ଲୋୟର ସୁକତେଲ ପାଇଁ ହଜାରେ କୋଟି

0 72

ବଲାଙ୍ଗୀର, ୧୪ା୮(ଡିକେ ନ୍ୟୁଜ): ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ନିର୍ମାଣାଧୀନ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧ ହଜାର ୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଜିଲ୍ଲାର ଜଳସେଚନ ଓ ପାନୀୟ ଜଳ ସଙ୍କଟ ଦୂର ହେବ । ଏଥିପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀରବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଭୂତଳ ପାଇପ୍‌ ଦ୍ୱାରା ପ୍ରକଳ୍ପର କ୍ଷମତା ବୃଦ୍ଧି କରାଯାଇ ଜଳସେଚନ, ପାନୀୟଜଳ ଯୋଗାଣ
ସହ ପାଣିର ଅପବ୍ୟବହାର ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବଲାଙ୍ଗୀର ମାଗୁରବେଡ଼ା ସ୍ଥିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ ଦ୍ୱାରା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୯୯୮ କୋଟି ଟଙ୍କା ଓ ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ୮ କୋଟି, ୯୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଲୋୟର୍‌ ସୁକତେଲ ପ୍ରକଳ୍ପ ଡ୍ୟାମ୍‌, ଗେଟ୍‌ ଓ ମାଟି କାମ ଆସନ୍ତା ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବାକୁ ଥିବାବେଳେ ଭୂତଳ ପାଇପ୍‌ ପ୍ରକଳ୍ପ ଆସନ୍ତା ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବଲାଙ୍ଗୀର ମ୍ୟୁନିସିପାଲଟି, ସଦର ବ୍ଲକ, ଦେଓଗାଁ, ପୁଇଁତଲା ବ୍ଲକ ଓ ସୋନପୁର ଜିଲ୍ଲାର ତରଭା ବ୍ଲକର ୨୭ ହଜାର ହେକ୍ଟର ଜମି ଜଳସେଚିତ ହେବା ସହ ବଲାଙ୍ଗୀର ସହରବାସୀଙ୍କ ପାନୀୟଜଳ ଆବଶ୍ୟକତା ପୂରଣ ହେବ । ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ବିଧାୟକ ସରୋଜ ମେହେର, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ବଲାଙ୍ଗୀର ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ସମେତ ଜିଲ୍ଲାର ବରିଷ୍ଠ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.