇଁ କେନ୍ଦ୍ର ସରକାର ଜାତୀୟ ଟାସ୍କଫୋସ୍‌ର୍ ଗଠନ କରିଛନ୍ତି । ଏହି ଟାସ୍କଫୋସ୍‌ର୍ ରୋଗ ନିରୂପଣ ଏବଂ ଟିକାର ବିକାଶ କାର୍ଯ୍ୟ ଅନୁଧ୍ୟାନ କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ନୀତି ଆୟୋଗ ସଦସ୍ୟ(ସ୍ୱାସ୍ଥ୍ୟ) ଭି.କେ.ପଲ୍ ଏହି ଟାସ୍କଫୋସ୍‌ର୍ର ମୁଖ୍ୟ ଏବଂ ଏହାର ସଦସ୍ୟମାନଙ୍କ ମଧ୍ୟରେ ମନ୍ତ୍ରଣାଳୟର ଅଧିକାରୀ ଅଛନ୍ତି । ଦେଶର ପ୍ରମୁଖ ଡାକ୍ତରଖାନା ଏବଂ ଗବେଷଣା ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଦେଶରେ ମଙ୍କିପକ୍ସ ସଂକ୍ରମଣର ଉତ୍ତମ ମୁକାବିଲା ଦିଗରେ ଏହି ଟାସ୍କଫୋସ୍‌ର୍ ସହଯୋଗ କରିବା ସହିତ ଆବଶ୍ୟକ ସ୍ଥଳେ ରାଜ୍ୟମାନଙ୍କୁ ପରାମର୍ଶ ଦେବ ।

Leave A Reply

Your email address will not be published.