ସକ୍ରିୟ ହେବ ମୌସୁମୀ: ୫ରୁ ବଢ଼ିବ ବର୍ଷା

0 63

ଭୁବନେଶ୍ୱର, ୨ା୮(ଡିକେ ନ୍ୟୁଜ): ତାତିରୁ ମିଳିବ ଆଶ୍ୱସ୍ତି, କାଲିଠୁ ସକ୍ରିୟ ହେବ ମୌସୁମୀ । ଧାରା ଶ୍ରାବଣର ଶେଷ ଭାଗରେ ହେବ ପ୍ରବଳବର୍ଷା । ୪ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ୫ତାରିଖରୁ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳବର୍ଷା ସମ୍ଭାବନା ରହିଛି । ସାମ୍ଭାବ୍ୟ ଲଘୁଚାପର ମୁକାବିଲା କରିବା ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍‌ଆରସି । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ସେପଟେ ଲଗାତାର ୨ମାସରୁ ଅଧିକ ସମୟ ନିଅଣ୍ଟିଆ ବର୍ଷା ସ୍ଥିତି ପାଇଁ ଚିନ୍ତାରେ ଚାଷୀ । ଜୁନ୍ ମାସର ନିଅଣ୍ଟିଆ ବର୍ଷାକୁ କିଛି ପରିମାଣରେ ଭରଣା କରିଥିଲା ଜୁଲାଇର ଦୁଇଟି ଲଘୁଚାପ । କିନ୍ତୁ ମାସ ଶେଷରେ ଟାଣଖରା ପାଇଁ ଢିପ ଜମିରୁ ପାଣି ଶୁଖିଯାଇଛି । ଏହାସହ ସମତଳ ଜମିରେ ମଧ୍ୟ ଠିକ୍ ସମୟରେ ଚାଷ ହୋଇପାରିନି । ଶ୍ରୀଗୁଣ୍ଡିଚାଠାରୁ ଧାନରୁଆ କାମ ଆରମ୍ଭ ହେବା କଥା । କିନ୍ତୁ ଏବେ ବି ପାଣି ପାଇଁ ଅଧିକାଂଶ ଜମିରେ ରୁଆ ଆରମ୍ଭ ହୋଇନାହିଁ । ଚାଷ କାମ ଦୁଇମାସ ବିଳମ୍ବ ହୋଇଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ବର୍ଷା ସ୍ୱାଭାବିକ ନହେବାରୁ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଥିଲା । ବର୍ଷା ଖବର ଶୁଣିବା ପରେ ଚାଷୀ ଟିକେ ଆଶ୍ୱସ୍ତି ଲାଭ କରିଛନ୍ତି । ଦୁର୍ବଳ ମୌସୁମୀ ଏବଂ ମେଘମୁକ୍ତ ଆକାଶ ପାଇଁ ଗତ ଜୁନ୍ ୨୫ ତାରିଖରୁ ରାଜ୍ୟରେ ଚାଲିଛି ତାତିର ଅଘୋଷିତ କର୍ଫ୍ୟୁ । ୩୬ ଡିଗ୍ରୀ ଉପରେ ତାପାମାତ୍ରା ସହ ୬୦ରୁ ୭୦ ପ୍ରତିଶତ ହ୍ୟୁମିଡିଟି ପାଇଁ ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ତାତିର ରାଜ୍ । କିନ୍ତୁ କାଲିଠୁ ପାଗ ବଦଳିବା ସହ ସକ୍ରିୟ ହେବ ମୌସୁମୀ । ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୫୧୬.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୧୦ ପ୍ରତିଶତ କମ୍ । ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨ଟିରେ ସ୍ୱାଭାବିକ ଠାରୁ ଅଧିକ ଏବଂ ୨୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.