ବାତ୍ୟା ଦୁର୍ବଳ, ବର୍ଷା ପ୍ରବଳ

0 69

ଭୁବନେଶ୍ୱର, : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିଛି । ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜରେ ୬ଘଣ୍ଟା ଧରି ବର୍ଷା ହୋଇପାରେ । ତେବେ ବାତ୍ୟାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଜି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଗଭୀର ଅବପାତ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିଛି । ବେଳେବେଳେ ଘଣ୍ଟା ପ୍ରତି ୭୫ କିମି ବେଗରେ ପବନ ପ୍ରବାହିତ ହେଉଛି । ଏହା କ୍ରମଶଃ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପବନର ବେଗରେ ସେତିକି କିଛି ଫରକ ପଡ଼ିବ ନାହିଁ । ଆସନ୍ତାକାଲି ଏହା ଧୀରେ ଧୀରେ କମିବ । ଫଳରେ ୪୦ରୁ ୫୦ କିମି ବେଗରେ ଘଣ୍ଟା ପ୍ରତି ପବନ ବୋହିବ । ଏହା ପ୍ରଭାବରେ ଆସନ୍ତାକାଲ ମଧ୍ୟାହ୍ନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତାକାଲି ଦ୍ୱିପ୍ରହର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସବୁ ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜର କିଛି ଅଞ୍ଚଳରେ ପବନ ବେଗ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ୫୫ରୁ ୬୫ କିମି ପର୍ଯ୍ୟନ୍ତ ରହିବ । ତା’ପରେ ବେଗ କମିବ । ପଶ୍ଚିମବଙ୍ଗର ଚବିଶପ୍ରଗଣା ଜିଲ୍ଲାରେ ପବନର ବେଗ ସର୍ବାଧିକ ୫୫-୬୫ କିମି ରହିବ । ଗଭୀର ଅବପାତ ଯୋଗୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଧୀରେ ଧୀରେ ଉତ୍ତର ଓଡ଼ିଶା ଜିଲ୍ଲାରେ ଏହାର ପରିମାଣ ବଢ଼ିବ । ଗଭୀର ଅବପାତ ଉପକୂଳ ଆଡ଼କୁ ମୁହାଁଇଲେ ଉତ୍ତର ଓଡ଼ିଶା ନିକଟସ୍ଥ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ । ଏହା ପ୍ରଭାବରେ ଆଜି ସବୁଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ବର୍ଷାର ପରିମାଣ କମିଯିବ । ଆଜି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ । ଆସନ୍ତାକାଲି ଉତ୍ତର-ପଶ୍ଚିମ ଓଡ଼ିଶା ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଫୁଲବାଣୀ, ବୌଦ୍ଧ, ବରଗଡ଼ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଅଞ୍ଚଳରେ ଆଜି ପବନ ସହ ବର୍ଷା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଛତିଶଗଡ଼ରେ ଆଜି ପ୍ରବଳ ବର୍ଷା ଓ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବ । ଓଡ଼ିଶାରେ ଆଜି ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଗଭୀର ଅବପାତ ଉପକୂଳ ଅତିକ୍ରମ କରିବା ପରେ ଧୀରେ ଧୀରେ ଦୁର୍ବଳ ହେବ । ଏହା ପ୍ରଭାବରେ ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ମହାନଦୀ ଅବବାହିକାରେ ଅତି ପ୍ରବଳ ବର୍ଷା ହୋଇପାରେ ।

Leave A Reply

Your email address will not be published.