ନୀତି ଆୟୋଗ ସପ୍ତମ ପରିଚାଳନା ପରିଷଦ ବୈଠକ ଓଡ଼ିଶାକୁ ମିଳୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା: ନବୀନ

0 85

ନୂଆଦିଲ୍ଲୀ/ଭୁବନେଶ୍ୱର, ୭ା୮(ଡିକେ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ । ଏହି ବୈଠକରେ ଯୋଗଦେଇଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି । ଓଡ଼ିଶା ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏହାଦ୍ୱାରା ରାଜ୍ୟର ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ପୁନଃ ପ୍ରସ୍ତାବ ରଖିଛନ୍ତି । ଏଥି ସହିତ ଟେଲିକମ୍‌, ରେଲୱେ ଓ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବା ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ରେଳବାଇ ସାନ୍ଧ୍ରତା ବୃଦ୍ଧି, ଧାର୍ଯ୍ୟ ସମୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା, ଗ୍ରାମାଞ୍ଚଳରେ ବ୍ୟାଙ୍କ୍ ସେବା ପହଞ୍ଚାଇବା, ଓଡ଼ିଶାରେ ମୋବାଇଲ ଓ ଇଣ୍ଟରନେଟ ସେବା ବ୍ୟବସ୍ଥାର ସ୍ଥିତି ନେଇ ବୈଠକରେ ଦାବି ଉପସ୍ଥାପନ କରିଛନ୍ତି । ଏହହାସହ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା କହିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ବନ୍ଧିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ସେ ଦାବି କରିଛନ୍ତି । ବୈଠକରେ ଏଏସ୍‌ଇ ଓ ଏଏମ୍‌ଏସ୍‌ଏଆରର ରୂପାନ୍ତରଣ ଦାବି କରିଛନ୍ତି । ଏଏସ୍‌ଆଇ ଓ ଏଏମ୍‌ଏସ୍‌ଏଆରର ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ଦାବି କରିଛନ୍ତି । ଏହାଦ୍ୱାରା କୋଣାର୍କ ଆଦି ଐତିହ୍ୟ ସ୍ଥଳୀକୁ ସୁରକ୍ଷିତ ରଖାଯାଇପାରିବ ବୋଲି ସେ କହିଛନ୍ତି । ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ଓଡ଼ିଶା ୧୭,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ସହ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଦାବି କରିଆସୁଛି । ତନ୍ମଧ୍ୟରୁ ୧୦,୦୦୦ କୋଟି ଟଙ୍କା କେବଳ ବିପର୍ଯ୍ୟୟ
ପ୍ରତିରୋଧୀ ଶକ୍ତି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ମଗାଯାଇଛି । ଏହି ଦୀର୍ଘମିଆଦୀ ଯୋଜନା ନେଇ କେନ୍ଦ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ତେଣୁ କେନ୍ଦ୍ର ଏହି ଅନୁଦାନ ମଞ୍ଜୁର କରିବା ନେଇ ରାଜ୍ୟ ଦାବି ରଖିଛି । ବିପର୍ଯ୍ୟୟ ରାଜ୍ୟର ନିରନ୍ତର ଅର୍ଥନୈତିକ ଗତିବିଧିକୁ ପ୍ରଭାବିତ କରିଛି । ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳୁ ବୋଲି ରାଜ୍ୟ ବାରମ୍ବାର ଦାବି କରି ଆସିଛି । ମାତ୍ର ଏହାକୁ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି । ଅନୁରୂପ ଭାବରେ ବିପର୍ଯ୍ୟୟ ହେଉଥିବା ବର୍ଷରୁ ପରବର୍ତ୍ତୀ ୩ ବର୍ଷ ଯାଏଁ ରାଜ୍ୟକୁ ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ ମାନ୍ୟତା ଦେବାକୁ ଓଡ଼ିଶା ବାରମ୍ବାର ଦାବି କରିଛି । ଏହି ବର୍ଷ ଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ଅନୁଦାନ ଅନୁପାତ ୯୦:୧୦ ଉପରେ ଗୁରୁତ୍ୱ ଦେଇଛି । ମାତ୍ର ଏହି ପ୍ରସ୍ତାବ ମଧ୍ୟ କେନ୍ଦ୍ର ଗ୍ରହଣ କରିନାହିଁ । ସୂଚନାଯୋଗ୍ୟ ଗତ ଗୁରୁବାର ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ଓ ଅନ୍ୟ ସଦସ୍ୟମାନେ ଓଡ଼ିଶା ଆସିଥିବା ବେଳେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ ଉଚ୍ଚପ୍ରଶଂସା କରିଥିଲେ । ଶ୍ରୀ ବେରୀଙ୍କ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ରାଜ୍ୟ ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳକୁ ରେଳ ଯୋଗାଯୋଗ ପାଇଁ ନୂତନ ପ୍ରକଳ୍ପ
ମଞ୍ଜୁର ସହ ପୁରୁଣା ପ୍ରକଳ୍ପ ତ୍ୱରାନ୍ୱିତ କରାଯାଉଛି । ଏହା ସତ୍ତ୍ୱେ ରାଜ୍ୟର ବହୁ ଗ୍ରାମପଞ୍ଚାୟତ ଏବେ ବି ବ୍ୟାଙ୍କ ସେବାରୁ ବଞ୍ଚିତ ରହିଛି । ଗ୍ରାମୀଣ ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ଅପହଞ୍ଚ ହୋଇ ରହିଥିବାରୁ ଆର୍ଥିକ ଓ ସାମାଜିକ ବିକାଶରେ ବାଧା ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟ ସରକାରଙ୍କ ଅନେକ ଯୋଜନାର ସହାୟତା ରାଶି ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପ୍ରଦାନ(ଡିବିଟି) କରାଯାଇଥାଏ । ତେଣୁ ସାଧାରଣ ଜନତାଙ୍କ ହାତପାଆନ୍ତାରେ ବ୍ୟାଙ୍କ୍ ସୁବିଧା ପହଞ୍ଚାଇବାରେ କେନ୍ଦ୍ର ସହଯୋଗ କରୁ । ଅନୁରୂପ ଭାବେ ରାଜ୍ୟରେ ମୋବାଇଲ୍ ଓ ଟେଲିଫୋନ୍ ଯୋଗାଯୋଗରେ ସୁଧାର ଆସିବା ଦରକାର । ରାଜ୍ୟର ଏପରି ଅନେକ ଅଞ୍ଚଳ ଅଛି, ଯେଉଁଠାରେ ମୋବାଇଲ୍ ଟାୱାର ବସାଯାଇ ପାରିନାହିଁ । ତେଣୁ କେନ୍ଦ୍ର ସରକାର ରାଜ୍ୟର ଏହି ଦାବିକୁ ଗୁରୁତର ସହ ବିଚାର କରନ୍ତୁ ବୋଲି ନବୀନ ନୀତି ସଦସ୍ୟଙ୍କ ନିକଟରେ ଦାବି ରଖିଥିଲେ ।

Leave A Reply

Your email address will not be published.